ଭୁବନେଶ୍ୱର, ଜୁଲାଇ ୭(ଲୋକାଲ ୱାୟାର): ଇକୋ ଗାଁର ମାନ୍ୟତା ପାଇଛି ମୁଦୁଲିଗାଡ଼ିଆ । ଦିନେ କାଠମାଫିଆ ଓ ଶିକାରୀଙ୍କ ଚରାଭୂଇଁ ଥିବା ଏହି ଗାଁ ଏବେ ଓଡ଼ିଶା ମଡେଲ ଭାବେ ଉଚ୍ଚ ପ୍ରଶଂସିତ ।
ନିଜସ୍ୱ ଉଦ୍ୟମରେ ଗାଁଲୋକେ ନିଜର କଚ୍ଚା ଘରକୁ ଆକର୍ଷଣୀୟ ରୂପ ଦେଇଛନ୍ତି ।
ନିଜ ପରମ୍ପରା, କଳା, ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଯାଇ ଘରର କାନ୍ଥରେ ଆଙ୍କିଛନ୍ତି ପାରମ୍ପରିକ ଚିତ୍ରକଳା ।
ଗାଁକୁ ପଶୁ ପଶୁ ଏହାର ଦୁଇପଟେ ଚାରା ରୋପଣ କରାଯାଇ ସବୁଜ ବନାନୀ ସୃଷ୍ଟି କରାଯାଇଥିବା ବେଳେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଡଷ୍ଟବିନ୍ ବ୍ୟବହାର କରାଯାଇଛି । କେବଳ ସେତିକି ନୁହେଁ ଗାଁ ଲୋକେ ସମ୍ପୂର୍ଣ୍ଣ ଅ ଳକୁ ୧୦୦% ପ୍ଲାଷ୍ଟିକ୍ ଫ୍ରି ମଧ୍ୟ କରିଛନ୍ତି ।
ନୟାଗଡ ଜିଲ୍ଲା ସାତକୋଶିଆ ଗଣ୍ଡ ନିକଟରେ ରହିଛି ଏହି ଗାଁ । ଯାହାକି ବଡମୂଳ ପରିବେଶ ପର୍ଯ୍ୟଟନ ସ୍ଥଳୀଠାରୁ ୨ କିଲୋମିଟର ଦୂରରେ ରହିଛି ।
ଦିନେ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ଏବେ ନିଜ ପେଟପାଟଣା ପାଇଁ ଜୈବିକ ଚାଷକୁ ଗୁରୁତ୍ୱ ଦେଇଛନ୍ତି ।
ପେଷ୍ଟିସାଇଡସ୍ ବ୍ୟବହାର ନ କରି ଗାଇ ଗୋବର ଓ ଖତକୁ ବ୍ୟବହାର କରି ଚାଷ କରୁଛନ୍ତି । ପୂଜା ପାଇଁ ମଧ୍ୟ ସେମାନେ ଗୋଟିଏ ସ୍ଥାନରେ ପୂଜାସ୍ଥଳୀ ତିଆରି କରିଛନ୍ତି ।
ଏ ବାବଦରେ ମୁଦୁଲିପଡ଼ା ଗାଁର ପ୍ରକାଶ ବେହେରା କହିଛନ୍ତି ଗତବର୍ଷ ଗାଁକୁ ସାରା ବିଶ୍ୱର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସିଥିବା ବେଳେ ଓଡ଼ିଶା ମଡେଲକୁ ପ୍ରଶଂସା କରିଛନ୍ତି ।
କେବଳ ପ୍ରଶଂସା ନୁହେଁ ପର୍ଯ୍ୟଟକ ଆସିବାରୁ ଆମକୁ ଭଲ ଦି ପଇସା ଆୟ ମଧ୍ୟ ହୋଇଛି । ବନ ବିଭାଗ ସହାୟତାରେ ଆମେ ମୁଦୁଲିପଡ଼ାବାସୀ ଉନ୍ନତ ଜୀବନଧାରଣ କରିବାର ସୁଯୋଗ ପାଇପାରିଛୁ ।
ଆମେ ଗାଁଲୋକ ଏବେ ଆଉ ପେଟପାଟଣା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁନାହୁଁ ।
ସେହିପରି ଇକୋ ଡେଭଲପମେଣ୍ଟ କମିଟି (ଇଡିସି)ର ସଭାପତି ସୁମନ୍ତ ବେହେରା କୁହନ୍ତି ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ଯୋଗୁଁ ଲୋକଙ୍କ ଜୀବନଧାରଣର ମାନ ପରିବର୍ତ୍ତନ ହୋଇଛି । ଲୋକେ ଆମକୁ ଓ ଆମ ଗାଁକୁ ବିଶ୍ୱରେ ଚିହ୍ନୁଛନ୍ତି ।
ଗତ ୩ ବର୍ଷର ଆକଳନକୁ ଦେଖିଲେ ଜଣାଯାଏ ଯେ ମୁଦୁଲିଗାଡ଼ିଆରେ ପର୍ଯ୍ୟଟକଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିଛି ଯେ ପାଖାପାଖି ୨ କୋଟି ଟଙ୍କାର ରାଜସ୍ୱ ଆସିଛି ।
