କେନ୍ଦ୍ରାପଡ଼ା, ସେପ୍ଟେମ୍ବର ୨୩ (ଲୋକାଲ ୱାୟାର): ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପ୍ରତିଶ୍ରୁତି ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମାଣପଡ଼ା ଗାଁରେ ଚାରି ଦିନ ହେଲା ପଡ଼ି ରହିଥିବା ୪୬ ବର୍ଷୀୟା ମା ଓ ୨୧ ବର୍ଷୀୟା ଝିଅଙ୍କ ଶବ ସତ୍କାର କରିଛନ୍ତି ପରିବାର ଲୋକେ ।
ରବିବାର ଠାରୁ ଶବ ପଡ଼ି ରହିଥିଲେ ମଧ୍ୟ ହତ୍ୟାକାରୀ ଗିରଫ ନହେବା ଯାଏ ସତ୍କାର ନକରିବାକୁ ଗାଁଲୋକେ ଓ ମୃତକଙ୍କ ସମ୍ପର୍କୀୟମାନେ ଜିଦ ଧରିଥିଲେ ।
ଉତ୍ତ୍ୟକ୍ତ ଗ୍ରାମବାସୀ ଓ ମୃତକଙ୍କ ସମ୍ପର୍କୀୟମାନେ ବୁଧବାର ଶବ ସଂସ୍କାର ପାଇଁ ବୁଝାଇବାକୁ ଯାଇଥିବା ଅଧିକାରୀମାନଙ୍କୁ ଅଟକ ରଖିଥିଲେ ।
ବିକ୍ଷୋଭକାରୀମାନେ ଗାଁ ରାସ୍ତା ଅବରୋଧ କରିବା ସହ ହତ୍ୟାକାରୀଙ୍କ ଗିରଫ ଦାବିରେ ରାଜନଗର ଥାନା ଆଗରେ ଧାରଣାରେ ବସିଥିଲେ ।
ମୃତକମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା ପରେ ମାମଲା ସମାଧାନ ହୋଇଛି । ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ।
ଗାଁଲୋକେ ବିକ୍ଷୋଭ ପ୍ରତ୍ୟାହାର କରି ମହିଳା ଓ ତାଙ୍କ ଝିଅର ଶବ ସକ୍ରାର କରିଛନ୍ତି ବୋଲି ରାଜନଗର ତହସିଲଦାର ଭୋଳାନାଥ ସେଠି କହିଛନ୍ତି ।
ମାଣପଡ଼ା ଗାଁର ପତିତପାବନ ନାଥଙ୍କ ସ୍ତ୍ରୀ ପ୍ରମିଳା ନାଥ (୪୬ ବର୍ଷ) ସେପ୍ଟେମ୍ବର ୧୯ରୁ ନିଖୋଜ ଥିଲେ । ପରଦିନ ତାଙ୍କ ଶବ ଗାଁ ନିକଟସ୍ଥ ହଂସୁଆ ନଦୀରେ ଭାସୁଥିବା ଅବସ୍ଥାରେ ମିଳିଥିଲା ।
ସେହିପରି ପ୍ରମିଳାଙ୍କ ଝିଅ ସତ୍ୟପ୍ରିୟା ନାଥ (୨୧ ବର୍ଷ)ଙ୍କ ଶବ ପାଖ ଗାଁ ଗୋବର୍ନ୍ଧନପୁରର ଏକ ପୋଖରୀରୁ ମିଳିଥିଲା । ପ୍ରମିଳାଙ୍କ ସ୍ୱାମୀ ଘରଜ୍ୱାଇଁ ହୋଇ ୧୦ ବର୍ଷ ହେଲା ବାବରା ଗାଁରେ ରହୁଥିଲେ ।
ପୋଷ୍ଟମର୍ଟମ ରିପୋର୍ଟରୁ ଅବିବାହିତା ସତ୍ୟପ୍ରିୟା ଗର୍ଭବତୀ ଥିବା ଜଣା ପଡିଥିଲା ।
ସତ୍ୟପ୍ରିୟାଙ୍କୁ ତାଙ୍କ ମାମୁ ପୁଅ ଧର୍ଷଣ କରି ଗର୍ଭବତୀ କରିଥିବା ସମ୍ପର୍କୀୟ ଓ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ସତ୍ୟପ୍ରିୟା ଗର୍ଭବତୀ ଥିବା ପ୍ରମିଳା ଜାଣିବା ପରେ କିଛି ଲୋକ ସେମାନଙ୍କୁ ହତ୍ୟା କରି ଶବ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି ।
ପୁଲିସ ଆଇପିସିର ଧାରା ୩୦୨ (ହତ୍ୟା), ୩୭୬ (ଧର୍ଷଣ) ଓ ୨୦୧ (ପ୍ରମାଣ ନଷ୍ଟ)ରେ ମାମଲା ରୁଜୁ କରି ସତ୍ୟପ୍ରିୟାଙ୍କ ଘନିଷ୍ଠ ସମ୍ପର୍କୀୟ ସଞ୍ଜୟ ବେହେରାକୁ ଗିରଫ କରିଛି ।
ପୋଷ୍ଟମର୍ଟମ ରିପୋର୍ଟରୁ ମୃତୁ୍ୟ ବେଳକୁ ସତ୍ୟପ୍ରିୟା ସାତ ମାସର ଗର୍ଭବତୀ ଥିବା ଜଣାପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି ବୋଲି ରାଜନଗର ଥାନା ଆଇଆଇସି ତପନ ନାୟକ କହିଛନ୍ତି ।
ପୁଲିସ ଓ ଅଧିକାରୀମାନେ ହତ୍ୟାକାରୀଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆମେ ଶବ ସଂସ୍କାର କରିଛୁ ।
ସତ୍ୟପ୍ରିୟାଙ୍କ ଗର୍ଭସ୍ଥ ଶିିଶୁର ଡିଏନଏ ଟେଷ୍ଟ ପାଇଁ ଆମ ଦାବିକୁ ଅଧିକାରୀମାନେ ଗ୍ରହଣ କରିଛନ୍ତି ବୋଲି ଅନିରୁଦ୍ଧ ସେଠି କହିଛନ୍ତି ।
ଶବ ସଂସ୍କାର ପାଇଁ ଲୋକଙ୍କୁ ବୁଝାଇବାକୁ ଆସିଥିବା ରାଜନଗର ତହସିଲଦାର ଭୋଳାନାଥ ସେଠି, ରାଜନଗର ବିଡିଓ ମନ୍ଦରଧର ମହାଳିକ ଓ ପୁଲିସ ଅଧିକାରୀମାନଙ୍କୁ ଗାଁ ଲୋକେ ଚାରି ଘଣ୍ଟା ଅଟକ ରଖିଥିଲେ ।
ଲୋକାଲ ୱାୟାର
Leave a Reply