ଭୁବନେଶ୍ଵର, ଜାନୁଆରୀ ୧୫ (ଲୋକାଲ ୱାୟାର): କଳା, ସଂସ୍କୃତି ଓ ଐତିହ୍ୟର ଗନ୍ତାଘର ସୁବର୍ଣ୍ଣପୁର ଜିଲ୍ଲା।
ଏକ ସୁନ୍ଦର ପ୍ରାକୃତିକ ପରିବେଶ ଘେରରେ ରହିଛି ଏହାର ସଦର ମହକୁମା ସୁବର୍ଣ୍ଣପୁର, ଯାହା ଆଧ୍ୟାତ୍ମିକ ପାଠ ଭାବେ ସାରା ଦେଶରେ ଜଣାଶୁଣା।
ସୁବର୍ଣ୍ଣପୁରରେ ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ ଓ ମହିମା ସଂସ୍କୃତିର ବିକାଶ ଘଟିଥିଲା।
ଏହି ମାଟିରୁ ୭୧୭ ଖ୍ରୀଷ୍ଟାବ୍ଦରେ ଭଗବତୀ ଲକ୍ଷ୍ମୀଙ୍କ ଦ୍ଵାରା ତାନ୍ତ୍ରିକ ବୌଦ୍ଧଧର୍ମ ସହଜଯାନ ପ୍ରବର୍ତ୍ତିତ ହୋଇଥିବା ଇତିହାସ କୁହେ।
ଏହା ଅଷ୍ଟ ମକାର ସହର ଭାବେ ପ୍ରସିଦ୍ଧ ହେବା ସହିତ ଅଷ୍ଟଶମ୍ଭୁ, ଅଷ୍ଟବିଷ୍ଣୁ, ଅଷ୍ଟଚଣ୍ଡୀ ତଥା ଅଷ୍ଟହନୁମାନଙ୍କର ଉପାସନା କେନ୍ଦ୍ର ଭାବେ ପରିଗଣିତ ହୋଇଛି।
୧୨୬୮ରେ ଲିଖିତ ସୁବର୍ଣ୍ଣପୁରର ଖମ୍ବେଶ୍ଵରୀ ଶିଳାଲେଖ ଓଡିଆ ଭାଷାର ପ୍ରାଚୀନତମ ଅଭିଲେଖ ମାନ୍ୟତା ପାଇଛି।
ସେହିପରି ଏଠାରେ ରହିଛି ଲୁପୁରସିଂହା ଶିଳାଲେଖ ଓ ବାଘମରକୁଦ ଶିଳାଲେଖ।
ଏହି ମାଟିର ମହାରାଜା ବୀରମିତ୍ରୋଦୟ ସିଂହଦେଓ ୧୯୦୨ରୁ ୧୯୩୭ରେ ସଂସ୍କୃତ, ଓଡିଆ, ବଙ୍ଗଳା ଓ ଇଂରାଜୀ ଭାଷାରେ ଶତାଧିକ ପୁସ୍ତକ ପ୍ରକାଶ କରି ଭାଷା ସାହିତ୍ୟକୁ ସମୃଦ୍ଧ କରି ଯାଇଛନ୍ତି।
ସେ ୧୯୧୯ରେ କଲିକତା ବିଶ୍ବବିଦ୍ୟାଳୟରେ ଓଡିଆ ଏମ୍.ଏ ଶ୍ରେଣୀ ପ୍ରତିଷ୍ଠା କରିବା ସହ ରେଭେନ୍ସା କଲେଜରେ ଇଂରାଜୀ ଏମ୍.ଏ. ପାଠ୍ୟକ୍ରମ ଖୋଲିବା ଦିଗରେ ଯଥେଷ୍ଟ ଅବଦାନ ରଖିଥିଲେ।
ସନ୍ଥକବି ଭୀମଭୋଇ ଓ ବୈଷ୍ଣବ କବି ଚନ୍ଦ୍ରମଣି ଦାସ ଏହି ମାଟିର ଦୁଇ କିମ୍ବଦନ୍ତୀ ସାରସ୍ବତ ସାଧକ।
କେମିତି ଆସିବେ :
ସୁବର୍ଣ୍ଣପୁର ସହରରେ ୨୦ ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ରାଜଧାନୀ ଭୁବନେଶ୍ବରଠାରୁ ଏହି ସ୍ଥାନର ଦୂରତା ପ୍ରାୟ ୨୮୦ କିଲୋମିଟର।
ସୁବର୍ଣ୍ଣପୁର ସହର ଦେଇ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଯାଇଛି।
ଯାତାୟାତ ପାଇଁ ସଡକ ପଥ ହିଁ ପ୍ରମୁଖ ମାଧ୍ୟମ।
ରାତିରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନକୁ ବସ ସୁବିଧା ଉପଲବ୍ଧ ରହିଛି।
ସୁବର୍ଣ୍ଣପୁରକୁ ରେଳପଥ ସଂଯୋଗ ନଥିବା ବେଳେ ୪୨ କିଲୋମିଟର ଦୂରରେ ବଲାଙ୍ଗିର ରେଳ ଷ୍ଟେସନ, ୮୦ କିଲୋମିଟର ଦୂରରେ ସମ୍ବଲପୁର ରେଳ ଷ୍ଟେସନ ଓ ୭୫ କିଲୋମିଟର ଦୂରରେ ରେଢାଖୋଲ ରେଳ ଷ୍ଟେସନରୁ ରହିଛି।
ଏସବୁ ସ୍ଥାନରୁ ବସ୍ ଯୋଗେ ସୁବର୍ଣ୍ଣପୁରକୁ ସହଜରେ ଆସିହେବ।
ଭୌଗଳିକ ସ୍ଥିତି:
ସୁବର୍ଣ୍ଣପୁର ସହରକୁ ମହାନଦୀ ଓ ତେଲନଦୀ ତିନି ପଟୁ ଘେରିରହିଛନ୍ତି।
ଦୁଇ ନଦୀର ସଙ୍ଗମସ୍ଥଳ ହୋଇଥିବାରୁ ଏହାର ଐତିହ୍ୟ ଓ ପରମ୍ପରା ଖୁବ ପ୍ରାଚୀନ।
୧୯୫୧ରେ ଏହି ସହର ମ୍ୟୁନିସିପାଲିଟିର ମାନ୍ୟତା ପାଇଥିଲା ।
ଓଡିଶାର ପ୍ରାଚୀନ ପର୍ଯ୍ୟଟନକ୍ଷେତ୍ର ମଧ୍ୟରୁ ସୁବର୍ଣ୍ଣପୁର ଅନ୍ୟତମ।
ଆହ୍ଲବାଦର ପ୍ରୟାଗରେ ଗଙ୍ଗା, ଯମୁନା ଓ ସରସ୍ବତୀଙ୍କ ମିଳନ ଭଳି ଏଠାରେ ମହାନଦୀ, ତେଲ ନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଙ୍ଗମ ଘଟିଛି।
ଏଥିପାଇଁ ଏହାକୁ ସାକ୍ଷାତ ବାରାଣସୀ, ଭାରତର ଦ୍ଵିତୀୟ ପ୍ରୟାଗ କ୍ଷେତ୍ର ତଥା ପର୍ଶୁରାମ ମାଟି ବୋଲି କୁହାଯାଏ।
ମାଦଳା ପାଞ୍ଜିରେ ଏହି ସହର ସୁନୁପୁରୁ ନାମରେ ବର୍ଣ୍ଣିତ ହୋଇଥିଲା ଓ ପରେ ଚୌହାନ ରାଜତ୍ଵ କାଳରେ ଏହା ସୁବର୍ଣ୍ଣପୁର ଓ ସୋନପୁର ନାମରେ ଖ୍ୟାତି ଅର୍ଜନ କଲା।
ଲୋକବିଶ୍ବାସ ଅନୁସାରେ, ସୋନପୁରର ଇଷ୍ଟଦେବତା ସୁବର୍ଣ୍ଣମେରୁଙ୍କ ଆବିର୍ଭାବ ସମୟରେ ସୁବର୍ଣ୍ଣ ବୃଷ୍ଟି ହେତୁ ଏହାକୁ ସୁବର୍ଣ୍ଣପୁର ବୋଲି ଡକାଯାଏ।
ବାନ୍ଧକଳା:
ସୁବର୍ଣ୍ଣପୁରରେ ପ୍ରସ୍ତୁତ ଉନ୍ନତ ଓ ସ୍ବତନ୍ତ୍ର ମାନର ବସ୍ତ୍ର ସାମଗ୍ରୀ ସାରା ବିଶ୍ବରେ ଆଦୃତ।
ମେହେର ସଂପ୍ରଦାୟର କୁଶଳୀ କାରିଗରମାନେ ଶାଢ଼ି ତଥା ଅନ୍ୟ ବସ୍ତ୍ରକୁ ବିଭିନ୍ନ ଡିଜାଇନରେ ସମ୍ବଲପୁରୀ, ବମକେଇ ଓ ପାଟଶାଢ଼ିରେ ପ୍ରସ୍ତୁତ କରିଥାନ୍ତି ।
ପ୍ରସିଦ୍ଧ ଚାଉଳ ବରା :
ଚାଉଳ ବରା ସୁବର୍ଣ୍ଣପୁରକୁ ଦେଇପାରିଛି ଏକ ସ୍ବତନ୍ତ୍ର ପରିଚୟ ।
ସକାଳ ହେଉ କି ସଂଧ୍ୟା, ମସଲା ବରା ଛଣାଯାଉଥିବା ଠେଲାମାନଙ୍କରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳେ ।
ଏଠାରେ ମୁଖ୍ୟ ଜଳଖିଆ ହେଉଛି ଏହି ମସଲା ବରା ।
ବାହାରୁ ଆସିଥିବା ପର୍ଯ୍ୟଟକ ମଧ୍ୟ ଏହାକୁ ପସନ୍ଦ କରିଥାନ୍ତି।
ଚାଉଳ, ପିଆଜ, ଧନିଆପତ୍ର ଓ ଜିରାରେ ଏହି ଚାଉଳ ବରା ପ୍ରସ୍ତୁତ କରାଯାଏ ।
ସହର ସାରା ମନ୍ଦିର :
ସୁବର୍ଣ୍ଣପୁର ସହରରେ ଛୋଟବଡ଼ ୧୦୮ଟି ମନ୍ଦିର ଥିବାରୁ ଏହାକୁ ମନ୍ଦିରମାଳିନୀ କହିଲେ ଭୁଲ୍ ହେବ ନାହିଁ।
ସହରର ଚାରିପଟେ ରହିଛି ସୁବର୍ଣ୍ଣମେରୁ ମନ୍ଦିର, ରାମେଶ୍ଵର ମନ୍ଦିର, କୋଶଳେଶ୍ଵର ମନ୍ଦିର , ପାତାଳୀ ଶ୍ରୀକ୍ଷେତ୍ର, ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠ, ପାପକ୍ଷୟ ଘାଟ, ଚରଦା ଶୈବ ମନ୍ଦିର, ପୂଜା ଡ଼ୁଙ୍ଗୁରୀ ଓ ମେଟକାନି ମନ୍ଦିର ଭଳି ପର୍ଯ୍ୟଟନ କ୍ଷେତ୍ର।
ସୁବର୍ଣ୍ଣମେରୁ:
ସୁବର୍ଣ୍ଣପୁର ସହର ଭିତରେ ରହିଛି ପ୍ରାଚୀନ ସୁବର୍ଣ୍ଣମେରୁ ମନ୍ଦିର। ଏହି ମନ୍ଦିର ନିକଟରେ ପ୍ରବାହିତ ହେଉଛି ତେଲ ନଦୀ।
ସୁବର୍ଣ୍ଣପୁରର ଉତ୍ପତ୍ତି ଓ ଇତିହାସ ସହିତ ସୁବର୍ଣ୍ଣମେରୁ ମନ୍ଦିରର ଘନିଷ୍ଠ ସମ୍ପର୍କ ଥିବା ଜଣାପଡେ।
ସୁବର୍ଣ୍ଣମେରୁ ହେଉଛନ୍ତି ସୋନପୁର ସହରରେ ଥିବା ଅଷ୍ଟଶମ୍ଭୁଙ୍କ ମଧ୍ୟରୁ ଶ୍ରେଷ୍ଠ ।
ଏହି ମନ୍ଦିର ନବମରୁ ଦଶମ ଶତାବ୍ଦୀ ମଧ୍ୟରେ ସୋମ ବଂଶୀ ରାଜାମାନଙ୍କ ଦ୍ଵାରା ନିର୍ମିତ ହୋଇଥିଲେ ମଧ୍ୟ ପରେ ଏହା ତେଲ ନଦୀରେ ବୁଡି ନଷ୍ଟ ହୋଇଯାଇଥିଲା।
ସପ୍ତଦଶ ଶତାବ୍ଦୀରେ ସମ୍ବଲପୁରର ଚୌହାନ ରାଜବଂଶର ଶାସକମାନେ ଏହାର ପୁନରୁଦ୍ଧାର କରିଥିଲେ ।
ଏଠାରେ କେବଳ ଥାନପତିମାନେ ସେବକ ଭାବେ ଠାକୁରଙ୍କ ପୂଜାର୍ଚ୍ଚନା କରନ୍ତି।
