ଭୁବନେଶ୍ୱର, ଜାନୁଆରୀ ୩(ଲୋକାଲ ୱାୟାର): ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କେବଳ ଆଠଗଡ଼ ବନଖଣ୍ଡ ଅଧୀନ କଖଡ଼ି-ମହାନଦୀ ମଧ୍ୟସ୍ଥ ବାଲୁକାଶଯ୍ୟା ଠାରେ ଭାରତୀୟ ସ୍କିମରଙ୍କୁ ଦେଖିବାକୁ ମିଳିଛି ।
ସବୁବର୍ଷ ଫେବ୍ରୁଆରୀ ମାସ ପ୍ରଥମ ସପ୍ତାହରେ ଏମାନେ ଓଡ଼ିଶା ଆସିଥାନ୍ତି । ହେଲେ ଚଳିତ ବର୍ଷ ଡିସେମ୍ବର ୧୬ରୁ ଏମାନଙ୍କ ଆସିବା ଆରମ୍ଭ ହୋଇଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା କହିଛନ୍ତି ।
ଏ ବାବଦରେ ଅଧିକ ସୂଚନା ଦେଇ ସେ କହିଛନ୍ତି;
ଫେବ୍ରୁଆରୀ ମାସ ମଧ୍ୟରେ ଏମାନେ ସାଧାରଣତଃ ଅଣ୍ଡା ଦେବା ଆରମ୍ଭ କରନ୍ତି ଓ ମାର୍ଚ୍ଚ ବେଳକୁ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୁଏ ।
ମାତ୍ର ଏ ବର୍ଷ ସ୍କିମରମାନେ ଶୀଘ୍ର ଆସିଛନ୍ତି । ଭାରତୀୟ ସ୍କିମର ଭାରତ ଓ ପାକିସ୍ତାନରେ ଦେଖାଯାଇଥାନ୍ତି ।
ଏମାନେ ନଦୀ ବାଲିରେ ଅଣ୍ଡା ଦେଉଥିବା ବେଳେ କଖଡ଼ି ଓ ମୁଣ୍ଡଳିକୁ ନିଜ ପାଇଁ ବାଛିଥାନ୍ତି ।
ହେଲେ ଆମେ ଏ ବର୍ଷ ବର୍ତ୍ତମାନ ସୁଦ୍ଧା କେବଳ କଖଡ଼ିରେ ସ୍କିମରଙ୍କୁ ଦେଖିବାକୁ ପାଇଛୁ । ଆଜି ପକ୍ଷୀ ଗଣନା ବେଳେ ଏହି ସଂଖ୍ୟା ୨୬୧ ଥିବା ଜଣାଯାଇଛି ।
ଭାରତୀୟ ସ୍କିମର ବିରଳ ପ୍ରଜାତିର ହୋଇଥିବାରୁ ଆମେ ଏମାନଙ୍କ ସୁରକ୍ଷା ପାଇଁ ଆଠଗଡ଼ ବନଖଣ୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛୁ ।
ଏମାନଙ୍କୁ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର କଞ୍ଜରଭେସନ୍ ଅଫ୍ ନେଚର (ଆଇୟୁଏନସି) ଦ୍ୱାରା ଏହାକୁ ଲୁପ୍ତପ୍ରାୟ ପକ୍ଷୀ ଭାବେ ଘୋଷଣା କରାଯାଇଛି ।
ରବିବାର ଆଠଗଡ଼ ବନଖଣ୍ଡରେ ପକ୍ଷୀ ଗଣନା ହୋଇଥିବା ବେଳେ ୫ଟି ରେଞ୍ଜରୁ ବନ ବିଭାଗକୁ ୨୪ ହଜାର ୬୮ ପକ୍ଷୀ ଚିହ୍ନଟ ହୋଇଛନ୍ତି ।
ଆଠଗଡ଼ ବନାଞ୍ଚଳ ତରଫରୁ ଅଂଶୁପା ହ୍ରଦ, ମୁଣ୍ଡଳୀ, ଅମକେଇକୁଦ, ଯମୁନାବନ୍ଧ, ରାମ୍ପେଇ ପାଟ, ସୁଣ୍ଠିପାଳ ଇତ୍ୟାଦି ଜାଗାରେ ପକ୍ଷୀ ଗଣନା ହୋଇଥିଲା ।
ଗଣନା କାର୍ଯ୍ୟରେ ମୋଟ ୫୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ ।
ବଡ଼ମ୍ବାରେ ୩୬୫୧ ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ଖୁଣ୍ଟୁଣିରେ ୩୦୨୧, ଆଠଗଡ଼ରୁ ୮୨୪୫, ନରସିଂହପୁର ପୂର୍ବାଞ୍ଚଳରୁ ୨୮୩୦, ନରସିଂହପୁର ପଶ୍ଚିମାଞ୍ଚଳରେ ୨୬୭୦ ପକ୍ଷୀ ଗଣନା ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply