ଭୁବନେଶ୍ୱର, ଜାନୁଆରୀ ୩୧(ଲୋକାଲ ୱାୟାର): ରାଜ୍ୟର ସହରରୁ ପଲ୍ଲୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମ ଜନଜାତି ବର୍ଗର ଜୀବନ ଯାତ୍ରାରେ ଆଣିଛି ବଡ଼ ପରିବର୍ତ୍ତନ ।
ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଏହି ଗୋଷ୍ଠୀ କିପରି ସହାୟକ ହୋଇଛନ୍ତି, ତାହାର ନିଖୁଣ ଚିତ୍ର ପ୍ରତିଫଳିତ ହୋଇଛି ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଚଳିତ ବର୍ଷର ଆଦିବାସୀ ମେଳାରେ ।
ଏହି ମେଳାରେ ଯେତେ ଯେଉଁଠି ବେପାର ଓ ବାଣିଜ୍ୟର ପସରା ମେଲିଛି, ସବୁଠି ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସଂଶ୍ଳିଷ୍ଟ ଆଦିବାସୀ ମହିଳାମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାର ଦେଖା ଯାଉଛି ।
ମେଳାର ବିଭିନ୍ନ ମଣ୍ଡପରେ ଆଦିବାସୀ ମହିଳାମାନେ ନିଜ ନିଜ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀ କେବଳ ପ୍ରଦର୍ଶନ କରୁନାହାନ୍ତି, ସେ ସବୁର ଉପଯୋଗିତା ସମ୍ପର୍କରେ ଦର୍ଶକ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଦେଉଛନ୍ତି ।
କଳାହାଣ୍ଡି, କୋରାପୁଟ, କନ୍ଧମାଳ, ମାଲକାନଗିରି, କେନ୍ଦୁଝର ଓ ମୟୁରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରୁ ଆସିଥିବା ବହୁ ପ୍ରକାର ସାମଗ୍ରୀ ମେଳାରେ ଉପଲବଧ ହେଉଛି ।
ପୂର୍ବ ବର୍ଷ ଗୁଡ଼ିକରେ ଆଦିବାସୀ ମେଳାରେ ଜନଜାତି ବର୍ଗଙ୍କ ଦ୍ୱାରା ଉତ୍ପାଦିତ ଜଙ୍ଗଲଜାତ ସାମଗ୍ରୀ ବିଶେଷ କରି ବିଶୁଦ୍ଧ ମହୁ, ହରିଡ଼ା, ବାହାଡ଼ା, ଝୁଣା, ମାଣ୍ଡିଆ, ସୋରିଷ, ଡାଲି, ବିରି, କୋଳଥ ଆଦିର ବହୁଳ ବିକ୍ରିବଟା ଚାଲିଥିଲା ।
କିନ୍ତୁ ଏବେ ପରିସ୍ଥିତିରେ ଦ୍ରୁତ ପରିବର୍ତନ ଘଟିଛି ଏବଂ ଗାଁ ଗାଁରେ ଗଢ଼ି ଉଠିଛି ସ୍ୱୟଂ ସହାୟକ ଗୋଷ୍ଠୀ । ଏହା ଦ୍ୱାରା ଆଦିବାସୀ ମହିଳାମାନେ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ ହେବାକୁ ଚଳାଇ ରଖିଛନ୍ତି ଅବିରତ ସଂଗ୍ରାମ ।
ଅନ୍ୟାନ୍ୟ ପାରମ୍ପରିକ ସାମଗ୍ରୀର ଉତ୍ପାଦନ ସହ ତାଳ ଦେଇ ଆଜି ସେମାନେ ମନ ବଳାଇଛନ୍ତି ପିତଳ ଗହଣା, ଧୂପକାଠି, ବେତ ତିଆରି ଜିନିଷପତ୍ର, ଆଚାର, ବଢ଼ି ଆଦି ସାମଗ୍ରୀ ଗୁଡ଼ିକର ପ୍ରସ୍ତୁତି ଆଡ଼କୁ ।
ସେହି ସବୁ ସାମଗ୍ରୀ ଗୁଡିକୁ ସାଙ୍ଗରେ ନେଇ ସୁଦୂର ଗ୍ରାମ ଅଞ୍ଚଳରୁ ସେମାନେ ଧାଇଁ ଆସିଛନ୍ତି ଆଦିବାସୀ ପ୍ରଦର୍ଶନୀ ପଡ଼ିଆକୁ ।
ପଶ୍ଚିମ ଓଡ଼ିଶାର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ଏକାଠି ହୋଇ ଧାନକୁ ସିଝାଇ ଢିଙ୍କିରେ କୁଟି ପ୍ରସ୍ତୁତ କରିଛନ୍ତି ଚାଉଳ, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପାଦେୟ ।
କୋଳଥ, ମୁଗ, ବିରି ଆଦିକୁ ଭାଜି ଡାଲି ତିଆରି କରନ୍ତି । ପ୍ରସ୍ତୁତ ହୋଇଥିବା ଚାଉଳ ଓ ଡାଲିକୁ ପ୍ୟାକେଟରେ ଭର୍ତ୍ତି କରି ବଜାରରେ ବିକ୍ରି କରନ୍ତି ।
ସେମାନଙ୍କର ମାସିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥାଏ । ବର୍ତ୍ତମାନ ଚାଲିଥିବା ଆଦିବାସୀ ମେଳାକୁ ସେମାନେ ପ୍ରାୟ ଦେଢ଼ଲକ୍ଷ ଟଙ୍କାର ଜିନିଷପତ୍ର ଆଣିଛନ୍ତି ।
ଆଦିବାସୀ ମେଳା ଜନଜାତି ମହିଳାଙ୍କୁ ଆର୍ଥକ ଦିଗରୁ ସ୍ୱାବଲମ୍ବୀ କରିବାକୁ ଏକ ବଳିଷ୍ଠ ମାଧ୍ୟମ ବୋଲି ସେମାନେ ମତ ଦିଅନ୍ତି ।
ଲୋକାଲ ୱାୟାର
Leave a Reply