ଭୁବନେଶ୍ୱର, ଅଗଷ୍ଟ ୨୬(ଲୋକାଲ ୱାୟାର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ପ୍ରାୟ ସମସ୍ତ ନଦୀରେ ଜଳସ୍ତର ବଢ଼ି ଚାଲିଥିବା ବେଳେ ବଡ଼ ବନ୍ୟାର ଆଶଙ୍କା ନାହିଁ ବୋଲି ରାଜ୍ୟ ସରକାର ବୁଧବାର କହିଛନ୍ତି ।
ବୈତରଣୀ ନଦୀର ବନ୍ୟାଜଳ ଆନନ୍ଦପୁର, ରାଜଘାଟ ଓ ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଆସନ୍ତାକାଲି ଉଭୟ ଭଦ୍ରକ ଓ ଯାଜବପୁର ଜିଲ୍ଲାରେ ବୈତରଣୀରେ ବନ୍ୟା ଦେଖାଦେବ । ବିଶେଷ କରି ଦୁଇ ଜିଲ୍ଲାର ତଳିଆ ଅଞ୍ଚଳ ବୁଡ଼ିଯିବାର ଆଶଙ୍କା ରହିଛି ।
ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ବୁଧବାର ମଧ୍ୟାହ୍ନରେ ବନ୍ୟାଜଳ ୧୮.୩୯ ମିଟରରେ ପ୍ରବାହିତ ହେଉଛି ।
ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮. ୩୬୦ ମିଟର ଥିବା ବେଳେ ବନ୍ୟାଜଳ ୩୯. ୩୨୦ ମିଟରରେ ପ୍ରବାହିତ ହେଉଛି ।
ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଦେଇ ପରିସ୍ଥିତିର ମୁକାବିଲା କରିବାକୁ ଏନଡିଆରଏଫ ଓ ଓଡ୍ରାଫର ଦୁଇଟି ଟିମ୍ ପହଞ୍ଚିଛନ୍ତି ।
ଯାଜପୁର ଜିଲ୍ଲାକୁ ଖୁବଶୀଘ୍ର ଦୁଇଟି ଟିମ୍ ଯିବେ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିିଶନର ପ୍ରଦୀପ ଜେନା ।
ଏବେ ପୂର୍ଣ୍ଣିମା କି ଅମାବାସ୍ୟା ନଥିବାରୁ ବନ୍ୟା ଜଳ ସମୁଦ୍ରକୁ ଶୀଘ୍ର ଚାଲିଯିବ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି ।
ଆରଡ଼ିଠାରେ ଆଖଣ୍ଡଳମଣି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବାରୁ ଶିବଲିଙ୍ଗ ମଧ୍ୟ ବୁଡ଼ି ଯାଇଛି ।
ପମ୍ପ ଯୋଗେ ଜଳସ୍ତର ହ୍ରାସ କରାଯିବା ପରେ ମନ୍ଦିରର ପୂଜା ନୀତି ହୋଇଥିବା ସେବାୟତ କହିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଜଳରେ ଜଣେ ବୃଦ୍ଧି ଭାସିଯାଇଥିବା ଖବର ମିଳିଛି । କେନ୍ଦୁଝର ଜିଲ୍ଲାରେ ଅରଡେଇ ନଦୀ ପୋଲ ଉପରେ ପାଣି ପ୍ରବାହିତ ହେଉଛି ।
ନୟାଗଡ଼ ଜିଲ୍ଲାରେ ବୃତ୍ତଙ୍ଗ ନଦୀ କୂଳ ଲଂଘିିବାରୁ କୁଜାମେଣ୍ଢି ପଞ୍ଚାୟତର ୩ଟି ଗ୍ରାମ ଜଳବନ୍ଦୀ ହୋଇଛି ।
ସୁନ୍ଦରଗଡ଼ ଜିଲ୍ଲାରେ କୋଇଡ଼ା କାଲଟାକୁ ସଂଯୋଗ କରୁଥିବା ୨୧୫ନମ୍ବର ଜାତୀୟ ରାଜପଥର କାରୋଠାରେ ଅସ୍ଥାୟୀ ପୋଲ ଭାସି ଯାଇଛି ।
ସେହିପରି ଜିଲ୍ଲାର ବଣେଇ ଜଙ୍ଗଲା ପୋଲ ଉପରେ ତିନି ଫୁଟର ପାଣି ପ୍ରବାହିତ ହେଉଛି । ରାଉରକେଲାରୁ ଅନୁଗୁଳ ଯାଉଥିବା ଏକ କାର ଏହିସ୍ଥାନରେ ଭାସି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଛି ।
ମୟୂରଭଞ୍ଜ ଜିଲ୍ଲାରେ ଜରାଳି, ସରାଳି ଓ ବୁଢ଼ାବଳଙ୍ଗ ନଦୀର ବନ୍ୟା ଜଳ ଅନେକ ସ୍ଥାନକୁ ମାଡ଼ି ଯାଇଥିବା ଦେଖିବାକୁ ମିଳିଛି ।
ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀରେ ବିପଦ ସଙ୍କେତ ଉପରେବ ନ୍ୟା ଜଳ ପ୍ରବାହିତ ହେଉଛି ।
ରାୟଗଡ଼ା, ସୁବର୍ଣ୍ଣପୁର, କନ୍ଧମାଳ ଜିଲ୍ଲାରେ ମଧ୍ୟ ବିଭିନ୍ନ ନଦୀରେ ବନ୍ୟା ଜଳ ଆସି କୂଳ ଲଂଘିଛି ।
ଯାଜପୁର ଜିଲ୍ଲାର କୋରେଇ, ଦଶରଥପୁର ଓ ବିଂଝାରପୁର ଅଞ୍ଚଳର ତଳିଆ ସ୍ଥାନରୁ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply