ଜଗତସିଂହପୁର, ଜାନୁଆରୀ ୧୯ (ଲୋକାଲ ୱାୟାର): ଆଳୁ ଗଛରେ ଫଳିଛି ଟମାଟୋ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ।
ଘଟଣାଟି କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ଗାଁର । କଲମି ନହୋଇ ମଧ୍ୟ ଗୋଟିଏ ଗଛରେ ଦୁଇ ପ୍ରକାରର ଫଳ ଫଳିଛି ।
ବଗଦିଆ ଗାଁର ଶଙ୍କର ସ୍ୱାଇଁ କୁଜଙ୍ଗ ହାଟରୁ ଖାଇବା ପାଇଁ ପାଞ୍ଚ କିଲୋ ଆଳୁ କିଣିଥିଲେ ।
ତେବେ ଆଳୁଗୁଡିକ କିଛି ଦିନ ରହିବା ପରେ ସେଥିରୁ ଗଜା ବାହାରିବାରୁ ଶଙ୍କର ତାକୁ ବାଡିରେ ପୋତି ଦେଇଥିଲେ ।
କିଛିଦିନ ପରେ ଗଛରେ ଟମୋଟା ଫଳିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଗାଁଲୋକଙ୍କୁ ଜଣାଇଥିଲେ ।
ଗଛ ମୂଳରେ ଆଳୁ ଓ ଡାଳରେ ଟମାଟୋ ଫଳିବା ଭଳି ଘଟଣା ଜୀବନରେ କେବେ ଦେଖିନଥିଲି ।
ଉଦ୍ୟାନକୃଷି ବିଶେଷଜ୍ଞ ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଏ ସମ୍ପର୍କରେ ଗବେଷଣା କରିବା ଉଚିତ ବୋଲି କହିଛନ୍ତି ବଗଦିଆ ଗାଁର ଚାଷୀ ଶରତ କୁମାର ସ୍ୱାଇଁ ।
କଲମି ବିନା ଆଳୁ ଗଛରେ ଟମାଟୋ ଫଳିବା ସମ୍ଭବ ନୁହେଁ । ତେବେ ଏପରି ଘଟିଥିବାରୁ ପ୍ରକୃତ କାରଣ ଜାଣିବା ପାଇଁ ଗବେଷଣା ହେବା ଦରକାର ।
ବିଭାଗ ତରଫରୁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକଙ୍କ ସହ ଆଲୋଚନା କରାଯାଇଛି ବୋଲି କୁଜଙ୍ଗ ବ୍ଲକର ଉଦ୍ୟାନକୃଷି ଅଧିକାରୀ ସୁଶାନ୍ତ କୁମାର ଦାସ କହିଛନ୍ତି ।
ମୋତେ କଲମି କରିବା ଜଣାନାହିଁ । ଆଳୁ ଗଛରେ ଟମାଟୋ ଫଳିବା ଦେଖି ମାଟି ଖୋଳି ଦେଖିଥିଲି । ଗଛ ମୂଳରେ ଆଳୁ ଓ ଡାଳରେ ଟମାଟୋ ଫଳିଥିଲା ବୋଲି ଶଙ୍କର କହିଛନ୍ତି ।
ଖବର ପ୍ରଚାରିତ ହେବା ପରେ ଆଖପାଖ ପଂଚାୟତର ଲୋକେ ଏହି ଅଦ୍ଭୁତ ଘଟଣା ଦେଖିବାକୁ ଆସୁଛନ୍ତି ।
ଲୋକାଲ ୱାୟାର
Leave a Reply