କେନ୍ଦ୍ରାପଡା, ଫେବ୍ରୁଆରୀ ୨୦(ଲୋକାଲ ୱାୟାର): ଚାହିଦା ଓ ଦାମ କମିଥିବାରୁ ବମ୍ପର ଆଳୁ ଅମଳ କରିଥିବା କେନ୍ଦ୍ରାପଡା ଜିଲ୍ଲାର ଚାଷୀମାନେ ଚିନ୍ତିତ ହୋଇ ପଡିଛନ୍ତି ।
ଅମଳ ଆରମ୍ଭ ବେଳକୁ ଆଳୁ ଦାମ କମିଥିବାରୁ ଚାଷ ଓ ଚାଷୀ ପ୍ରଭାବିତ ହେବେ ବୋଲି କରିଲୋପାଟଣା ଗାଁର ନଗେନ୍ଦ୍ର ଜେନା କହିଛନ୍ତି ।
ଦୁଇ ମାସ ପୂର୍ବେ ଆଳୁ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ଏବେ ପାଂଚ ଟଙ୍କାରେ ବିକ୍ରି ହେଉଥିବାରୁ ଚାଷ ଖର୍ଚ୍ଚ ଉଠିବ ନାହିଁ ବୋଲି ଈଶ୍ୱରପୁର ଗାଁର ଆଳୁ ଚାଷୀ ଅଶୋକ ବେହେରା କହିଛନ୍ତି ।
ଜିଲ୍ଲାରେ ଶୀତଳଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଂଟ ସ୍ଥାପନ କରିବାକୁ କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରିଛୁ ।
କର୍ତୃପକ୍ଷ ଦାବି ଅଣଦେଖା କରିବାରୁ ଚାଷୀ ସଙ୍କଟରେ ଅଛନ୍ତି ବୋଲି କୃଷକ ନେତା ହରିହର ପ୍ରଧାନ କହିଛନ୍ତି ।
ଚଳିତ ବର୍ଷ ପ୍ରାୟ ୪୦ ହଜାର ଟଙ୍କା କ୍ଷତି ହୋଇଥିବା ବେଳେ ଏକ ଲକ୍ଷ ଟଙ୍କା ଋଣ ପଇଠ କରିବାକୁ ପଡିବ ବୋଲି କହନ୍ତି ଚାରି ଏକର ଜମିରେ ଆଳୁ ଚାଷ କରିଥିବା ବହକାଣ୍ଡିଆ ଗାଁର ଅବନୀ ସ୍ୱାଇଁ ।
ଆଳୁ ଚାଷୀ ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି । ଅଭାବୀ ବିକ୍ରିର ଦୁଇ ପ୍ରମୁଖ କାରଣ ହେଲା ବଜାର ଖୋଜିବାରେ ବିଫଳତା ଓ ଶୀତଳଭଣ୍ଡାରର ଅଭାବ ।
କିଲୋ ୫ ଟଙ୍କାରେ ଆଳୁ କିଣି ୭ ଟଙ୍କାରେ ବିକ୍ରି କରୁଛୁ ବୋଲି କହିଛନ୍ତି କେନ୍ଦ୍ରାପଡାର ପରିବା ଦୋକାନୀ ସରାଫତ ଅଲ୍ଲି ।
ତେବେ ଆଳୁ ଦର କମିବାରୁ ଗ୍ରାହକ ଖୁସି ଅଛନ୍ତି । ରାଜ୍ୟକୁ ଆଳୁ ଚାଷରେ ସ୍ୱାବଲମ୍ବୀ କରିବା ପାଇଁ ୨୦୧୫-୧୬ରେ ରାଜ୍ୟ ଆଳୁ ମିଶନ ଆରମ୍ଭ ହୋଇଥିଲା ।
ଏଥିରେ ଉତ୍ପାଦନ, ଭଣ୍ଡାରଣ ଓ ବିତରଣ ସାମିଲ ଥିଲା । ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ ।
ତେବେ ୨୦୧୭-୧୮ ଆର୍ଥିକ ବର୍ଷରେ ୨୦ କୋଟି ଟଙ୍କା ମିଶନ ପାଇଁ ମଞ୍ଜୁର ହୋଇଥିବେ ବେଳେ ୨୦୧୯ରେ ସିଏଜି ରିପୋର୍ଟରେ ରାଜ୍ୟ ସରକାର ଆଳୁ ମିଶନ ପାଇଁ ଉଦ୍ଦିଷ୍ଟ ପାଣ୍ଠିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିନଥିବା ଜଣା ପଡିଥିଲା ।
ରାଜ୍ୟ ସରକାରଙ୍କ ବେପରୱା ମନୋଭାବ ଯୋଗୁଁ ଆଳୁ ଚାଷୀଙ୍କ ସ୍ଥିତି ସଙ୍କଟରେ ବୋଲି କୃଷକ ନେତା ତଥା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା ସଭାପତି ଉମେଶ ସିଂହ କହିଛନ୍ତି ।
ଜିଲ୍ଲାରେ ଶୀତଳଭଣ୍ଡାର ନଥିବାରୁ ଅମଳ ବେଳେ ଚାଷୀମାନେ କିଲୋ ୫ ଟଙ୍କା ଦରରେ ଆଳୁ ବିକୁଛନ୍ତି ।
ଜିଲ୍ଲାରେ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଉଦ୍ୟାନକୃଷି ସହକାରୀ ନିଦେ୍ର୍ଦଶକ କନ୍ଦ ଜେନା ।
ଲୋକାଲ ୱାୟାର
Leave a Reply