ରାମେଶ୍ଵର ମନ୍ଦିର:
ମହାନଦୀ ଓ ତେଲ ନଦୀର ସଂଗମ ସ୍ଥଳରେ ରହିଛି ପ୍ରାଚୀନ ଶୈବପୀଠ ରାମେଶ୍ବର ମନ୍ଦିର।
ସୁବର୍ଣ୍ଣପୁର ସହର ଉପକଣ୍ଠରେ ଥିବା ଏହି ମନ୍ଦିରକୁ ସପ୍ତଦଶ ଶତାବ୍ଦୀରେ ସମ୍ବଲପୁରର ଚୌହାନ ରାଜବଂଶର ଶାସକମାନେ ନିର୍ମାଣ କରିଥିବା ସୂଚନା ମିଳେ ।
ରାମେଶ୍ଵର ମନ୍ଦିରକୁ ଘେରି ରହିଛି ଏକ ସୁନ୍ଦର ପରିବେଶ।
ମହାଶିବରାତ୍ରି, ଶିବ ଚତୁର୍ଦ୍ଦଶୀ ଓ ଶୀତଳଷଷ୍ଠୀ ସମୟରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ।
ଲଙ୍କେଶ୍ଵରୀ ମନ୍ଦିର:
ମହାନଦୀର ପଥର ଶଯ୍ୟା ଭିତରେ ରହିଛି ଲଙ୍କେଶ୍ଵରୀ ମନ୍ଦିର।
ଏହି ମନ୍ଦିରଟି ସୁବର୍ଣ୍ଣପୁର ସହରର ଉତ୍ପତ୍ତି ପୂର୍ବରୁ ରହିଥିବା କୁହାଯାଏ, ତେଣୁ ଏହା କେବେ ନିର୍ମିତ ହେଲା, ସେ ସଂପର୍କରେ ଇତିହାସ ନିରବ।
କୈବର୍ତ ସଂପ୍ରଦାୟର ଲୋକମାନେ ଏଠାରେ ସେବକ ଭାବରେ ପୂଜାର୍ଚ୍ଚନା କରନ୍ତି ଏବଂ ଏଠାରେ ଦେବୀଙ୍କ ପାଖରେ ମାଛ ଭୋଗ ଲାଗେ।
ଚୈତ୍ରମାସ ଦ୍ଵିତୀୟ ମଙ୍ଗଳବାର ଦିନ ଏଠାରେ ଚାପ ଖେଳ ସାଙ୍ଗକୁ ମେଳା ହୋଇଥାଏ।
ପାପକ୍ଷୟ ଘାଟ:
ସୁବର୍ଣ୍ଣପୁରରୁ ସଡ଼କ ପଥରେ ୩୨ କିଲୋମିଟର ଗଲେ ପଡ଼ିବ ବିନିକା ଏବଂ ଏହି ସହର ଭିତରକୁ ପ୍ରବେଶ କରିବା ପୂର୍ବରୁ ଡ଼ାହାଣ ପଟକୁ ତିନି କିଲୋମିଟ ଗଲେ ପାପକ୍ଷୟ ଘାଟ।
ପାପକ୍ଷୟ ଘାଟରେ ଏକ ପୁରାତନ ବରଗଛ ରହିଛି।
ଘାଟରେ ସ୍ନାନ କରି ଏହି ବରଗଛ କୋରଡ଼ରେ ଗଳିଲେ ସବୁ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି।
ଏହି ବିଶ୍ବାସର ଆଧାରରେ ପ୍ରତିଦିନ ଏହି ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ବିଶେଷକରି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ ସମୟରେ ଏଠାରେ ପ୍ରବଳ ଗହଳି ଦେଖିବାକୁ ମିଳେ।
