ଭୁବନେଶ୍ୱର, ଜାନୁଆରୀ ୧୪(ଲୋକାଲ ୱାୟାର): କରୋନା ପରବର୍ତ୍ତୀ ସମୟରେ ଶିଶୁମାନଙ୍କ ସହ ସମ୍ପର୍କ ରକ୍ଷା କରିବା ଉଦେ୍ଦଶ୍ୟରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଶିଶୁ ସମ୍ପର୍କ ଯାତ୍ରା ଅଭିଯାନ ଆରମ୍ଭ କରିଛି ।
ସ୍ୱେଚ୍ଛାସେବୀ ସଙ୍ଗଠନ ଆକ୍ସନଏଡ ଓ ୟୁନିସେଫର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଜାନୁଆରୀ ୨୦ରୁ ରାଜ୍ୟର ସବୁ ଜିଲ୍ଲାରେ ଚାଲିବ ।
ଯାହାର ଉଦଘାଟନ ପୁରୀ ସହରରେ ହେବ ବୋଲି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି ।
ଏ ବାବଦରେ ଅଧିକ ସୂଚନା ଦେଇ ସେ କହିଛନ୍ତି, କରୋନା ଆମ ସମସ୍ତଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଛି ।
ଶିଶୁମାନେ ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି । ଶିଶୁମାନଙ୍କୁ ସୁରକ୍ଷା ଦେବା, ସେମାନଙ୍କ ଖାଦ୍ୟ ନିରାପତ୍ତା ଓ ଶିକ୍ଷାଧିକାର ଯେପରି କ୍ଷୁଣ୍ଣ ନ ହୁଏ ତାହା ଆମ ସମସ୍ତଙ୍କ ଦାୟିତ୍ୱ ।
ଏସବୁ ଅଧିକାରକୁ ସୁରକ୍ଷିତ କରିବା ଉଦେ୍ଦଶ୍ୟରେ ଆୟୋଗ ପକ୍ଷରୁ ଶିଶୁ ସମ୍ପର୍କ ଯାତ୍ରାର ଆୟୋଜନ କରାଯାଉଛି ।
ଏ ବାବଦରେ ଓଡ଼ଶା ଶିଶୁ ସୁରକ୍ଷା ଆୟୋଗର ଉପଦେଷ୍ଟା ଘାସିରାମ ପଣ୍ଡା କହିଛନ୍ତି, କରୋନା କିଶୋରୀ ବାଳିକାମାନଙ୍କର ସର୍ବାଙ୍ଗୀନ ଉନ୍ନତି ଉପରେ ବାଧା ସୃଷ୍ଟି କରିଛି ।
ଏହା ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ଓ ବୌଦ୍ଧିକ ବିକାଶକୁ ପ୍ରଭାବିତ କରିଛି ।
ଯାହାକି ଆସନ୍ତା ଦିନରେ ସେମାନଙ୍କର ଜୀବନଜୀବିକାକୁ ପ୍ରଭାବିତ କରିବ । ଏଭଳି ସ୍ଥିତିରେ ଶିଶୁ ଓ ସେମାନଙ୍କ ଅଭିଭାବକମାନଙ୍କ ପାଖକୁ ପହଞ୍ଚିବା, ସେମାନଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରିବା, ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ସମସ୍ତ ବିଧିବ୍ୟବସ୍ଥା ଗ୍ରହଣ କରିବା ଆମର କର୍ତ୍ତବ୍ୟ ।
ତେଣୁ ଏ ଦିଗରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସାରା ରାଜ୍ୟରେ ଏଭଳି କ୍ୟାମ୍ପେନ୍ ଆରମ୍ଭ କରିବାକୁ ଚିନ୍ତା କରିଛି ।
ପୂରା ବର୍ଷ ତମାମ ଏହି କାର୍ଯ୍ୟକ୍ରମ ଚାଲିବ । ପ୍ରଥମ ଦଫାରେ ଏଥିପାଇଁ କମିଶନର ପୁରୀ, ଡେଲାଙ୍ଗ, କଣାସ, ପିପିଲି ଆଦି ସ୍ଥାନକୁ ଗସ୍ତ କରି ଶିଶୁ ଅଧିକାର କ୍ଷୁଣ୍ଣ ଉପରେ ଥିବା ଅଭିଯୋଗଗୁଡ଼ିକର ଶୁଣାଣି କରିଛନ୍ତି ।
ଆସନ୍ତା ଦିନରେ କମିଶନର ଅନ୍ୟ ସମସ୍ତ ଜିଲ୍ଲା ଓ ମୁ୍ୟନିସିପାଲିଟି ଅଞ୍ଚଳକୁ ଗସ୍ତ କରିବେ ।
ଏନେଇ ସମସ୍ତ ଶିଶୁ ମଙ୍ଗଳ କମିଟିଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେବାକୁ କମିଶନର ନିଦେ୍ର୍ଦଶ ଦେଇଛନ୍ତି ।
ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଏହି କାର୍ଯ୍ୟକୁ ତଦାରଖ କରିବାକୁ ଏହି ନିଦେ୍ର୍ଦଶରେ ଉଲ୍ଲେଖ ରହିଛି ।
ଲୋକାଲ ୱାୟାର
Leave a Reply