ଭୁବନେଶ୍ୱର, ଅଗଷ୍ଟ ୨୩(ଲୋକାଲ ୱାୟାର): ନୂଆଁଖାଇ ପରବ୍ ସବକର୍ ପରବ୍ । ନୂଆଁ ଖାଇଲେ ହେସି ନୂଆ ନୂଆ ଚିନ୍ତା, ନୂଆ ଆଶା ମାଁ ସମଲେଇ ଦେସି ଆସିରବାଦ୍ ।
ସମକୁ ନୂଆଁଖାଇ ଜୁହାର । ଓଡ଼ିଶାର କୃଷିଭିତ୍ତିକ ଏକ ଅନନ୍ୟ ପର୍ବ ନୂଆଁଖାଇ । ଯାହା ବିଶେଷକରି ପଶ୍ଚିମ ଓଡ଼ିଶାରେ ପାଳିତ ହୋଇଥାଏ ।
ଏହି ଅବସରରେ ମା’ ସମଲେଇଙ୍କ ସମେତ ଅନ୍ୟାନ୍ୟ ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ ।
ଘରର ବଡ଼ ତଥା ମୁରବୀଶ୍ରେଣୀୟ ଲୋକ ମା’ଙ୍କ ପାଖରେ ନବାନ୍ନ ଲାଗି କଲା ପରେ ସମସ୍ତେ ସମସ୍ତଙ୍କୁ ଜୁହାର ହୋଇ ଖୁସିରେ ଏକାଠି ବସି ନୂଆ ଖାଇଥାନ୍ତି ।
ଯଦିଓ ଏହା ପଶ୍ଚିମ ଓଡ଼ିଶାରେ ପାଳିତ ହୋଇଥାଏ କିନ୍ତୁ ଆମ ସେଲିବ୍ରିଟିମାନେ ନୂଆଁଖାଇ ଜୁହାର କହିବାକୁ ଭୁଲି ନାହାନ୍ତି ।
ସମସ୍ତେ ଜୁହାର କରିବା ସହ ସୋସିଆଲ୍ ମିଡିଆ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ବସ୍ତ୍ର ପରିଧାନ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ସମ୍ବଲପୁରୀ ପୋଷାକ ପିନ୍ଧି ନୂଆଁଖାଇରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ସେହିପରି ଅଭିନେତା ମନୋଜ ମିଶ୍ର, ଶ୍ରୀତମ୍ ଦାସ, ଆକାଶ ଦାସନାୟକ, ସ୍ୱରାଜ ବାରିକ, ରାଜେଶ ପଣ୍ଡା, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ, ନିହାରିକା ଦାଶ, ଗୁନଗୁନ୍ ପ୍ରମୁଖ କଳାକାର ନୂଅାଁଖାଇ ଗଣପର୍ବକୁ ପାଳନ କରିବା ସହ ଜୁହାର ହୋଇଛନ୍ତି ।
ଚିତ୍ରଶିଳ୍ପୀ, ଅଭିନେତା ଚିନ୍ତାମଣି ବିଶ୍ୱାଳ ପରିବାର ସହ ନୂଆଁଖାଇ ପାଳିଛନ୍ତି ।
ଏହି ଅବସରରେ ଅଭିନେତା ସ୍ୱରାଜ ଟ୍ୱିଟର୍ ଆକାଉଣ୍ଟରେ ନିଜର ଏକ ଫଟୋକୁ ପୋଷ୍ଟ କରି ଲେଖିଛନ୍ତି, ନୂଆଁଖାଇ ଧାନ୍ କେ ନୂଆ ମୋନ୍ ବୋନେ ବୋନେ ଥାଉନ୍ ଆପଣ୍, ନୂଆଁଖାଇ ବଢ଼କା ତିହାର୍, ଆପଣମାନକେ ମୋର୍ ନୂଆଁଖାଇ ଜୁହାର ।
ଅଭିନେତ୍ରୀ ଅନୀଶା ମଧ୍ୟ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହିପରି କିଛି ଲେଖି ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ।
ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏକ ଭିଡିଓ ଜାରି କରି ନୂଆଁଖାଇ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଅଭିନେତ୍ରୀ ତଥା ନେତ୍ରୀ ଏଲିନା ଦାସ ମଧ୍ୟ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ।
ଏଭିତରେ ବାଦ୍ ପଡ଼ି ନାହାନ୍ତି ବିଶ୍ୱ ପ୍ରସିଦ୍ଧ ବାଲୁକା କଳା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ସବୁ ପର୍ବପର୍ବାଣୀ ପରି ନୂଆଁଖାଇରେ ମଧ୍ୟ ବାଲୁକା କଳାରେ ସୁନ୍ଦର କଳାକୃତି ପ୍ରସ୍ତୁତ କରି ନୂଆଁଖାଇ ଜୁହାର କରିଛନ୍ତି ।
ଏହିଭଳି ଭାବେ ସଂସ୍କୃତି କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ସେଲିବ୍ରିଟିମାନେ ନୂଆଁଖାଇକୁ ନିଜ କଳା ମାଧ୍ୟମରେ ମନେପକାଇଛନ୍ତି ଏବଂ କରୋନା କଟକଣା ମଧ୍ୟରେ ରହି ଓଡ଼ିଶାର ସଂସ୍କୃତିକୁ ସୋସଆଲ୍ ମିଡିଆ ମାଧ୍ୟମରେ ପ୍ରାଣବନ୍ତ କରିଛନ୍ତି ।
ଲୋକାଲ ୱାୟାର
Leave a Reply