ଭୁବନେଶ୍ୱର, ଅଗଷ୍ଟ ୩(ଲୋକାଲ ୱାୟାର): ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ପ୍ରସ୍ତୁତ ଆକ୍ସନ୍ ପ୍ଲାନ୍ ର ମଙ୍ଗ ଧରିବ ଓଡ଼ିଶା ।
ରୋଲ୍ ମଡେଲ ହେବେ ଓଡ଼ିଶାର ଝିଅ ଅର୍ଚ୍ଚନା ସୋରେଙ୍ଗା । ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ସେ ଦେବେ ନୂଆ ନୂଆ ଚିନ୍ତାଧାରା ।
ଯାହାକୁ ନେଇ କାମ କରିବ ସାରା ବିଶ୍ୱ । ଜାତିସଂଘ ମହାସଚିବଙ୍କ ଜଳବାୟୁ ପରିବର୍ତ୍ତନ ନେଇ ଗଠିତ ୟୁଥ୍ ଆଡଭାଇଜରୀ କମିଟିର ଯୁବ ପରାମର୍ଶଦାତା ଭାବେ ମନୋନୀତ ହେବା ପରେ ସୃଷ୍ଟି ହୋଇଛି ଏହି ନୂଆ ସମ୍ଭାବନା ।
ଜାତିସଂଘର ଏହି ୭ ଜଣିଆ ଯୁବ ପରାମର୍ଶଦାତା କମିଟିରେ ଅର୍ଚ୍ଚନା ହେଉଛନ୍ତି ଏକମାତ୍ର ଭାରତୀୟ ।
ସୁନ୍ଦରଗଡ଼ ଜିଲ୍ଲା ବିରବନ୍ଧ ଗାଁର ଅର୍ଚ୍ଚନା ଖୁବ୍ କମ୍ ବୟସରେ ଅର୍ଚ୍ଚନା ଅତିକ୍ରମ କରିପାରିଛନ୍ତି ମିଳିତ ଜାତିସଂଘର ଲମ୍ବା ରାସ୍ତା ।
କିଛି ସମୟ ହେଉପଛେ, ତାଙ୍କର ଏହି ରୋମାଞ୍ଚକର ଯାତ୍ରାର ଅଂଶୀଦାର ହେବାକୁ ଚାହିଁଥିଲୁ ଆମେ ।
ଆଉ ଜାଣିବାକୁ ଚାହିଁଥିଲୁ ଆଦିବାସୀଙ୍କ ଜଙ୍ଗଲ, ଜମି, ଜଳ, ଜୀବନ, ଜୀବିକା, ଅଧିକାରକୁ ନେଇ ସେ କରୁଥିବା ଗବେଷଣା ବାବଦରେ ।
ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନକୁ ନେଇ ସେ ଚିନ୍ତା କରୁଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ…
ପ୍ରଶ୍ନ: ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆପଣଙ୍କ ରଣନୀତି କେମିତି ହେବ? ଆପଣ ଏ ଦିଗରେ ଜାତିସଂଘର ପରାମର୍ଶଦାତା କମିଟିକୁ କିପରି ସାହାଯ୍ୟ କରିବେ?
ଉତ୍ତର: ଜଳବାୟୁ ପରିବର୍ତ୍ତନକୁ ନେଇ ଅନେକ ଏବେ ବି ଅଜ୍ଞ । ଆମକୁ ମାନିବାକୁ ହେବ ଯେ ଜଳବାୟୁ ପରିବର୍ତ୍ତନ ହେଉଛି ।
ଏହାକୁ ସମସ୍ୟା ଭାବେ ଭାବିଲେ ହିଁ ସମାଧାନ କଥା ଚିନ୍ତା କରାଯାଇ ପାରିବ । ଜଳବାୟୁ ପରିବର୍ତ୍ତନ ଏମିତି ଏକ ସମସ୍ୟା ଯାହା ଚୁଟକିରେ ସମାଧାନ ହେବନି ।
ଏଥିପାଇଁ କେବଳ ରଣନୀତି କଲେ ବି ହେବନି । ଏହାର ସମାଧାନକୁ ଅଭ୍ୟାସରେ ପରିଣତ କରିବାକୁ ହେବ ।
ମୋ ମତରେ ଲୋକେ ପ୍ରଥମେ ଏନେଇ ସଚେତନ ହେବା ଜରୁରି । ଏଥିପାଇଁ ଏହାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ହେବ ।
ସ୍କୁଲରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଯାଏଁ ସବୁ ପାଠ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ଏକ ବିଷୟ ହେବା ଦରକାର ।
ଯଦି ଆପଣ ସ୍ୱତନ୍ତ୍ର ଭାବେ ମୋ କଥା କହୁଛନ୍ତି ତେବେ ମୁଁ ଗ୍ରୀନ୍ ଇକୋନୋମିକୁ ଗୁରୁତ୍ୱ ଦେବି । ଏହାଦ୍ୱାରା ଆଦିବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିହେବ ।
ପ୍ରଶ୍ନ: ଜାତିସଂଘକୁ କ’ଣ ପରାମର୍ଶ ଦେବେ?
