ଭୁବନେଶ୍ୱର, ମାର୍ଚ୍ଚ ୧୯(ଲୋକାଲ ୱାୟାର): ଆସନ୍ତାକାଲି ପଖାଳ ଦିବସ । ଏଥିପାଇଁ ରାଜଧାନୀର ବିଭିନ୍ନ ଛୋଟବଡ଼ ହୋଟେଲରେ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି ।

ସହରର ଚାକଚକ୍ୟ ମାଧୁର୍ଯ୍ୟ ଭରା ପରିବେଶରେ ମଧ୍ୟ ସେକାଳ ପଖାଳର ଏବେବି ଚାହିଦା ରହିଛି ।

ଗତ କିଛି ବର୍ଷ ହେଲା ସହରରେ ପଖାଳକୁ ନେଇ ଏକ ଭିନ୍ନ ପରମ୍ପରା ଦେଖାଯାଇଛି ।

ଓଡ଼ିଆ ଘରର ଏହି ପଖାଳର ମହତ୍ତ୍ୱକୁ ବଜାୟ ରଖିବାକୁ ପ୍ରତିବର୍ଷ ମାର୍ଚ୍ଚ୨୦ ତାରିଖକୁ ସାର୍ବଜନୀନ ପଖାଳ ଦିବସ ଭାବେ ପାଳନ କରାଯାଉଛି ।

ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖାଯାଇଛି । ପଖାଳ ଦିବସକୁ ମଧ୍ୟ ଏକାଠି ପାଳନ କରି ସୋସିଆଲ ମିଡିଆରେ ଫଟୋ ଅପଲୋଡ଼ କରୁଛନ୍ତି ଯୁବପିଢ଼ି ।

ଗାଁରେ ନୁହେଁ, ସହରବାସୀ ମଧ୍ୟ ପଖାଳକୁ ଆଦରିଲେଣି । ଗାଁରେ ଲୋକଙ୍କ ପାଇଁ ପଖାଳ କେବଳ ନିତିଦିନିଆ ପଦ୍ଧତି ତାହା ନୁହେଁ ବରଂ ପ୍ରତି ପରିବାରକୁ ଯୌଥ ସୂତ୍ରରେ ମଧ୍ୟ ବାନ୍ଧି ରଖିବାରେ ଏକ ମାଧ୍ୟମ ।

ପୂର୍ବରୁ ଚାଷୀମାନଙ୍କ ପାଇଁ ପଖାଳ ନିତିଦିନିଆ ଖାଦ୍ୟ ହୋଇଥିବାବେଳେ ସହରାଞ୍ଚଳର ଲୋକେ ଏବେ ପଖାଳକୁ ଜାବୁଡ଼ି ଧରିଛନ୍ତି ।

କାରଣ ପରିବାର ସଦସ୍ୟଙ୍କ ଗହଣରେ ପଖାଳ ଖାଇବାର ମଜା ଟିକେ ନିଆରା । ବିଶେଷକରି ଖରାଦିନ ଆସିଲେ ପଖାଳ ଖାଇବାକୁ ଅଧିକ ଲୋକ ଭଲପାଇଥାନ୍ତି ।

କଂସାଏ ପଖାଳ ଓ ମୁନ୍ଦାଏ ତୋରାଣି ଦିନସାରାର ଖୋରାକ ଯୋଗାଇଥାଏ । ପଖାଳ ଦିବସ କେବଳ ଓଡ଼ିଶାରେ ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ପାଳନ କରାଯାଉଛି ।

ସହରବାସୀଙ୍କୁ ସେକାଳ ପଖାଳର ସ୍ୱାଦକୁ ମନେପକାଇବାକୁ ରାଜଧାନୀର ବିଭିନ୍ନ ଛୋଟ ବଡ଼ ହୋଟେଲ୍ରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି ।

ଛୋଟରୁ ଷ୍ଟାର୍ ହୋଟେଲ୍ ଯାଏଁ ସବୁଠି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ପଖାଳ ମେନୁ । ସାଧା ପଖାଳ, ଛୁଙ୍କ ପଖାଳ, ଦହି ପଖାଳ, ଖଟା ପଖାଳ, ସଜ ପଖାଳ, ପରିବା ପଖାଳ ପରି ଅନେକ ପ୍ରକାର ପଖାଳ ରହିଥିବାବେଳେ ବଡିଚୁରା,ଚିପ୍ସ, ସାଲାଡ୍୍, ବାଇଗଣ ଚଟଣୀ, ଆଳୁ ଭର୍ତ୍ତା, କଖାରୁ ଫୁଲ, ପୋଟଳ ଭଜା, ଶାଗ ଭଜା ଆଦି ରହିଥିବାବେଳେ ଆମିଷରେ ଚିଙ୍ଗୁଡ଼ି ଛେଚା, ଚୁନାମାଛ ଭଜା, ରୋହି ମାଛ ଭଜା,ମାଛ ବେସର ଚିକେନ୍ କସା, ଚିଙ୍ଗୁଡ଼ି ଭଜା, ମଟନ୍ କସା ଆଦି ରହିଛି ।

ମଧ୍ୟମ ଧରଣର ହୋଟେଲରେ ପଖାଳ କଂସାର ମୂଲ୍ୟ ୪୦ଟଙ୍କାରୁ ୯୦ଟଙ୍କା ରହିଥିବାବେଳେ ଷ୍ଟାର୍ ହୋଟେଲଗୁଡ଼ିକରେ ୪୦୦ରୁ ୬୦୦ଟଙ୍କା ରହିଛି ।

ସାଦା ପଖାଳ ହେଉ କିମ୍ବା ଦହି ଛୁଙ୍କ ପଖାଳ ସାଙ୍ଗକୁ ସୋରିଷ ବେସର ଶୁଖୁଆ ଖାଇବାର ନିଆରା ମଜ୍ଜା ନେବେ ପଖାଳପ୍ରେମୀ ।

ପଖାଳ ଦିବସ ଅବସରରେ ପଖାଳ ସାଙ୍ଗକୁ କଲରା ପୋଟଲ ଗୋଟା ଭଜା, ପଣସ କଠା ବରା, ଆଳୁ ଭର୍ତ୍ତା, ବଡ଼ି ଚୁରା, ଶାଗ, ଆଚାର ସାଙ୍ଗକୁ ଅନ୍ୟାନ୍ୟ ଆମିଷ ଆଇଟମ୍ ରହିଥିବାବେଳେ ଶୁଖୁଆର ସ୍ୱାଦ ଭିନ୍ନ ।

ସହରବାସୀ ଶୁଖୁଆ ଖାଇବାକୁ ଅଧିକ ପସନ୍ଦ କରୁଥିବାରୁ ଶୁଖୁଆର ବିଭିନ୍ନ ଆଇଟମ୍ ପ୍ରସ୍ତୁତ କରାଯାଉଥିବା କହିଛନ୍ତି କାକା ହୋଟେଲର ନାରାୟଣ ଜେନା ।

ପୂର୍ବରୁ ଏକାମ୍ର ହାଟ ପରିସର ମଧ୍ୟରେ କାକା ହୋଟେଲ ରହିଥିବାବେଳେ ବର୍ତ୍ତମାନ ବୟନିକ ନିଟକରେ ଅସ୍ଥାୟୀ ଭାବେ ଖୋଲାଯାଇଛି ।

ଲୋକାଲ ୱାୟାର