ଢେଙ୍କାନାଳ, ସେପ୍ଟେମ୍ବର ୨୦(ଲୋକାଲ ୱାୟାର): ହିନ୍ଦୀ ପକ୍ଷ ପାଳନ ଅବସରରେ ରବିବାର ସନ୍ଧ୍ୟାରେ ଗୁଗୁଲ ମିଟ୍ ମଞ୍ଚରେ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମସି)ରେ ହିନ୍ଦୀ କବିତା ପାଠୋତ୍ସବ ‘ଶବ୍ଦାଞ୍ଜଳି’ ରବିବାର ଅନୁଷ୍ଠିତ ହୋଇଯାଇଛି ।
ଦେଶର ପ୍ରସିଦ୍ଧ କବି, କବୟତ୍ରୀମାନେ ସ୍ୱରଚିତ କବିତା ମାଧ୍ୟମରେ ହିନ୍ଦୀ ଭାଷାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ ।
ହିନ୍ଦୀ ଆଦି ବିଭିନ୍ନ ମାତୃଭାଷା ଜରିଆରେ ମନର ଭାବନାକୁ ଭଲଭାବେ ବ୍ୟକ୍ତ କରାଯାଇପାରେ ।
ପରିବାର ଓ ସମାଜ ମଧ୍ୟରେ ମାତୃଭାଷା ସମ୍ପର୍କ ଯୋଡି଼ଥାଏ ।
ସମ୍ପର୍କରେ ନିବିଡ଼ତା ଓ ମଧୁରତା ଆଣିଥାଏ ବୋଲି କବିମାନେ କଳାତ୍ମକ ଢଙ୍ଗରେ ମତ ବ୍ୟକ୍ତ କରିଥିଲେ ।
ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଆଇଆଇଏମ୍ସିରେ ଦୀର୍ଘ ବର୍ଷ ‘ଶବ୍ଦାଞ୍ଜଳି’ ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ହୋଇଆସୁଛି ।
ଚଳିତ ବର୍ଷ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅନଲାଇନ୍ ମଞ୍ଚରେ କାର୍ଯ୍ୟକ୍ରମ ଆୟୋଜନ ସମ୍ଭବ ହୋଇପାରିଛି ବୋଲି ଡ. ଚାଟାର୍ଜୀ କହିଥିଲେ ।
ଅନ୍ତର୍ଜାତୀୟ ପ୍ରସିଦ୍ଧ କବି ଲକ୍ଷ୍ମୀଶଙ୍କର ବାଜପେୟୀ ନିଜର କବିତା ପାଠ କରିବା ସହ ଦୋହା ଓ ଗଜଲ ଗାନ କରିଥିଲେ ।
ପ୍ରକୃତିର ସୌନ୍ଦର୍ଯ୍ୟ, ମଣିଷର ଆବେଗ, ମହିଳା ସଶକ୍ତିକରଣ, ଗ୍ରାମୀଣ ପରିବେଶ ଉପରେ ସେ ସୁନ୍ଦର ଭାବେ ନିଜର ଭାବନା ରଖିଥିଲେ ।
ରାଜଭାଷା ପୁରସ୍କାରପ୍ରାପ୍ତ କବୟିତ୍ରୀ ଅନାମିକା କବିତା ମାଧ୍ୟମରେ ହିନ୍ଦୀ ଭାଷା ପ୍ରତି ତରୁଣ, ତରୁଣୀମାନଙ୍କର ଅନାଦର ଓ ଇଂରାଜୀ ଭାଷାକୁ ଆଦର କରୁଥିବା ପ୍ରସଙ୍ଗକୁ ସମାଲୋଚନା କରିଥିଲେ ।
କବୟିତ୍ରୀ ରେଣୁ ହୁସେନ କବିତା ସହ ଗଜଲ ଗାନ କରିଥିଲେ ।
କବି ପଙ୍କଜ ପ୍ରସୂନ ହିନ୍ଦୀ ଭାଷାର ମହତ୍ତ୍ୱ ଓ ଇଂରାଜୀ ଭାଷାର ବହୁଳ ପ୍ରଚଳନକୁ ବ୍ୟଙ୍ଗ ମାଧ୍ୟମରେ ସମାଲୋଚନା କରିଥିଲେ ।
ଚଳଚ୍ଚିତ୍ର ନିର୍ମାତା ତଥା କବି ରବି ଯାଦବ କରୋନା ସମୟର ପରିସ୍ଥିତି ଓ ମହିଳାଙ୍କ ମନର ଆଶାକୁ ନେଇ ସୁନ୍ଦର ଭାବେ କବିତା ପାଠ କରିଥିଲେ ।
କବୟିତ୍ରୀ ରଶ୍ମୀ ଭରଦ୍ୱାଜ ମହିଳାମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ନିଜର କବିତାରେ ସ୍ଥାନ ଦେଇଥିଲେ ।
କବୟିତ୍ରୀ ବିଷ୍ଣୁପ୍ରିୟା ପାଣ୍ଡେ ଓ ଅଲ୍ ଇଣ୍ଡିଆ ରେଡିଓ କଟକ କେନ୍ଦ୍ରର ବାର୍ତ୍ତା ସମ୍ପାଦକ ତଥା ଆଇଆଇଏମସିର ପୁରାତନ ଛାତ୍ରୀ ଇତିଶ୍ରୀ ସିଂହ ରାଠୋର ପାଠୋତ୍ସବକୁ ସଞ୍ଚାଳନ କରିଥିଲେ ।
ସଂସ୍ଥାନର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ସମ୍ବିତ ପାଲ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରରୁ ବହୁ କବି, କବିୟତ୍ରୀ, ସାହିତ୍ୟ ପ୍ରେମୀମାନେ ସାମିଲ ହୋଇଥିଲେ ।
ଲୋକାଲ ୱାୟାର
Leave a Reply