ଭୁବନେଶ୍ୱର, ଡିସେମ୍ବର ୨(ଲୋକାଲ ୱାୟାର): କରୋନା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆୟୋଜନ କରୁଛି ଆନ୍ତର୍ଜାତିକ କୋଣାର୍କ ଓ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ।
କରୋନା କଟକଣା ଯୋଗୁଁ ଦେଶରେ କେଉଁଠି ଏତେ ବଡ଼ ଆୟୋଜନ ହୋଇନଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ବିରାଟ ଆୟୋଜନ ହେବା କଳା ଓ କଳାକାରଙ୍କ ପ୍ରତି ବଡ଼ ସମ୍ମାନ ।
କୋଣାର୍କରେ ଆୟୋଜିତ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବଠାରୁ ଆରମ୍ଭ କରି ବାଲୁକା କଳା ମହୋତ୍ସବ ଯାଏଁ ସବୁଠି ଦେଖିବାକୁ ମିଳିଛି କରୋନା ସଚେତନତାର କଥା ।
ରାଜ୍ୟ ପର୍ଯ୍ୟଟନ ବିଭାଗଠାରୁ ଆରମ୍ଭ କରି କାର୍ଯ୍ୟକ୍ରମେର ଭାଗ ନେଇଥିବା ପ୍ରତିଯୋଗୀ ଯାଏଁ; ସମସ୍ତେ ନିଜ ନିଜର ସୃଜନାତ୍ମକ ସୃଷ୍ଟିରେ କରୋନା ସଚେତନତାର କଥା ପ୍ରସ୍ପୁଟିତ କରିଛନ୍ତି ।
ବାଲୁକା କଳା ମହୋତ୍ସବରେ ଚଳିତ ବର୍ଷ ସାରା ଦେଶରୁ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଉଦ୍ଘାଟନୀ ଉତ୍ସବରେ ସମସ୍ତଙ୍କ ସୃଜନାତ୍ମକ ସୃଷ୍ଟିରେ ଦେଖିବାକୁ ମିଳିଛି କରୋନା କାହାଣୀ ।
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ବାଲୁକା କଳା ମହୋତ୍ସବର ପ୍ରତିଟି ବାଲୁକା ଶିଳ୍ପରେ ଠିକ୍ ଭାବେ ମାସ୍କ ପରିଧାନ, ମାସ୍କ ଦ୍ୱାରା କରାନାରୁ ମୁକ୍ତି, ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ରକ୍ଷା ଭଳି ପ୍ରସଙ୍ଗକୁ ସ୍ଥାନିତ କରାଯାଇଛି ।
ଜନସାଧାରଣଙ୍କୁ ଏ ଦିଗରେ ସମସ୍ତ ନୀତି ନିୟମକୁ ମାନିବାକୁ ସୃଜନାତ୍ମକ ଢ଼ଙ୍ଗରେ ଅପିଲ ମଧ୍ୟ କରିଛନ୍ତି ବାଲୁକା କଳା ଶିଳ୍ପୀ ।
କେବଳ ସେତିକି ନୁହେଁ ଚଳିତ ବର୍ଷ ଆୟୋଜିତ ଆନ୍ତର୍ଜାତିକ କୋଣାର୍କ ମହୋତ୍ସବରେ ମଧ୍ୟ କରୋନା କଟକଣାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।
ପ୍ରବେଶ ପଥଠାରୁ ଷ୍ଟେଜ୍ ଯାଏଁ ସବଠି ଷ୍ଟାଣ୍ଡିଂ ପୋଷ୍ଟର ଦ୍ୱାରା ମାସ୍କ ପରିଧାନ, ନିୟମିତ ବ୍ୟବଧାନରେ ହାତ ସାନିଟାଇଜ୍ କରିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।
ଏହାସହ ଷ୍ଟେଜ୍, ଶିଳ୍ପୀମାନଙ୍କ ପାଇଁ ପ୍ରସ୍ତୁତ ଘର, ଦର୍ଶକ ଗ୍ୟାଲେରୀ, ନୃତ୍ୟ ମଣ୍ଡପ ଆଦିକୁ ସାନିଟାଇଜ୍ କରାଯାଉଛି । ବିଭାଗର ଏ ତତ୍ପରତାକୁ ନେଇ ଆସିଥିବା ନୃତ୍ୟଶିଳ୍ପୀମାନେ ବେଶ ଖୁସି ଥିବା ବ୍ୟକ୍ତ କରିଛନ୍ତି ।
ଏ ବାବଦରେ ବରିଷ୍ଠ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିଲା ଟ୍ୱିଟ୍ ଉନ୍ନିକ୍ରିଷ୍ଣନ୍ କହିଛନ୍ତି, ସାରାଦେଶ କରୋନା କବଳରେ ଥିବା ସତ୍ତ୍ୱେ ଆମେ ନୃତ୍ୟଶିଳ୍ପୀମାନେ ବିନା ସମସ୍ୟାରେ ଚେନ୍ନାଇରୁ ଓଡ଼ିଶା ଆସି ପହଞ୍ଚିଛୁ ।
ଏଦିଗରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆମକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରାଯାଇଛି । ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ଖୁବ୍ ସୁନ୍ଦର ଭାବେ ଆୟୋଜନ କରାଯାଇଛି ।
ବିଭାଗୀୟ ଅଧିକାରୀମାନେ ଆମମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଯାହାକି ଆମକୁ ସୁରକ୍ଷିତ ବାତାବରଣ ଦେଇଛି ।
ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ମଧ୍ୟ କରୋନା କଟକଥା ସତ୍ତ୍ୱେ ବିଭାଗର ଏଭଳି ଆୟୋଜନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କଳାକାର ପାଇଁ ମଞ୍ଚଟିଏ ଦରକାର ।
ଚାରିଆଡ଼େ କରୋନା ଯୋଗୁଁ ସବୁ ବନ୍ଦ ଥିବା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆମମାନଙ୍କ ପାଇଁ ଏଭଳି ଏକ ଆୟୋଜନ କରିବା ସବୁଠାରୁ ବଡ଼ କଥା ।
ଏହା ନିଶ୍ଚିତ ଭାବେ ସାରା ଦେଶରେ କୋଣାର୍କ ନୃତ୍ୟ ମହୋତ୍ସବ ଦ୍ୱାରା ଏକ ଉଦାହରଣ ସୃଷ୍ଟି କଲା ।
ଲୋକାଲ ୱାୟାର
Leave a Reply