କେନ୍ଦ୍ରାପଡା, ଜାନୁଆରୀ ୧୯(ଲୋକାଲ ୱାୟାର): ଭିତରକନିକା ଜାତୀୟ ଉଦ୍ୟାନକୁ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି ।
ସ୍ଥାନୀୟ ପ୍ରଶାସନ ଦ୍ୱାରା ହୋଇଥିବା ଜନଶୁଣାଣି ଅବସରରେ ମତ୍ସ୍ୟଜୀବ. ଜଙ୍ଗଲବାସୀ ଓ ପରିବେଶବିତ୍ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ।
ଜିଲ୍ଲାର ଉପକୂଳ ଅଞ୍ଚଳ ପ୍ରବନ୍ଧନ ଯୋଜନାର ଚିଠା ପ୍ରସ୍ତୁତି ପାଇଁ ଏହି ଜନଶୁଣାଣି ହୋଇଥିଲା ।
ପୂର୍ବରୁ ସରକାର ଉପକୂଳ ନିୟନ୍ତ୍ରଣ ଜୋନ୍ ନିୟମ ଅନୁଯାୟୀ ଜୁଆରିଆ ନଦୀର ଉଚ୍ଚ ଜୁଆର ରେଖାର ୧୦୦ ମିଟର ଅଞ୍ଚଳ ଓ ମୁହାଣ ଅଞ୍ଚଳରେ ବିଭିନ୍ନ ପ୍ରକାର ନିର୍ମାଣ କାମ ନିଷିଦ୍ଧ କରିଥିଲେ ।
ପରେ କେନ୍ଦ୍ର ସରକାର ଏହାକୁ ୧୦୦ ମିଟରରୁ ୫୦ ମିଟରକୁ ହ୍ରାସ କରିଛନ୍ତି ।
ଜନଶୁଣାଣୀରେ ବହୁ ଉପକୂଳ ବାସିନ୍ଦା ଏହି ହ୍ରାସ ଅଞ୍ଚଳକୁ ସମର୍ଥନ କରିଥିଲେ ବୋଲି ଡିଏଫଓ ବିକାଶ ରଞ୍ଜନ ଦାଶ ଲୋକାଲ ୱାୟାରକୁ କହିଛନ୍ତି ।
ଜନଶୁଣାଣିରେ କିଛି ମତ୍ସ୍ୟଜୀବୀ, ଚିଙ୍ଗୁଡ଼ି ଘେରି ମାଲିକ ଓ ଅନ୍ୟମାନେ ଉପକୂଳ ନିୟନ୍ତ୍ରଣ ଜୋନ ନିୟମନ ମ୍ୟାପ ଜାରି କରିବାକୁ ଦାବି କରିଥିଲେ ।
ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ସ୍ପେଶ ଆପ୍ଲିକେସନ ସେଣ୍ଟର (ଓସାକ) ଏହି ମ୍ୟାପ ପ୍ରସ୍ତୁତ କରୁଛନ୍ତି ବୋଲି ସେମାନଙ୍କୁ ସୂଚନା ଦିଆଯାଇଥିଲା ।
ତେବେ ଜାତୀୟ ଉଦ୍ୟାନ ଠାରୁ ଦୂରରେ ଥିବା କିଛି ଗାଁକୁ ଅଣସୂଚିତ କରିବାକୁ ରାଜକନିକାର ଅବସରପ୍ରାପ୍ତ ଶିକ୍ଷକ କାଳିପ୍ରସନ୍ନ ନାୟକ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ ।
ରାଜକନିକା ଓ ରାଜନଗରର କିଛି ଚିଙ୍ଗୁଡ଼ି ଚାଷୀ ଅଭିଯୋଗ କରିଥିଲେ ସେମାନଙ୍କ ଚିଙ୍ଗୁଡ଼ି ଘେରି ପଞ୍ଜିକୃତ ହୋଇଥିଲେ ମଧ୍ୟ ଅଧିକାରୀମାନେ ଘେରି ଭାଙ୍ଗି ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ।
ଲୋକାଲ ୱାୟାର
Leave a Reply