୩ ବର୍ଷରେ ଏହା ଦୁଇ କୋଟି ଟଙ୍କା ଆୟ କରିଛି ।
କେବଳ ସେତିକି ନୁହେଁ ଗାଁର ପ୍ରତି ପରିବାର ମାସିକ ୧୫ ହଜାର ଟଙ୍କା ଆୟ କରିବାରେ ସମର୍ଥ ହୋଇ ପାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗାଁକୁ ପାଖାପାଖି ୧୦ ନିୟୁତ ପର୍ଯ୍ୟଟକ ଆସିଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗଠନ କରିଥିଲେ ।
ଗାଁରେ ରହୁଥିବା ୩୫ଟି ପରିବାରର ଲୋକ କିପରି ଆତ୍ମନିର୍ଭରଶୀଳ ହେବେ ଓ ଗାଁରେ କିପରି ବର୍ଜ୍ୟବସ୍ତୁ ପରିଚାଳନା କରିହେବ ଓ ଯେପରି ପ୍ଲାଷ୍ଟିକର ବ୍ୟବହାରକୁ ରୋକାଯାଇପାରିବ ତାହାହିଁ ଥିଲା ପ୍ରକଳ୍ପର ମୂଳ ଆଭିମୁଖ୍ୟ ।
ରାଜ୍ୟ ସରକାର ପରିବେଶ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ବିଭିନ୍ନ ସ୍ଥାନରେ ଇକୋ ଗ୍ରାମ ଓ ଇକୋ ରିସୋର୍ଟ ନିର୍ମାଣ କରିଛନ୍ତି ।
ହେଲେ ମୁଦୁଲିଗାଡ଼ିଆର ସ୍ୱତନ୍ତ୍ରତା ହେଉଛି ଏହି ହାମଲେଟ୍ ସ୍ଥାନୀୟ ଲୋକଙ୍କ ତତ୍ତ୍ୱାବଧାନ ଓ ଉଦ୍ୟମରେ ଇକୋ ଗାଁରେ ପରିଣତ ହୋଇ ପାରିିଛି ।
ପୂର୍ବତନ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସଙ୍କ ତତ୍ତ୍ୱାବଧାନରେ ଏହି ଇକୋ ଗାଁର ଭିତ୍ତିିପ୍ରସ୍ତର ସ୍ଥାପନ ହୋଇଥିଲା ।
ଏ ବାବଦରେ ଅଧିକ ତଥ୍ୟ ଉପସ୍ଥାପନ କରି ଅଂଶୁ କହନ୍ତି ବର୍ତ୍ତମାନ ଯଦିଓ ମୁଁ ଇକୋ ଟୁରିଜିମର ଡେପୁଟି କଞ୍ଜରଭେଟର ଭାବେ ଦାୟିତ୍ୱ ତୁଲାଉଛି, ହେଲେ ମୁଁ ମୁଦୁଲିପଡ଼ା ପ୍ରକଳ୍ପ ସହ ଖୁବ୍ ନିବଡ଼ ଭାବେ ଜଡ଼ିତ ।
୨୦୧୬ ମସିହାରେ ପ୍ରଥମ କରି ସାତକୋଶିଆ ଟାଇଗର ରିଜର୍ଭ ଚାରିପାଖରେ ଥିବା ଗାଁ ଗୁଡ଼ିକର ସ୍ଥାନୀୟ ଲୋକମାନଙ୍କୁ ନେଇ ଏକ କମୁ୍ୟନିଟି ମ୍ୟାନେଜହ୍ ନେଚର ଟୁରିଜିମ୍ ପ୍ରୋଗ୍ରାମ କାର୍ଯ୍ୟକାରୀ ହେଲା ।
ଏହି ପ୍ରକଳ୍ପ ଅଧୀନରେ ସାରା ରାଜ୍ୟରେ ପାଖାପାଖି ୪୫ଟି ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବାକୁ ସରକାର ଚିନ୍ତା କଲେ ।
ଯାହାକି ସ୍ୱତନ୍ତ୍ର ଭାବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ପରିଚାଳିତ କରିବାକୁ ସରକାର ଯୋଜନା କଲେ । ଏହାର ମୂଳ ଆଭିମୁଖ୍ୟ ଥିଲା ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ।
ଇକୋ ପ୍ରକଳ୍ପ ଦ୍ୱାରା ଆସୁଥିବା ରାଜସ୍ୱରେ ଯେପରି ସେମାନେ ନିଜ ସହ ପରିବାର ଚଳାଇବେ । ଫଳସ୍ୱରୂପେ ସେମାନେ ଧୀରେ ଧୀରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଉ ନିର୍ଭରଶୀଳ ହେବେ ନାହିଁ ଓ ଏହାଦ୍ୱାରା ଜଙ୍ଗଲର ସୁରକ୍ଷା ହୋଇପାରିବ ।
