ଭୁବନେଶ୍ୱର, ଡିସେମ୍ବର ୩୧(ଲୋକାଲ ୱାୟାର): ଅତିବଡ଼ି ଶ୍ରୀଜଗନ୍ନାଥ ଦାସକୃତ ‘ଶ୍ରୀମଦଭାଗବତ’ ଏକ ସାତ୍ତ୍ୱିକ ମହାପୁରାଣ । ଏହା ଓଡ଼ିଆ ଜାତିର ଆଧ୍ୟାତ୍ମିକ ଅନୁଭୂତିର ପ୍ରାମାଣିକ ଗ୍ରନ୍ଥ ।
ଘରେ ଘରେ ପୂଜିତ ଭାଗବତ ଓଡ଼ିଆ ଜାତିର ଆଦର୍ଶ । ଓଡ଼ିଆଙ୍କ ଜାଗରଣର ସୂତ୍ରଧର ।
ଏହା ଓଡ଼ିଆ ଜାତିକୁ ଦାର୍ଶନିକ ଜାତିରେ ପରିଣତ କରି ଇହକାଳ ଓ ପରକାଳ ଶାସ୍ତ୍ର ଭାବରେ ସୁବିଦିତ ହୋଇଛି ବୋଲି ବିଶିଷ୍ଟ ବିଦ୍ୱାନ ତଥା ଗବେଷକ ପ୍ରଫେସର ଉଦୟନାଥ ସାହୁ ପ୍ରକାଶ କରିଛନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ‘ଶ୍ରୀମଦଭାଗବତ’ ଉପରେ ବକ୍ତବ୍ୟ ରଖିଥିଲେ ନୂଆଦିଲ୍ଲୀ ଜବାହରଲାଲ ବିଶ୍ୱବିଦ୍ୟାଳୟର ଆଦକବି ସାରଳା ଦାସ ଚେୟାର ପ୍ରଫେସର ସାହୁ । ସେ କହିଥିଲେ, ଉତ୍ତରଭାରତୀୟ ଭାଷାଗୁଡ଼ିକରେ ଶ୍ରୀଜଗନ୍ନାଥ ଦାସଙ୍କ ଭାଗବତ ଅନୁବାଦ ସର୍ବପ୍ରଥମ ବୋଲି ପ୍ରଫେସର ସାହୁ କହିଥିଲେ ।
ଏହି ସଭାରେ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ରହି ଭାଗବତର ଅନନ୍ୟ ମହାତ୍ମ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।
ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ପ୍ରତିଷ୍ଠାନର ତତ୍ତ୍ୱାବଧାରକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply