ଭୁବନେଶ୍ୱର, ଅଗଷ୍ଟ ୨୩ (ଲୋକାଲ ୱାୟାର) : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ । ଏଥିପାଇଁ ଉତ୍ସବ ମୁଖର ଗାଁଠାରୁ ସହର । ଘରେ ଘରେ ପିଠା, ମିଠାର ଆସର ।
ହେଲେ ଏଥର କରୋନା କଟକଣା ପାଇଁ ନୂଆଁଖାଇ ମଉଜ ଫିକା ପଡିଛି । କରୋନା ଯୋଗୁଁ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ କଟକଣା ଲଗାଇଥିଲେ ମଧ୍ୟ ପରାମ୍ପରା ବଜାୟ ରଖିବାକୁ ପ୍ରସ୍ତୁତି କରାଯାଇଛି ।
କାହିଁକି ପାଳିତ ହୁଏ ନୂଆଁଖାଇ ବା ନବାନ୍ନ ?
ଧାନ ଅମଳର ଖୁସିରେ ଚାଷୀମାନେ ନୂଆଁଖାଇ ପର୍ବ ପାଳନ କରିଥାନ୍ତି । ବର୍ଷା ଶେଷ ହେବା ପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ ।
ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ ।
ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ ।
ନୂଆଁଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।
କେଉଁ ରୀତିନୀତି ଓ ବିଧି ସହ ହୁଏ ନୂଆଁଖାଇ?
ଏହି ପର୍ବ ଭାଦ୍ରବ ମାସର ଶୁକ୍ଲ ପଞ୍ଚମୀ ତିଥିରେ ଗଣେଶ ଚତୁର୍ଥୀ ପରଦିନ ପାଳିତ ହୋଇଥାଏ।
ଏହି ଦିନର ଅମୃତବେଳା ବା ଶୁଭବେଳ ଜ୍ୟୋତିଷମାନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ ।
ଲଗ୍ନ ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କଠାରେ ନୂଆକରି ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନ ଲାଗି କରାଯାଇଥାଏ।
ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ , ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଲାଗି ହେବାପରେ ଏହା ନବାନ୍ନରେ ପରିଣତ ହୋଇଥାଏ।
ଏହାପରେ ପରିବାରର ମୁଖ୍ୟଙ୍କ ହାତରୁ ସଭିଏଁ ନବାନ୍ନ ଭୋଗ ଗ୍ରହଣ କରିବା ସହ ସେମାନଙ୍କୁ ପ୍ରଣାମକରି ଆଶୀର୍ବାଦ ଗ୍ରହଣ କରନ୍ତି।
ଏହାପରେ ସଭିଁଙ୍କୁ ନୂଆଁଖାଇ ଭେଟଘାଟର ଶୁଭେଚ୍ଛା ଜଣାଇଥାନ୍ତି। ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ।
ସାମାଜିକ ଏକତାର ପର୍ବ
ନୂଆଁଖାଇରେ ଦେଶ ଓ ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘର ଉପସ୍ଥିତ ରହିଥାନ୍ତି ।
ସମାନତା ଏବଂ ଏକତାର ବାର୍ତ୍ତା ବହନ କରେ ନୂଆଁଖାଇ। ପୂର୍ବ ଶତୃତାକୁ ଭୁଲିକରି ସଭିଏଁ ଏକଜୁଟ ହୋଇ ନୂଆଖାଦ୍ୟ ଖାଇଥାନ୍ତି।
ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି ।
ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ସମସ୍ତେ ମିଶିକରି ନାଚ ଓ ଖେଳ କରିଥାନ୍ତି ।
ନୂଆଁଖାଇ ବାସି
ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି କୁହାଯାଏ। ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ।
ନୂଆଁଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରାଯାଉଥିବାରୁ ସେଦିନ ପ୍ରାୟତଃ କେହି ଆମିଷ ଖାଆନ୍ତି ନାହିଁ। ସେଥିପାଇଁ ଏହି ଦିନ ସଭିଏଁ ଆମିଷ ଖାଇଥାନ୍ତି।
ଲୋକାଲ ୱାୟାର
Leave a Reply