ଢେଙ୍କାନାଳ, ଜାନୁଆରୀ ୨୬(ଲୋକାଲ ୱାୟାର): ବିଶ୍ୱ ସମୁଦାୟ ଏବେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ନିରାପତ୍ତାକୁ ଗୁରୁତ୍ୱ ଦେଉଛି ।
ହେଲେ ବିଭିନ୍ନ ଦେଶରେ ଆତଙ୍କବାଦ ସମସ୍ୟା, ଆଭ୍ୟନ୍ତରୀୟ ସଂଘର୍ଷ ଆଦି ଲାଗି ରହୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି ।
ଏ ଦିଗରେ ଗଣମାଧ୍ୟମର ଏକ ବଳିଷ୍ଠ ଭୂମିକା ବୋଲି କହିଛନ୍ତି ଆଇଆଇଏମସିର ମହାନିର୍ଦେଶକ ପ୍ରଫେସର ଡ. ସଞ୍ଜୟ ଦ୍ୱିବେଦୀ ।
ଗଣତନ୍ତ୍ର ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍ ‘ଶାନ୍ତି ସାମ୍ବାଦିକତା’ ଉନ୍ମୋଚିତ ହୋଇଛି ।
ଏହାକୁ ଉନ୍ମୋଚନ କରି ପ୍ରଫେସର ଦ୍ୱିବେଦୀ କହିଛନ୍ତି, ଏ ଦେଶ ହେଉଛି ଗୌତମ ବୁଦ୍ଧଙ୍କ ଦେଶ ।
ତେବେ ଦୁଃଖର କଥା, ଆଜିକାଲି ଅନେକ କ୍ଷେତ୍ରରେ, ଅନେକ ସ୍ଥାନରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳୁଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଡିଭିଆର୍ ମୂର୍ତ୍ତି କହିଛନ୍ତି, ଆଜିକାଲି ଗଣମାଧ୍ୟମରେ ଶାନ୍ତି ସାମ୍ବାଦିକତା ଖୁବ୍ କମ୍ ଦେଖିବାକୁ ମିଳୁଛି ।
ମୁଖ୍ୟଧାରାର ଜାତୀୟ ତଥା ଆଞ୍ଚଳିକ ଖବରକାଗଜରେ ଶାନ୍ତି ସାମ୍ବାଦିକତାର ସ୍ଥାନ ନୈରାଶ୍ୟଜନକ ।
ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ଆଇଆଇଏମସି, ଢେଙ୍କାନାଳର ଆଞ୍ଚଳିକ ନିଦେ୍ର୍ଦଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ବର୍ତ୍ତମାନ ସମୟରେ ଶାନ୍ତି ସାମ୍ବାଦିକତାର ବେଶ୍ ଆବଶ୍ୟକତା ରହିଛି ।
ଚଳିତ ବର୍ଷ ଅର୍ଥାତ୍ ୨୦୨୧କୁ ଜାତିସଂଘ ଶାନ୍ତି ଓ ବିଶ୍ୱାସର ବର୍ଷ ଭାବେ ଅଭିହିତ କରିଛି ।
ଏସବୁ ଦୃଷ୍ଟିରୁ ଆଇଆଇଏମସି ପକ୍ଷରୁ ଏପରି ଏକ ସ୍ୱତନ୍ତ୍ର ମନୋଗ୍ରାଫ୍ ପ୍ରସ୍ତୁତ କରାଯାଇଛି ।
ଗୁଗୁଲ୍ ମିଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆଇଆଇଏମସିର ସହକାରୀ ପ୍ରଫେସର ସମ୍ବିତ ପାଲ ସଂଯୋଜନା କରିଥିବାବେଳେ ଧନ୍ୟବାଦ ଦେଇଛନ୍ତି ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।
‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍ରେ ମୋଟ ୧୫ଟି ସନ୍ଦର୍ଭ ଓ ନିବନ୍ଧ ସ୍ଥାନ ପାଇଛି । ଏଥିରେ ଦେଶର ବହୁ ଖ୍ୟାତନାମା ଶିକ୍ଷାବିତ, ସାମ୍ବାଦିକଙ୍କ ଲେଖା ରହିଛି ।
ପରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଓ ଆଇଆଇଏମ୍ସିର ମିଳିତ ଆନୁକୂଲ୍ୟରେ କବିତା ପାଠୋତ୍ସବ ‘ଶବ୍ଦାଞ୍ଜଳି’ ଅନୁଷ୍ଠିତ ହୋଇଛି ।
ଏଥିରେ ଆଇଆଇଏମସିର ଅତିରିକ୍ତ ନିର୍ଦେଶକ (ପ୍ରଶାସନିକ) କେ. ସତିଶ ନମ୍ବୁଦିରିପଦ୍ ଭାରତୀୟ ଭାଷା ସାହିତ୍ୟର ମହାନତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ଲୋକାଲ ୱାୟାର
Leave a Reply