କଟକ,ଜାନୁୟାରୀ ୨୯(ଲୋକାଲ ୱାୟାର): ସମଗ୍ର ପୂର୍ବ ଭାରତରେ କର୍କଟ ରୋଗୀଙ୍କ ପାଇଁ ଭରଷାର କେନ୍ଦ୍ର ସାଜିଥିବା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନବ କଳେବର ସହ ଏହାର ଶଯ୍ୟା ସଂଖ୍ୟା ୪୨୫କୁ ବୃଦ୍ଧି ପାଇବ ବୋଲି ଏହାର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ଏହାର ପ୍ରଶାସନିକ ଅଧିକାରୀ ବୁଧବାର ଦିନ ସୂଚନା ଦେଇଛନ୍ତି ।
ଏ ନେଇ ଅନୁଷ୍ଠିତ ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ପରିଷଦର ଅଧ୍ୟକ୍ଷ ନବ କିଶୋର ଦାସ କହିଛନ୍ତି ଯେ ଏଠାରେ ଖାଲି ପଡିଥିବା ପ୍ରଫେସର, ସିନିୟର ରେସିଡେନ୍ସ, ରେଡିଓଲୋଜିଷ୍ଟ, ଡାକ୍ତରୀଙ୍କ ପଦବୀ ସଂଖ୍ୟା ଖୁବ ଶୀଘ୍ର ପୂରଣ କରାଯିବ ।
ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା କରାଯିବା ସହ ପିପିପି ମୋଡରେ ପିଇଟି ସିଟି ସ୍କାନ ବ୍ୟବସ୍ଥା, ମୁତ୍ରାଶୟ ଅଙ୍କୋଲୋଜୀ ବିଭାଗ, ଫୁଲ୍ୟୁମନାରୀ ମେଡିସିନ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ବିଶେଷଜ୍ଞଙ୍କୁ ନିୟୋଜିତ କରାଯିବ ।
ଆଗାମୀ ଦିନରେ ଏହି କେନ୍ଦ୍ରକୁ ସେଣ୍ଟର ଅଫ ଏକ୍ସିଲେନ୍ସି କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ।
ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ତଥା କମିଟି ଉପାଧ୍ୟକ୍ଷ ନିକୁଞ୍ଜ ବିହାରୀ ଧଳ, ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ, ଅଧ୍ୟକ୍ଷ ଡାକ୍ତର ନିରଞ୍ଜନ ସ୍ୱାଇଁ, ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଉପ ଜିଲ୍ଲାପାଳ ବିଜୟ ଖଣ୍ଡାୟତରାୟ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।
ଲୋକାଲ ୱାୟାର
Leave a Reply