ପାପକ୍ଷୟ ଘାଟ କେବଳ ଧାର୍ମିକ କେନ୍ଦ୍ର ପାଇଁ ପ୍ରସିଦ୍ଧି ଲାଭ କରିଛି, ତାହା ନୁହେଁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏହି ପବିତ୍ର ପୀଠକୁ ଟାଣିଆଣେ ।
ପାପକ୍ଷୟ ଘାଟଠାରୁ ୪ କିଲୋମିଟର ଦୂରରେ ରହିଛି ଚରଦାର ପ୍ରସିଦ୍ଧ କପିଳେଶ୍ୱର ମନ୍ଦିର।
ପାତାଳି ଶ୍ରୀକ୍ଷେତ୍ର:
ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ସବଡିଭିଜନ୍ ଅନ୍ତର୍ଗତ କୋଟସମଲାଇ ଗାଁ ନିକଟ ତ୍ରିକୂଟ ପାହାଡ଼ରେ ରହିଛି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଐତିହାସିକ ଧର୍ମପୀଠ ପାତାଳି ଶ୍ରୀକ୍ଷେତ୍ର।
ସୁବର୍ଣ୍ଣପୁର ସହରଠାରୁ ଏହାର ଦୂରତା ଉତ୍ତର-ପଶ୍ଚିମ ଦିଗକୁ ପ୍ରାୟ ୨୫ କିଲୋମିଟର।
ଚାରିଆଡ଼େ ପାହାଡ଼ ଘେରି ରହିଥିବା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠକୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ଲାଗି ଆସନ୍ତି।
ଓଡ଼ିଶାର ଲୋକବିଶ୍ବାସ ଅନୁସାରେ, ଶତ୍ରୁମାନଙ୍କ ଆକ୍ରମଣ ଭୟରେ ଏଠାରେ ଥିବା ଗୁମ୍ଫାରେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କୁ ଏଠାରେ ୧୪୪ ବର୍ଷ ଲୁଚାଇ ରଖାଯାଇଥିଲା, ଅର୍ଥାତ୍ ପାତାଳି କରାଯାଇଥିଲା।
ତେଣୁ ଏହି ପୀଠକୁ ପାତାଳୀ ଶ୍ରୀକ୍ଷେତ୍ର କୁହାଯାଇଥାଏ ।
ଭୀମଭୋଇଙ୍କ ସମାଧି ପୀଠ:
ସୁବର୍ଣ୍ଣପୁର ସହରଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଖଲିଆପାଲି ଗାଁରେ ରହିଛି ମହିମା ଧର୍ମର ଉଦ୍ଗାତା ତଥା ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠ।
ଏକ ମନୋରମ ଉଚ୍ଚ ମନ୍ଦିର ମଧ୍ୟରେ ସନ୍ଥକବି ଏବଂ ମା’ ଅନ୍ନପୂର୍ଣ୍ଣାଙ୍କୁ ସମାଧି ଦିଆଯାଇଥିବା କୁହାଯାଏ।
ଏହାର ପଛ ପଟେ ଏକ ସମତଳ ଛାତବିଶିଷ୍ଟ ଉପାସନା ଗୃହରେ ସନ୍ଥକବି ଭୀମଭୋଇ ଏବଂ ତାଙ୍କ ଆଧ୍ୟାତ୍ମିକ ସଂଗିନୀ ଅନ୍ନପୂର୍ଣ୍ଣାଙ୍କ ରୌପ୍ୟ ପ୍ରଲେପଯୁକ୍ତ ପାଦୁକା ରଖାଯାଇଛି।
ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଏବଂ ପୂର୍ଣ୍ଣମୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଏଠାରେ ମାଘମେଳା ଅନୁଷ୍ଠିତ ହୋଇଥାଏ ।
ଇତିହାସ ଅନୁସାରେ, ୧୮୭୭ ମସିହାରେ ଭୀମଭୋଇ ଓ ଅନ୍ନପୂର୍ଣ୍ଣା ଶିଷ୍ୟମାନଙ୍କ ସହ ଖଲିଆପାଲିରେ ପହଞ୍ଚିଥିଲେ ଏବଂ ଏହି ଆଶ୍ରମ ହେଉଛି ତାଙ୍କ ସାଧନା, ସିଦ୍ଧି ଓ ସମାଧି କ୍ଷେତ୍ର।
କପିଳେଶ୍ଵର ମନ୍ଦିର ଚରଦା :
ଏହି ମନ୍ଦିରଟି ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଥିବାବେଳେ ଏଠାରେ ବହୁ ପୁରାତନ କୀର୍ତ୍ତି ମଧ୍ୟ ଦେଖିବାକୁ ମିଳେ ।
୧୧୭୫ରୁ ୧୨୨୦ ମସିହା ଭିତରେ ଏହି ମନ୍ଦିରକୁ ଗଜପତି ଦ୍ଵିତୀୟ ଅନଙ୍ଗଭୀମଦେବ ନିର୍ମାଣ କରିଥିବା କୁହାଯାଏ।
ଏଠାରେ ପ୍ରତି ସଂକ୍ରାନ୍ତି ଏବଂ ସୋମବାର ପ୍ରବଳ ଭିଡ ଦେଖିବାକୁ ମିଳିଥାଏ।
ଏଠାରେ ଥାନପତିମାନେ ପ୍ରତିଦିନ ଭୋରରୁ ପୂଜା ଆରମ୍ଭ କରିଥାନ୍ତି ଓ ମନ୍ଦିର ଭିତରେ ମା ଚରଦେୟ ପୂଜା ପାଆନ୍ତି।
ମେଟାକାନି ମନ୍ଦିର :
ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାରେ ୨୮ କିଲୋମିଟର ଦୂର ଜଙ୍ଗଲ ଭିତରେ ରହିଛି ପ୍ରସିଦ୍ଧ ମା ମେଟାକନି ମନ୍ଦିର।
ଏହି ମନ୍ଦିରକୁ ସୋନପୁର ରାଜା ନିର୍ମାଣ କରିଥିବା ଜଣାପଡେ।
ଏହି ସ୍ଥାନକୁ ମାଙ୍କର ଦର୍ଶନ ସମେତ ଭୋଜି କରିବା ପାଇଁ ମଧ୍ୟ ଅନେକ ଲୋକ ଆସନ୍ତି ।
ଲୋକାଲ୍ ଓ୍ବାୟାର୍
ବହୁତ ବଢିଆ ଉପସ୍ଥାପନା, ଖୁବ ସୁନ୍ଦର ଆମର ସୋନପୁର, ସବୁ ସୋନପୁରୀଆ ମାନଂକୁ ମୋର ଆନ୍ତରିକ ଗୁହାରି ପୋଷ୍ଟ କେ ଦେଖୁନ, ଲାଇକ, ସେଆର.. କରୁନ ଯେନ୍ତା ଆମର କଳା, ସଂସ୍କୃତି ସମସ୍ତଙ୍କର ଲୋକ ଲୋଚନ କୁ ଆସୁ.. !!
I love sonepur#♥️# jay maa sureswari ????????
ଧନ୍ୟବାଦ ଆପଣଙ୍କ ମତାମତ ପାଇଁ????????????????????
Mo Sonepur mote Sundar