ଉ ର: ଜାତିସଂଘର ଯୁବପରାମର୍ଶଦାତା କମିଟିକୁ ବଛାଯିବା ପରେ ମୋ ଦାୟିତ୍ୱ ବଢ଼ିଯାଇଛି ।
ମୁଁ ଏବେ ଯୁବପିଢ଼ି ଓ ଜାତିସଂଘ ମଧ୍ୟରେ ବ୍ରିଜ୍ ଭଳି କାମ କରିବି । ଆସନ୍ତା ୨ ବର୍ଷ ଯାଏଁ ମୋର ଏହି ଦାୟିତ୍ୱ ରହିବ ।
ଜଳବାୟୁ ପରିବର୍ତ୍ତନ ପାଇଁ ଯୁବପିଢ଼ିଙ୍କୁ କିପରି ସଚେତନ କରାଯିବ । ଏହାକୁ ରୋକିବା ଦିଗରେ ସେମାନେ କିପରି ଭାବେ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କ ସହ ଆଲୋଚନା କରି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଆମର ଦାୟିତ୍ୱ ରହିବ ।
ତା ଛଡ଼ା ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଯୁବପିଢ଼ିଙ୍କ ନୂଆ ନୂଆ ଆଇଡିଆ, ସେମାନେ କିପରି ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବେ ସେସବୁର ତଦାରଖ କରିବା, ସେମାନଙ୍କ ଦକ୍ଷତାକୁ ବିକାଶ କରିବା ପାଇଁ ଆମେ କାମ କରିବୁ ।
ପ୍ରଶ୍ନ: ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଓଡ଼ିଶା ପାଇଁ କିଛି ଚିନ୍ତା କରିଛନ୍ତି?
ଉତ୍ତର: ଓଡ଼ିଶା ଆଉ ଓଡ଼ଶାବାସୀ ମୋ ରକ୍ତରେ । ମୁଁ ସବୁବେଳେ ସେମାନଙ୍କ ପାଇଁ ଚିନ୍ତା କରି ଆସିଛି । ମୁଁ ନିଜେ ଜଣେ ଆଦିବାସୀ ।
ତେଣୁ ଆମ ପରମ୍ପରା, ସଂସ୍କୃତି, ଐତିହ୍ୟକୁ ଜାବୁଡ଼ି ଧରି ବଞ୍ଚିବାକୁ ଚେଷ୍ଟା କରିଛି । ଓଡ଼ିଶାରେ ପିଲାବେଳୁ ବଢ଼ିଛି ।
ହେଲେ ଚାକିରି କଲା ପରେ ଓଡ଼ିଶାକୁ ପାଖରୁ ଦେଖିବାର ଓ ବୁଝିବାର ସୁଯୋଗ ପାଇଲି । ଅନେକ ଜିଲ୍ଲା ବୁଲିଛି ।
ଲୋକଙ୍କ ଜଙ୍ଗଲ, ଜମି, ପ୍ରକୃତି ପ୍ରତି ଭଲପାଇବା ହୃଦବୋଧ କରିଛି । ମୁଁ ଏସବୁକୁ ଆହୁରି ଆଗକୁ ନେବାକୁ ଚାହେଁ ।
ଆଦିବାସୀ ଲୋକ କିପରି ନିଜ ଜଙ୍ଗଲ, ଜମି ଅଧିକାରକୁ ଭଲ କରି ବୁଝିପାରିବେ, ପରିବେଶ ସୁରକ୍ଷା ପାଇଁ କାମ କରିବେ, ସେ ଦିଗରେ ମୁଁ ଗୁରୁତ୍ୱ ଦେବି ।
ପ୍ରଶ୍ନ: କେଉଁ ପରିଚିତି ଆପଣଙ୍କୁ ବେଶୀ ଖୁସି ଦେଉଛି, ଜଣେ ଆଦିବାସୀ ନା ଜଣେ ଜାତିସଂଘ ପରାମର୍ଶଦାତା?