ଇକୋ-ଟୁରିଜିମର ଏହି ଓଡ଼ିଶା ମଡେଲ ପ୍ରକଳ୍ପ ଭାରତର ଏକମାତ୍ର ପ୍ରକଳ୍ପ ଯାହାକି ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ପରିଚାଳତ ହୋଇଥାଏ ।
କେବଳ ସେତିକି ନୁହେଁ ଏଥିରୁ ଆସୁଥିବା ରାଜସ୍ୱର ୮୦% ସିଧାସଳଖ ସ୍ଥାନୀୟ ଲୋକଙ୍କ ପାଖକୁ ଫେରିଯାଏ ।
ବଳକା ୨୦%ରେ ଏହି ପ୍ରକଳ୍ପ ତଥା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀର ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯାଇଥାଏ । ରାଜସ୍ୱର ୮୦% ରୁ ୧୦% ଗାଁର ବିକାଶ ପାଇଁ ରଖାଯାଇଥାଏ ।
ତେବେ ସବୁଠୁ ଖୁସିର କଥା ସାତକୋଶିଆରେ ପରିବେଶ ପର୍ଯ୍ୟଟନ ସ୍ଥଳ କିଛିଦିନ ସ୍ଥାନୀୟ ଲୋକଙ୍କ ଦ୍ୱାରା ପରିଚାଳିତ ହେବା ପରେ ସେଠାକାର ଏକ ଗାଁ କମିଟି ମୋ ପାଖକୁ ଆସି ଗାଁ ବିକାଶ ପାଇଁ ରଖାଯାଉଥିବା ପାଣ୍ଠି କିପରି ଗାଁର ବିକାଶ କାମରେ ଲାଗି ପରିବ ବୋଲି ମୋତେ ପଚାରିଲେ । ସତ କହିବାକୁ ଗଲେ ସେଥରୁ ହିଁ ଇକୋ ଗାଁର ପରିକଳ୍ପନା ଓ ଯୋଜନା ମୋ ମନକୁ ଆସିଲା ।
ସାତକୋଶିଆ ଓ ଏହାର ଆଖାପାଖ ଗାଁଲୋକେ ବିଶେଷ ଭାବେ ପରିବାର ଚଳାଇବା ପାଇଁର୍ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ।
ପାରମ୍ପରିକ ଭାବେ ସେମାନେ ମହୁ ଓ କାଠ ଆଣି ବାହାରେ ବିକି ସେଥିରୁ ଯେଉଁ ପଇସା ପାଆନ୍ତି ସେଥିରେ ଚଳିଥାନ୍ତି । ଜାଳେଣି ପାଇଁ ବି ସେମାନେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ।
ସଚେତନତା ଅଭାବରୁ ସେମାନେ ସମାନ ନଦୀ ପାଣିରେ ଗାଧୋଇବା ସହ ପିଇବା ପାଇଁ ପାଇଁ ନିର୍ଭର କରୁଥିଲେ । ଫଳରେ ଅଧିକାଂଶ ସମୟରେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଥିଲେ ।
ଏଭଳି ସ୍ଥଳେ ଇକୋ ଗାଁର ଚିନ୍ତାଧାରା ସେମାନଙ୍କ ଜୀବନ ପରିବର୍ତ୍ତନ କରିଦେଲା ।
ବନବିଭାଗ ଅଧିକାରୀମାନଙ୍କ ସହାୟତାରେ ଗାଁଲୋକଙ୍କୁ ଜାଳେଣି ଗ୍ୟାସ୍ ଯୋଗାଇ ଦିଆଯିବା ସହ ସେମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ବିଭିନ୍ନ ପ୍ରକାର ଯୋଜନା କରାଗଲା ।
ଘରେ ଘରେ ଯାଇ ସେମାନଙ୍କୁ ସଚେତନ କରାଗଲା । ଫଳସ୍ୱରୂପ କିଛିିଦିନ ଭିତରେ ସେମାନେ ନିଜ ନିଜ ଘରେ ଶୌଚାଳୟ ତିଆରି କଲେ ।
ପରେ ପରେ ସେମାନଙ୍କ ପାଇଁ ଜଳଯୋଗାଣ ବ୍ୟବସ୍ଥା କରାଗଲା । ପୂର୍ବରୁ ଗାଁ ଲୋକେ ଘରର ବର୍ଜ୍ୟବସ୍ତୁକୁ ନଦୀ ଜଳ ବା ରାସ୍ତା ପାଶ୍ୱର୍ରେ ଜମା କରିଦେଉଥିଲେ ।
ଫଳରେ ଏହା ପରିବେଶ ପ୍ରଦୂଷଣର ମାତ୍ରାକୁ ବଢ଼ାଇଦେଇଥିଲା । କିନ୍ତୁ ଏହି ପ୍ରକଳ୍ପ ବାସ୍ତବ ରୂପ ନେବା ପରେ ଲୋକଙ୍କ ଜୀବନ ଧାରଣ ବଦଳିଗଲା ।
ଲୋକାଲ ୱାୟାର
Leave a Reply