ଯାଜପୁର, ମାର୍ଚ୍ଚ ୩୦ (ଲୋକାଲ ୱାୟାର): ଆରଟିଆଇ କର୍ମକର୍ତ୍ତା ଓ ବିଜେପି ନେତା ସର୍ବେଶ୍ୱର ବେଉରାଙ୍କ ଉପରେ ବୋମାମାଡ ଘଟଣାକୁ କେନ୍ଦ୍ର କରି ଯାଜପୁର ରାଜନୀତି ସରଗରମ ହେବାରେ ଲାଗିଛି ।
ବୋମାମାଡ ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ କିଛି ବରିଷ୍ଠ ବିଜେଡି ନେତାଙ୍କ ସଂପୃକ୍ତି ଥିବା ନେଇ ବିଜେପି ନେତା ଓ ଆରଟିଆଇ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ।
ଗତବର୍ଷ ବେଉରା କେଳୁଆ ନଦୀରେ ରାମପୁର ଘାଇକୁ ଧର୍ମଶାଳା ବିଧାୟକ ଓ ଜଣେ ଇଞ୍ଜିନିୟର ବିସ୍ଫୋରକ ବ୍ୟବହାର କରି ଭାଙ୍ଗିଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ନିଦେ୍ର୍ଦଶ ଦେଇଛନ୍ତି । ଶନିବାର ରାତିରେ ସର୍ବେଶ୍ୱର ନିଜ ସହଯୋଗୀଙ୍କ ସହ ଘରକୁ ଫେରୁଥିବା ବେଳେ ଧର୍ମଶାଳା ଥାନା ଅନ୍ତର୍ଗତ ଇମାମ ନଗରରେ କିଛି ଅଜଣା ଦୃର୍ବୃତ୍ତ ତାଙ୍କ ଉପରକୁ ବୋମାମାଡ କରିଥିଲେ ।
ସେ ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମାମଲାର ତଦନ୍ତ ଚାଲିଛି ବୋଲି ଧର୍ମଶାଳା ଆଇଆଇସି ସରୋଜ କୁମାର ସାହୁ କହିଛନ୍ତି ।
ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଇଙ୍ଗିତରେ ବୋମାମାଡ଼ ହୋଇଥିବା ନେଇ ରବିବାର ଧର୍ମଶାଳା ଥାନାରେ ଏଫଆଇଆର ଦାଖଲ ପରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଘଟଣାରେ ବିଧାୟକଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ।
ଲୋକାଲ ୱାୟାର
Leave a Reply