ଭୁବନେଶ୍ୱର, ଏପ୍ରିଲ ୧(ଲୋକାଲ ୱାୟାର): ଏପ୍ରିଲ୍୧, ୨୦୨୦ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୮୪ ବର୍ଷ । ମାତ୍ର ଦୁଃଖର ବିଷୟ ଆମେ ଯେଉଁଠି ଥିଲେ ସେଇଠି ଅଛେ ।

ବହୁତ କିଛି ହୋଇଛି କିନ୍ତୁ ଉତ୍କଳ ଜନନୀ ପାଇଁ ଯାହା ହେବା କଥା ହୋଇପାରିନି । ୧୯୯୪ମସିହାରୁ ‘ବନେ୍ଦ ଉତ୍କଳ ଜନନୀ’ ସଙ୍ଗୀତକୁ ବିଧାନସଭା ଅଧିବେଶନ ଶେଷ ଦିନରେ ଗାଇ ସମ୍ମାନ ଦେବାକୁ ନିଷ୍ପତ୍ତି ହେଲା ।

ପରେ ଶରତ କର ଓ ମହେଶ୍ୱର ମହାନ୍ତି ବାଚସ୍ପତି ଥିବାବେଳେ ଏହି ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ଗୀତ, ସଙ୍ଗୀତ ଓ ସମୟସୀମାକୁ ନେଇ ବହୁ ଆଲୋଚନା, ପର୍ଯ୍ୟାଲୋଚନା ହେଲା ।

ମାତ୍ର ଆଜି ପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିପାରିଲେ ନାହିଁ । ୬ବର୍ଷ ତଳୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲାଣି ।

ମାତ୍ର ଆଜି ପର୍ଯ୍ୟନ୍ତ ଭାଷା କେବଳ ମାନ୍ୟତାରେ ସୀମିତ ହୋଇ ରହିଯାଇଛି । କେନ୍ଦ୍ର ସରକାର ସଂସ୍କୃତ ଭାଷା ପାଇଁ ୬୪୩.୮୪କୋଟି ଟଙ୍କା ଖର୍ଚ୍ଚ କରିବାକୁ ଆଗେଇ ଆସିଛନ୍ତି ।

ଅନ୍ୟ ୫ଟି ଭାଷା ପାଇଁ ୨୯କୋଟି ଖର୍ଚ୍ଚ କରିବାକୁ ବରାଦ କରିଛନ୍ତି । ମାତ୍ର ଓଡ଼ିଆ ଭାଷା ପାଇଁ କିଛି ନାହିଁ ।

ଅନ୍ୟପକ୍ଷରେ ବିଭିନ୍ନ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା କେହି ମାନୁନାହାନ୍ତି ।

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ୨୦୧୧ମସିହା ଅଗଷ୍ଟ ୨୯ରୁ ଏନେଇ ପ୍ରକ୍ରିୟା ଆରମ୍ଭ ହେଲାଣି । ସମସ୍ତ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କୁ ନାମଫଳକ ଓଡ଼ିଆରେ ଲେଖିବା ପାଇଁ ପ୍ରତିଷ୍ଠାନ ପକ୍ଷରୁ ଚିଠି କରାଯାଇଛି ।

ହେଲେ କେହି ଶୁଣୁନାହାନ୍ତି କି ଆଇନକୁ ମାନୁନାହାନ୍ତି । ଅଧିକାଂଶ ସ୍ଥାନରେ କଡ଼ାକଡ଼ି ପାଳନ କରାଯାଉନି ।

ସେହିପରି ଓଡ଼ିଆରେ ନଥିପତ୍ର କାର୍ଯ୍ୟ କରିବାକୁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ହୋଇଥିଲେ ବି ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଏଥିପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ କର୍ମଚାରୀଙ୍କୁ ସ୍ୱତନ୍ତ୍ର ତାଲିମ ବି ଦିଆଯାଇଛି ।

ରାଜ୍ୟରେ ଓଡ଼ିଆ ଭାଷା କମିଶନ ଗଠନ ପାଇଁ ସରକାର ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇଥିବାବେଳେ ତାହା ଫାଇଲ୍ରେ ବନ୍ଧା ହୋଇପଡ଼ିଛି ।

କେବଳ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ଗଠନ କରାଯାଇଛି । ତାର ୱେବସାଇଟ୍ ବି ଖୋଲାଯାଇଛି ।

ସେହିପରି ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲାବେଳେ ତାହା କେବଳ ଭିତ୍ତିପ୍ରସ୍ତର ଉଦଘାଟନରେ ରହିଯାଇଛି ।

ବାରମ୍ବାର ଭାଷା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ସୂଚନା ଦିଆଯାଉଥିଲାବେଳେ ତାହା ବି ଅଧୁରା ପଡ଼ିଛି । ଇଏ ତ ଭାଷାର କଥା ରାଜ୍ୟରେ ସୀମା ବିବାଦକୁ ନେଇ ବି ସମସ୍ୟା ରହିଛି ।

ଓଡ଼ିଶାର ସୀମା ବିବାଦ ବି ଏ ପର୍ଯ୍ୟନ୍ତ ତୁଟି ପାରିନାହିଁ ।

ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ତଥା ଆଇନଜୀବୀ ଦିଲ୍ଲୀପ ଦାଶଶର୍ମା କହିଛନ୍ତି, କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ବହୁ ବାଦବିବାଦ ଲାଗି ରହିଥିବାବେଳେ ବାଲେଶ୍ୱର ଜିଲ୍ଲାର ବହୁ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ପଶ୍ଚିମବଙ୍ଗ ସରକାରର ଲୋଲୁପ ଦୃଷ୍ଟି ରହିଛି ।

ଛତିଶଗଡ଼ ରାଜ୍ୟ ସରକାର ଓଡ଼ିଶାର ଗଜମାର ପାହାଡ଼ ସହିତ ଝାରଗାଁକୁ ନିଜର ଦର୍ଶାଇ ପାହାଡ଼ କାଟି ଶିଳ୍ପ ସଂସ୍ଥା ପାଇଁ ବେଆଇନ ଭାବେ ରେଳ ଧାରଣା ବିଛାଇବାକୁ ଚେଷ୍ଟା କରୁଛି ।

ତେଣୁ ଓଡ଼ିଶା ପ୍ରଦେଶ ଏବେବି ତାର ସୀମାକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଛି । ଏହିଭଳି ଅନେକ ପ୍ରସଙ୍ଗ ରହିଛି, ଯାହା ଦୀର୍ଘ ୮୪ବର୍ଷ ଭିତରେ ସମାଧାନ ହୋଇପାରିନି ।

ଲୋକାଲ ୱାୟାର