ଭୁବନେଶ୍ୱର, ସେପ୍ଟେମ୍ବର ୮(ଲୋକାଲ ୱାୟାର): ଆସନ୍ତା ୨୧ ତାରିଖରୁ ସ୍କୁଲ ଗୁଡ଼ିକରେ ନବମ ରୁ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀ ଅନୁସାରେ, ସ୍ୱାସ୍ଥ୍ୟ ପ୍ରତି ସଚେତନ ରହି ବିଦ୍ୟାଳୟରେ ଛାତ୍ର, ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏହି ନିର୍ଦ୍ଦେଶାବଳୀ ମାନିବାକୁ ବାଧ୍ୟ ।
ବିଦ୍ୟାଳୟ ପରିସରରେ ସମସ୍ତଙ୍କ ମଧ୍ୟରେ ଅତି କମରେ ୬ ଫୁଟ୍ ଦୂରତ୍ୱ ରହିବ । ମାସ୍କ ପରିଧାନ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ ।
ନିୟମିତ ଭାବେ ସାବୁନରେ ୩୦/୪୦ ସେକେଣ୍ଡ କିମ୍ବା ଆଲକୋହଲ୍ ଭିତ୍ତିକ ହ୍ୟାଣ୍ଡ୍ ସାନିଟାଇଜରରେ ୨୦ ସେକେଣ୍ଡ ପାଇଁ ହାତକୁ ପରିଷ୍କାର କରାଯିବ ।
କାଶ/ଛିଙ୍କ ସମୟରେ ମୁହଁରେ ରୁମାଲ ଦେବେ ଏବଂ ଟିସୁ୍ୟ ପେପର ଉପଲବ୍ଧ କରାଯିବ ।
ବିଦ୍ୟାଳୟ ପରିସରରେ ଛେପ ପକାଇବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । କେହି ଅସୁସ୍ଥ ଅନୁଭବ କଲେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବେ ।
ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯିବ । ଭିଡ଼ ହେବା ଭଳି କୌଣସି ପ୍ରକାର କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ ।
ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ ପାଳନ କରିବାକୁ କେତେକ ସଂଖ୍ୟକ ପିଲାଙ୍କୁ ଏକକାଳୀନ ସ୍କୁଲକୁ ଡକାଯିବ ତାହା ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । ଷ୍ଟେଟ ହେଲପଲାଇନ ନମ୍ବର, ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ନମ୍ବର ଏବଂ ଅନ୍ୟାନ୍ୟ ଜରୁରି ନମ୍ବର ଗୁଡ଼ିକ ସମସ୍ତଙ୍କୁ ଅବଗତ କରାଯିବ ।
ସ୍କୁଲ କୋଠରୀରେ ଏସି ଗୁଡ଼ିକର ୨୪ ଡିଗ୍ରୀରୁ ୩୦ ଡିଗ୍ରୀ ମଧ୍ୟରେ ରହିବ । ଆର୍ଦ୍ରତା ମଧ୍ୟ ୪୦ରୁ ୭୦% ରହିବ । କୋଠରୀଗୁଡ଼ିକରେ ବାୟୁ ଚଳାଚଳ ଯଥେଷ୍ଟ ହେଉଥିବା ଆବଶ୍ୟକ ।
ପିଲାମାନେ ଲକର ବ୍ୟବହାର କରିପାରିବେ କିନ୍ତୁ ସାମାଜିକ ଦୂରତ୍ୱ ରହିବା ଉଚିତ ଏବଂ ସେଗୁଡ଼ିକ ସାନିଟାଇଜ କରାଯିବା ଆବଶ୍ୟକ ।
ଜିମ୍ନାସିୟମ ଗୁଡ଼ିକ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ ମାନିବେ ଏବଂ ସ୍ୱିମିଙ୍ଗ ପୁଲ୍ ବନ୍ଦ ରହିବ । କେବଳ କରୋନା ଲକ୍ଷଣ ନଥିବା ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ସ୍କୁଲକୁ ଯିବାକୁ ଅନୁମତି ମିଳିବ ।
ଲୋକାଲ ୱାୟାର
Leave a Reply