ଜଗତସିଂହପୁର, ଫେବ୍ରୁଆରୀ ୯(ଲୋକାଲ ୱାୟାର): ରାସନ କାର୍ଡ ସହ ଆଧାର ସଂଯୋଗ ହୋଇନଥିବାରୁ ବିଭିନ୍ନ କଲ୍ୟାଣମୂଳକ ଯୋଜନାରୁ ବାଦ ପଡିଛନ୍ତି ଜଗତସିଂହପୁର ଜିଲ୍ଲାର ଶହ ଶହ ହିତାଧିକାରୀ ।
ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ କାର୍ଡ ସଂଯୋଗ ହୋଇନଥିବାରୁ ଦୁଇ ବର୍ଷ ହେଲା ରାସନ ସାମଗ୍ରୀ ମିଳୁନାହିଁ ।
ପିଲାମାନେ ଅନେକ ସମୟରେ ଉପାସରେ ରହୁଥିବା କହିଛନ୍ତି ନାଉଗାଁ ବ୍ଲକ ଡାବର ଗାଁର କାମିନୀ ସେଠି ।
ସେହିପରି ପରିବାରରେ ପାଞ୍ଚ ସଦସ୍ୟ ଥିଲେ ବି ଆଧାର ସଂଯୋଗ ହୋଇନଥିବାରୁ ମାତ୍ର ଦୁଇ ସଦସ୍ୟଙ୍କୁ ଚାଉଳ ମିଳୁଛି ବୋଲି କହିଛନ୍ତି ପପିତା ବେହେରା ।
ପିଡିଏସ ଡିଲରଙ୍କ ଅବହେଳା ଯୋଗୁଁ କାର୍ଡ ସଂଯୋଗୀକରଣ ବିଳମ୍ବିତ ହୋଇଥିଲା । ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ନିଆଯାଇଛି ।
ଖୁବଶୀଘ୍ର ହିତାଧିକାରୀମାନେ ରାସନ ସାମଗ୍ରୀ ପାଇବେ ବୋଲି ଡାବର ପଂଚାୟତର ସରପଂଚ ଡମ୍ବରୁଧର ସ୍ୱାଇଁ କହିଛନ୍ତି ।
ସେପଟେ ୱେବସାଇଟ ଖୋଲୁ ନଥିବା ଆଳ ଦେଖାଇ ବାଲିକୁଦା ବ୍ଲକର ପ୍ରାୟ ୧୨ ହଜାର ୬ଶହ ହିତାଧିକାରୀଙ୍କୁ ରାସନ ସାମଗ୍ରୀରୁ ବଂଚିତ କରାଯାଉଛି ।
ଅସହାୟ, ଭିନ୍ନକ୍ଷମଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ବାଲିକୁଦା ବ୍ଲକ ସରପଂଚ ସଂଘ ସଭାପତି ନିରଞ୍ଜନ ପଣ୍ଡା ।
୯୦ ପ୍ରତିଶତ ଆଧାର ସଂଯୋଗୀକରଣ ହୋଇସାରିଛି । ବାକି କାମ ଶୀଘ୍ର ସରିବ ଓ ହିତାଧିକାରୀମାନେ ସୁରୁଖୁରୁରେ ରାସନ ସାମଗ୍ରୀ ପାଇପାରିବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକରା କହିଛନ୍ତି ।
ଲୋକାଲ ୱାୟାର
Leave a Reply