ଭୁବନେଶ୍ୱର, ଅଗଷ୍ଟ ୧୬(ଲୋକାଲ ୱାୟାର): ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ୍ ମିଶ୍ର ଆଉ ନାହାନ୍ତି ।
୮୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ନିଜର ଛାପ ଛାଡ଼ିଥିବା ଶ୍ରୀ ମିଶ୍ର ଅଗଷ୍ଟ ୧୫ ତାରିଖ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି ।
ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ଗତକାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ସମ ହସ୍ପିଟାଲ ନିଆଯାଇଥିଲା ।
ତେବେ ରାତି ୮ଟାରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀ ମିଶ୍ର ୧୯୫୯ ମସିହା ଜାନୁୟାରୀ ୧୨ ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ମୁମ୍ବାଇରୁ ଚଳଚ୍ଚିତ୍ର ସମ୍ପାଦନରେ ଶିକ୍ଷା ଶେଷ କରି ଓଡିଶା ଫେରି ଆସିଥିଲେ ।
ଆଉ ତାପରେ ପୁଅ ମୋର କଳାଠାକୁର ଚଳଚ୍ଚିତ୍ରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରଦା ପଛରେ ରହୁଥିଲେ ବି ସେ ଥିଲେ ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ଚିହ୍ନାମୁହଁ ।
କେବଳ ଉତ୍ତମ ବ୍ୟବହାର ନୁହେଁ ବରଂ ମାର୍ଜ୍ଜିତ ସମ୍ପାଦନା ଓ ସୃଜନଶୀଳତା ପାଇଁ ସେ କେବେ ପଛକୁ ଫେରି ଦେଖିନାହାଁନ୍ତି ।
ଉଦଣ୍ଡୀ ସୀତା, ଭାଗ୍ୟହାତେ ଡୋରୀ, ଅଣ୍ଟିଛୁରୀ ତଣ୍ଟିକାଟେ, ଗଢ଼ି ଜାଣିଲେ ଘର ସୁନ୍ଦର, ଶ୍ରଦ୍ଧାଞ୍ଜଳି, କଳକୀ ଅବତାର, ଲକ୍ଷେ ଶିବ ପୂଜି ପାଇଛି ପୁଅ, ରଙ୍ଗଭୂମି, ମା’ ଯାହାର ଶାହା, ପଞ୍ଜୁରୀ ଭିତରେ ଶାରୀ, ଯଶୋଦା, ମା, କପାଳ ଲିଖନ, କଳା ମାଣିକ, ଗଙ୍ଗାଯମୁନା, କିଏ କାହାର, ସୁହାଗ ସିନ୍ଦୁର, ସାବିତ୍ରୀ, ପରଦେଶୀ ବାବୁ, କାଶିଆ କପିଳା ଆଦି ସୁପରହିଟ୍ ଚଳଚ୍ଚିତ୍ର ମାଧ୍ୟମରେ ନିଜ ସୃଜନଶୀଳତାର ପରାକାଷ୍ଠା ଦେଖାଇ ପାରିଥିଲେ ।
ତାଙ୍କର ଶେଷ ସିନେମା ଥିଲା ତୁ ମୋ ଶଙ୍ଖା ତୁମୋ ସିନ୍ଦୁର । ନିଜର ବଳିଷ୍ଠ ସମ୍ପାଦନା ଯୋଗୁଁ କାଶିଆ କପିଳା ଓ ପରଦେଶୀ ଚଢ଼େଇ ଭଳି ଚଳଚ୍ଚିତ୍ର ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା ।
ଚଳଚ୍ଚିତ୍ର ବ୍ୟତୀତ ସେ ଅନେକ ଧାରାବାହିକରେ ସମ୍ପାଦନା କରିଥିଲେ । ତାଙ୍କଦ୍ୱାରା ସଦ୍ୟ ସମ୍ପାଦିତ ଗାଁର ନାଁ ଗାଲୁଆପୁର, ତୁ ମୋ ଶଙ୍ଖା ତୁ ମୋ ସିନ୍ଦୁର ଓ କିଛି ୱେବସିରିଜ୍ ଏବେ ମୁକ୍ତି ଅପେକ୍ଷାରେ ରହିଛି ।
ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଆଇଗିଣିଆ ସ୍ଥିତ ଆଳୁଗଦି ବାସଭବନକୁ ଅଣାଯାଇଥିଲା ।
ମରଶରୀର ନିକଟରେ ପତ୍ନୀ ଉର୍ମୀଳା ମିଶ୍ର, ପୁଅ ପ୍ରତୀକ ଓ ଝିଅ ସ୍ୱୟଂସିଦ୍ଧା ଉପସ୍ଥିତ ଥିଲେ । ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା ।
ଲୋକାଲ ୱାୟାର
Leave a Reply