ଭୁବନେଶ୍ୱର, ନଭେମ୍ବର ୨୯(ଲୋକାଲ ୱାୟାର): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ପ୍ରୟାସରେ ଗତ ଅଗଷ୍ଟ ୧୫ରୁ ଚାଲିଥିବା ଆମ ଘର ଆମ ହାଣ୍ଡିଶାଳ ରୋଷେଇ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ରବିବାର ଅନୁଷ୍ଠିତ ହୋଇଯାଇଛି ।
ବିଚାରକମଣ୍ଡଳୀର ନିଷ୍ପତ୍ତି ଆଧାରରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ପୁରସ୍କୃତ କରାଯିବା ସହ ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଛି ।
ପ୍ରାୟ ୪ମାସ ଧରି ଚାଲିଥିବା ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆଜି ଅନୁଷ୍ଠିତ ହୋଇଥିଲା ।
ଫାଇନାଲ ରାଉଣ୍ଡକୁ ମୋଟ ୬ଜଣ ପ୍ରତିଯୋଗୀ ମମତା ମହାପାତ୍ର, ପ୍ରତିଭାପ୍ରିତୀ ପଣ୍ଡା, ଦେବଯାନୀ ଦାସ, ମିନାକ୍ଷୀ ମିଶ୍ର, ଶୀତଳସ୍ନିଗ୍ଧା ମହାରଣା ଓ ସାଗରିକା ରାୟଙ୍କୁ ଚୟନ କରାଯାଇଥିଲା ।
ଶେଷରେ ୩ଜଣ ପ୍ରତିଯୋଗୀଙ୍କୁ ବିଜୟୀ ଘୋଷଣା କରାଯାଇଛି । ଭୁବନେଶ୍ୱରସ୍ଥିତ ବରମୁଣ୍ଡାର ତ୍ରିଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଦେବଯାନୀ ଦାସ ମାଣ୍ଡିଆରେ ସୁସ୍ୱାଦୁ ପିଠା ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ମାଣ୍ଡିଆ ତମ୍ପା ପିଠା କରି ପ୍ରତିଭାପ୍ରିତୀ ପଣ୍ଡା ପ୍ରଥମ ରନର୍ସଅପ୍ ଓ ମାଛ ଆମ୍ବିଳ ପାଇଁ ସାଗରିକା ରାୟ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି ।
ବିଜୟୀ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୨୫ହଜାର ଟଙ୍କା ପୁରସ୍କାର ରାଶି ସହ ରୁଚି କମ୍ପାନୀ ପକ୍ଷରୁ ଗିଫ୍ଟ ହାମ୍ପର ଓଟିଡିସି ପକ୍ଷରୁ ହଲିଡେ ଟୁର୍ ପ୍ୟାକେଜ୍ ମଧ୍ୟ ପ୍ରଦାନ କରାଯାଇଛି ।
ସେହିପରି ପ୍ରଥମ ଓ ଦ୍ୱିତୀୟ ରନର୍ସଅପଙ୍କୁ ଯଥାକ୍ରମେ ୧୫ହଜାର ଓ ୧୦ହଜାର ଟଙ୍କାର ପୁରସ୍କାର ରାଶି ସହ ରୁଚି କମ୍ପାନୀର ଗିଫ୍ଟ ହାମ୍ପର ଏବଂ ଓଟିଡିସି ପକ୍ଷରୁ ହଲିଡେ ଟୁର୍ ପ୍ୟାକେଜ୍ ପ୍ରଦାନ କରାଯାଇଛି ।
ଏହି ଗ୍ରାଣ୍ଡ ଫିନାଲେ ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।
ସୂଚନାଯୋଗ୍ୟ, ଏହି ପ୍ରତିଯୋଗିତା ଲାଗି ୧ହଜାରରୁ ଅଧିକ ଆବେଦନ ଆସିଥିଲା । ସେଥିରୁ ୪୦ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇ ଦୂରଦର୍ଶନରେ ପ୍ରତି ଶନିବାର ଓ ରବିବାର ଅପରାହ୍ନ ସାଢ଼େ ୧ଟାରୁ ସାଢ଼େ ୨ଟା ପର୍ଯ୍ୟନ୍ତ ସେମାନଙ୍କୁ ରୋଷେଇ କଳାରେ ନିଜ ଦକ୍ଷତା ପ୍ରଦର୍ଶନ ଲାଗି ସୁଯୋଗ ମିଳିଥିଲା । ଦୂରଦର୍ଶନରେ ପ୍ରସାରିତ ଏହି କାର୍ଯ୍ୟକ୍ରମକୁ ଅନେକ ସେଲିବ୍ରିଟି ମଧ୍ୟ ଆସିଥିଲେ ।
ଲୋକାଲ ୱାୟାର
Leave a Reply