ଭୁବନେଶ୍ୱର, ଅଗଷ୍ଟ ୧୨ (ଲୋକାଲ ୱାୟାର) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଚିତ୍ରା ପଞ୍ଚାୟତର ଏକ ଗ୍ରାମରୁ ଜଣେ ଆଦିବାସୀ ନାବାଳିକାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (ନ୍ୟାଶନାଲ କମିଶନ ଫର ସଡ୍ୟୁଲ୍ଡ ଟ୍ରାଇବ୍) ।
ବିଜେପି ରାଜ୍ୟ ସଭାନେତ୍ରୀ ସୁକେଶୀ ଓରାମ ଓ ଅନ୍ୟ ନେତାଙ୍କ ଆବେଦନ ବିଚାର କରି ଘଟଣାର ସ୍ୱତନ୍ତ୍ର ନିରପକ୍ଷେ ତଦନ୍ତ କରିବା ସହିତ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମଙ୍ଗଳବାର ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ କମିଶନ ଚିଠି ଲେଖିଛି ।
ସୂଚନା ଅନୁସାରେ, ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ପୁଲିସ ଦର୍ଶାଉ ଥିବା ବେଳେ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ବିଭିନ୍ନ ସଙ୍ଗଠନ ଅଭିଯୋଗ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୧ରେ ନାବାଳିକାଙ୍କ ମୃତଦେହ ମିଳିଥିଲା । ଏହାର ପୂର୍ବ ଦିନ ରାତିରେ ସେ ପରିସ୍ରା ପାଇଁ ଘର ବାହାରକୁ ଯାଇ ଆଉ ଫେରି ନ ଥିଲେ ।
ପରଦିନ ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ତାଙ୍କର ପୋଷାକ ଚିରିଯାଇଥିଲା ।
ତାଙ୍କୁ ବଳତ୍କାର ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।
ଏହି ଘଟଣାରେ ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ) ଅନୁଯାୟୀ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା ।
ସ୍ଥାନୀୟ ପ୍ରଶାସନ ଓ ପୁଲିସ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ବିଜେପି ରାଜ୍ୟ ସଭାନେତ୍ରୀ ସୁକେଶୀ ଓରାମ ଓ ଅନ୍ୟ ନେତା ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ବିରୋଧରେ ଏସ୍ସି ଏସ୍ଟି ଆଟ୍ରୋସିଟି ଆକ୍ଟ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ, ଘଟଣାର ନିରପେକ୍ଷ ତଦନ୍ତ ଏବଂ ନାବାଳିକାଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ କରିବା ପାଇଁ ସେମାନେ ଦାବି କରିଥିଲେ ।
ଲୋକାଲ ୱାୟାର
Leave a Reply