ଭୁବନେଶ୍ୱର, ଅକ୍ଟୋବର ୨୩ (ଲୋକାଲ ୱାୟାର) : ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଅପରାହ୍ନରେ ସାଗର ଦ୍ୱୀପପୁଞ୍ଜ ଓ ବାଂଲାଦେଶ ଖେପୁପଡ଼ା ମଧ୍ୟରେ ଛୁଇଁବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଜି ସୂଚନା ଦେଇଛି ।

ଏହାର ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ସହ କୋହଲା ପବନ ଲାଗି ରହିବ ।

ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଏବେ ଅବପାତ ପାରାଦ୍ୱୀପଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୯୦ କି.ମି. ଦୂରରେ ରହିଛି । ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ।

ସମୁଦ୍ରରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଓଡ଼ିଶାର ସବୁ ବନ୍ଦରକୁ ୩ନଂ ସତର୍କ ସଙ୍କେତ ଜାରି କରାଯାଇଛି ।

ଅନ୍ୟପଟେ, ଅବପାତ ପ୍ରଭାବରେ ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି ।

ଏନେଇ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ଲୋକାଲ ୱାୟାର