ଭୁବନେଶ୍ୱର, ଫେବ୍ରୁଆରୀ ୨(ଲୋକାଲ ୱାୟାର): ଗତ ସାଧାରଣତନ୍ତ୍ର ଦିବସରୁ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ରାଜଧାନୀବାସୀଙ୍କର ଅତି ପରିଚିତ ଆଦିବାସୀ ମେଳା ଆଜି ଅଷ୍ଟମ ଦିନରେ ପହଞ୍ଚିଛି ।
ମହାମାରୀ କରୋନାକୁ ଦୃଷ୍ଟିରେ ରଖି କିଛିଟା କଡ଼ା କଟକଣା ମଧ୍ୟରେ ଏ ବର୍ଷର ମେଳା ଅ୍ରାୟୋଜିତ ହୋଇଥିଲେ ହେଁ ତାହା ଦର୍ଶକଙ୍କ ଆଗ୍ରହକୁ କୌଣସି ପ୍ରକାରେ କମାଇ ପାରି ନାହିଁ ।
ପ୍ରତିଦିନ ଆବାଳ-ବୃଦ୍ଧ-ବନିତାଙ୍କ ସୁଅ ଛୁଟି ଚାଲିଛି ମେଳା ପରିସରରେ ଖୋଲିଥିବା ମଣ୍ଡପ ଆଡ଼କୁ ।
ଗତ ସାତ ଦିନର କାରବାରକୁ ସମୀକ୍ଷା କଲେ ମନେ ହେଉଛି ଯେପରି ଦିନକୁ ଦିନ ଦର୍ଶକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ।
ମେଳାର ଅଧିକାଂଶ ଷ୍ଟଲରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଜୋର୍ ଧରିଥିବା ବେଳେ ଆଦିବାସୀ କଳାବସ୍ତୁ ପ୍ରଦର୍ଶନ ଓ ବିକ୍ରି ମଧ୍ୟ କିଛି କମ୍ ହେଉ ନାହିଁ ।
ଆଦିବାସୀମାନଙ୍କ ଦ୍ୱାରା ସଂଗୃହୀତ ତଥା ପ୍ରସ୍ତୁତ ସାମଗ୍ରୀର ମୌଳିକ ଗୁଣବତ୍ତା ଯୋଗୁଁ ତାହାକୁ କିଣିବା ଲାଗି ଗୃହିଣୀଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖବାକୁ ମିଳୁଛି ।
ମେଳା ବୁଲିବାକୁ ଆସିଥିବା ଜଣେ ଗୃହିଣୀ ତାଙ୍କର ଭାବନା ପ୍ରକାଶ କରି କହିଲେ – ‘ବିନା କୌଣସି ଅପମିଶ୍ରଣରେ ବିଭିନ୍ନ ସାମଗ୍ରୀ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଛି ।
ତେଣୁ ଏହାର ମାନ ବଜାରରେ ମିଳୁଥିବା ଅପମିଶ୍ରିତ ସାମଗ୍ରୀ ଠାରୁ ବହୁତ ଉନ୍ନତ ରହୁଛି । ଜିନିଷ ଗୁଡ଼ିକର ମୂଲ୍ୟ ମଧ୍ୟ କମ୍ ରହୁଛି ।
ଏହାଛଡ଼ା ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଏକ ସ୍ୱତନ୍ତ୍ର ସ୍ୱାଦ ରହିଛି । ସେଥିପାଇଁ ପ୍ରତିବର୍ଷ ଏହି ମେଳାରୁ ଆମେ ହଳଦୀ, ସୋରିଷ, ବଡି, ଆଚାର ଆଦି କିଣିଥାଉ ।
ବିଭିନ୍ନ ଗହଣା ସାମଗ୍ରୀ, ଟସର ଖୋସାରୁ ପ୍ରସ୍ତୁତ ମଠାଶାଢ଼ୀ, କାଠରେ ଅଙ୍କିତ ବିଭିନ୍ନ କଳାକୃତି, ବାଉଁଶ ଓ ପଥର ତିଆରି ସାମଗ୍ରୀ, ଲୌହ ଶିଳ୍ପକଳା ଓ ଟେରାକୋଟା ସାମଗ୍ରୀକୁ ଦର୍ଶକ ପସନ୍ଦ କରୁଛନ୍ତି ।
ଭିନ୍ନ ଭିନ୍ନ ଜନଜାତିଙ୍କ ଜୀବନ ଶୈଳୀ ମେଳାର ଷ୍ଟଲ ଗୁଡିକରେ ପ୍ରତିଫଳିତ ହୋଇଥିବା ବେଳେ ସେମାନଙ୍କ କଳା ପ୍ରାଣତାର ପରିଚୟ ମଧ୍ୟ ମିଳିପାରୁଛି ।
କରୋନା କଟକଣା ଯୋଗୁଁ ଚଳିତ ବର୍ଷର ଆଦିବାସୀ ମେଳାରେ ଖାଦ୍ୟ ପ୍ରାଙ୍ଗଣ ଖୋଲି ନଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ ରଖାଯାଇଛି ।
ଏହା ସତ୍ତ୍ୱେ ରାଜଧାନୀର ଜନସାଧାରଣ ବହୁ ସଂଖ୍ୟାରେ ମେଳା ପରିସରକୁ ଛୁଟିଛନ୍ତି ଏବଂ ମନଭରି ଆନନ୍ଦ ଉପଭୋଗ କରୁଛନ୍ତି, ତାହାର ଏକ ନିଆରା ଦୃଶ୍ୟ ସନ୍ଧ୍ୟାରେ ବେଶ୍ ଉପଲବ୍ଧ ହୋଇଥିଲା ।
ଲୋକାଲ ୱାୟାର
Leave a Reply