ଭୁବନେଶ୍ୱର, ଫେବ୍ରୁଆରୀ ୪(ଲୋକାଲ ୱାୟାର): ରାଜ୍ୟର ଜନଜାତିଙ୍କ ଜୀବିକାର୍ଜନର ପନ୍ଥା ବାହାର କରିବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମର ସଫଳତାର ଚିତ୍ର ପ୍ରତିଫଳିତ ହୋଇଛି ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ ।
ଉଲ୍ଲେଖଯୋଗ୍ୟ, ସରକାର ଗତ କିଛି ବର୍ଷ ହେଲା ଆଦିବାସୀଙ୍କ କଲ୍ୟାଣ ନିମନ୍ତେ ଦୁଇଟି ବଡ଼ କାର୍ଯ୍ୟକ୍ରମ ଜନଜାତି ଅଧ୍ୟୁଷିତ ଜିଲ୍ଲା ଗୁଡିକରେ କାର୍ଯ୍ୟକାରୀ କରୁଛନ୍ତି ।
ଓଡ଼ିଶା ଆଦିବାସୀ ସଶକ୍ତିକରଣ ଓ ଜୀବିକା ଅର୍ଜନ ପ୍ଲସ୍ ନାମରେ ଏକ ଯୋଜନା ୨୦୧୧ ମସିହାରେ ପ୍ରଥମେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଏବେ ଆଉ ଆଠଟି ଜିଲ୍ଲା ନବରଙ୍ଗପୁର, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।
ସଶକ୍ତିକରଣ ଦିଗରେ ଜନଜାତିଙ୍କ ଦକ୍ଷତା ବୃଦ୍ଧି, ଜୀବିକାର ଉନ୍ନତିକରଣ ଓ ଉନ୍ନୟନ ମୂଳକ ପାଣ୍ଠିର ବ୍ୟବସ୍ଥା କରିବା ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ।
ସେହିପରି ରାଜ୍ୟର ଜନଜାତି ମାନଙ୍କର ଜୀବନ ଜୀବିକାରେ ପରିବର୍ତନ ଆଣିବାକୁ ୨୦୧୬-୧୭ ମସିହାରୁ ‘ଓଡ଼ିଶା ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ’ ନାମରେ ଆଉ ଏକ ଯୋଜନା ହାତକୁ ନିଆଯାଇଛି ।
ଏହି କାର୍ଯ୍ୟକ୍ରମରେ କୃଷି ଉନ୍ନୟନ ପାଣ୍ଠି (ଆଇ.ଏଫ୍.ଏ.ଡି) ସହାୟତାର ହାତ ବଢ଼ାଇଛି ।
ଚିହ୍ନଟ ହୋଇଥିବା ୧୩ ପ୍ରକାର ଆଦିବାସୀ ସଂପ୍ରଦାୟ ପାଇଁ ୧୭ଟି ଅଣୁ ପ୍ରକଳ୍ପ ଉନ୍ନୟନ ସଂସ୍ଥା ଗଠିତ ହୋଇଛି ଏବଂ ଏହି ସଂସ୍ଥା ଗୁଡିକ ୧୨ଟି ଜିଲ୍ଲାରେ କାର୍ଯ୍ୟ କରୁଛି ।
ଏହି ଦୁଇଟି କାର୍ଯ୍ୟକ୍ରମର ଆର୍ଥିକ ସହାୟତାରେ ବିକଶିତ ବିଭିନ୍ନ ଆଦିବାସୀ ଉନ୍ନୟନ ସଂସ୍ଥା ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀ ଗୁଡିକୁ ଧରି ଆସିଛନ୍ତି ଏହି ମେଳାକୁ ।
ଲୋକାଲ ୱାୟାର
Leave a Reply