ଭୁବନେଶ୍ୱର, ଡିସେମ୍ବର ୨୧(ଲୋକାଲ ୱାୟାର): ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ୯୧ ଜଣ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ଏବଂ ଆସନ୍ତା ଦିନରେ ସମସ୍ତ ଲୋକପ୍ରତିନିଧି, ଅଫିସର ଲୋକାୟୁକ୍ତଙ୍କ ନିକଟରେ ସମ୍ପତ୍ତି ତାଲିକା ଦାଖଲ କରିବେ ବୋଲି ସୋମବାର ବିଜେଡି କାର୍ଯ୍ୟକାରିଣୀକୁ ଉଦବୋଧନ ଅବସରରେ କହିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେ କହିଛନ୍ତି, ଦୁର୍ନୀତି କରୁଥିବା କର୍ମଚାରୀ ଯେତେ ଉଚ୍ଚ ପଦରେ ଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଉଦାହରଣମୂଳକ କାର୍ଯ୍ୟାନୁଷ୍ଠାନ କରାଯାଉଛି ।
ଦୁର୍ନୀତି ବିରୋଧରେ ଆଗକୁ ଲଢ଼େଇ ଆହୁରି ଜୋରଦାର ହେବ ।
ଆସନ୍ତା ଦିନରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତି ବର୍ଷ ସେମାନଙ୍କ ସମ୍ପତ୍ତି ତାଲିକା ଦେବେ ଏବଂ ଏହା ଜନସାଧାରଣଙ୍କ ଅବଗତି ନିମନ୍ତେ ପବ୍ଲିକ ଡୋମେନରେ ମଧ୍ୟ ସ୍ଥାନ ପାଇବ ବୋଲି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତାବ ଗୃହୀତ ହୋଇଛି ।
ସେହିପରି ଦଳର ସାଂସଦମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ସମ୍ପତ୍ତି ତାଲିକା ଘୋଷଣା କରି ଅନ୍ୟ ଦଳ ପାଇଁ ଉଦାହରଣ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସବୁ ସରକାରୀ କର୍ମଚାରୀ, ଏପରିକି ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ ଏବଂ ଏହାକୁ ମଧ୍ୟ ଜନସାଧାରଣଙ୍କ ଅବଗତି ନିମନ୍ତେ ପବ୍ଲିକ ଡୋମେନରେ ରଖାଯିବ ।
ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧି ମାନଙ୍କ ସମ୍ପତ୍ତି ତାଲିକା ପ୍ରତିବର୍ଷ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।
ଦୁର୍ନୀତି ରୋକିବାକୁ ଏଭଳି କଠୋର ପଦକ୍ଷେପ ନେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହେବ ଏବଂ ଏହା ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଲୋକାଲ ୱାୟାର
Leave a Reply