ଉତ୍ତର: ହା ହା ହା….. । ସବୁ ପରିଚୟ ମୋ ପାଇଁ ସମାନ । ହେଲେ ଗୋଟିଏ ପରିଚୟ ମୋ ସହ ମୋ ଜନ୍ମରୁ ଅଛି ।
ଆଉ ସେଇଟା ହେଉଛି ମୁଁ ଜଣେ ଆଦିବାସୀ । ମୁଁ ଏଥିପାଇଁ ଖୁବ୍ ଗର୍ବିତ । ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଓ ଜଳବାୟୁ ପରିବର୍ତ୍ତନ ପାଇଁ ନିରନ୍ତର କାମ କରୁଥିବାରୁ ମୋତେ ଆଜି ଏ ସୁଯୋଗ ମିଳିଛି ।
ସେଥିପାଇଁ ହିଁ ମୁଁ ଜାତିସଂଘ ପରାମର୍ଶଦାତା କମିଟି ଭଳି ପ୍ଲାଟଫର୍ମରେ ନିଜର ଉପସ୍ଥିତି ଜାହିର କରିବାର ସୁଯୋଗ ପାଇଛି ।
ମୋ ମତରେ ଜଣେ ଯେତେ ଉପରକୁ ଯାଉ ନା କାହିଁକି, ଯେତେ ସଫଳତାର ଶିଢି ଚଢ଼ୁନା କାହିଁକି, ନିଜର ମା, ମାଟି ଓ ପରିଚୟକୁ ଭୁଲିଯିବା କଥା ନୁହେଁ ।
ପ୍ରଶ୍ନ: ସୁନ୍ଦରଗଡ଼ରୁ ମିଳିତ ଜାତିସଂଘ… ଏ ରୋମାଞ୍ଚକର ଯାତ୍ରା କେମିତି ଥିଲା?
ଉତ୍ତର: ଆଜି ମୁଁ ଯାହା ତା’ର ସମସ୍ତ ଶ୍ରେୟ ମୋ ପରିବାରର । ମୋ ବାପା ଓ ମା’ଙ୍କ ପାଇଁ ମୁଁ ଏ ରୋମାଞ୍ଚକର ଯାତ୍ରା ପାଇଁ ସୁଯୋଗ ପାଇଲି ।
ମୁଁ ମଧ୍ୟବିତ୍ତ ପରିବାରରୁ ଆସିଛି । ତଥାପି ମୋ ପାଠପଢ଼ା ଇଂରାଜୀ ମାଧ୍ୟମ ସ୍କୁଲରୁ ହୋଇଛି ।
ଅଭାବ ଭିତରେ ବି ପରିବାର ଲୋକେ ମୋତେ ପାଠପଢ଼ାର ସବୁ ସୁଯୋଗ ଦେଇଛନ୍ତି ।
ଯେତେବେଳେ ମୁଁ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇ ସ୍ଥିତ ଟାଟା ଇନଷ୍ଟିଚୁ୍ୟଟ୍ ଅଫ୍ ସମାଜ ବିଜ୍ଞାନରେ ମାଷ୍ଟର ଡିଗ୍ରୀ କରିବାକୁ ଚାହିଁଲି ପରିବାର ଲୋକେ ସବୁପ୍ରକାର ସମର୍ଥନ ଦେଲେ ।
ଲୋକାଲ ୱାୟାର
Leave a Reply