ଭୁବନେଶ୍ୱର, ଫେବ୍ରୁଆରୀ ୨(ଲୋକାଲ ୱାୟାର): ପୁରୁଣା ଭୁବନେଶ୍ୱର ସ୍ଥିତ ଏକାମ୍ର କ୍ଷେତ୍ର ଅଞ୍ଚଳରେ ଥିବା ଐତିହ୍ୟର ସୁରକ୍ଷା ପାଇଁ ଆଜି ଇନଟାକ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୫ ଟି ପ୍ରସ୍ତାବ ଦିଆଯାଇଛି ।
ଯେଉଁଥିରେ ପୁରୁଣା ଭୁବନେଶ୍ୱରକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ବୈତାଳ ମନ୍ଦିର ଆଖ ପାଖ ଅଞ୍ଚଳକୁ ନେଇ ଗୋଟିଏ ସମ୍ବେଦନଶୀଳ ଜୋନ୍ କରାଯାଇଥିବା ବେଳେ ପାପନାଶିନୀ ମନ୍ଦିରକୁ ନେଇ ଦ୍ୱିତୀୟ ଜୋନ୍ ଓ ଶୁକଶାରୀ-ଭବାନୀଶଙ୍କର ମନ୍ଦିରକୁ ନେଇ ତୃତୀୟ ସମ୍ବେଦନଶୀଳ ଐତିହ୍ୟ କରିଡର ଚିହ୍ନଟ କରାଯାଇଛି ।
ଏକାମ୍ରକ୍ଷେତ୍ର ବିକାଶ ଯୋଜନାରେ ଯେପରି ଏସବୁ ସ୍ଥାନକୁ ଗୁରୁତ୍ୱ ଦିଆଯାଏ ସେଥିପାଇଁ ଇନଟାକ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି ।
ଏହାଛଡା ଏକାମ୍ରକ୍ଷେତ୍ର ଅଞ୍ଚଳର ୧୦୦ଟି ପୁରୁଣା ମନ୍ଦିର ଓ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ଥିବା ସ୍ଥାନକୁ ଚିହ୍ନଟ କରିଛି ।
ଇନଟାକ୍ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବରେ ଏକାମ୍ରକ୍ଷେତ୍ର ବିକାଶ ଯୋଜନା ପାଇଁ ଆସନ୍ତା ଦିନରେ ରାଡାର ସର୍ଭେ ଦ୍ୱାରା ବୈଜ୍ଞାନିକ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଛି ।
ଏହାଛଡ଼ା ଐତିହ୍ୟ ସ୍ଥଳୀର ଉପଯୁକ୍ତ ମ୍ୟାପିଂ ଓ ଡକୁ୍ୟମେଣ୍ଟେସନ୍ କରିବା ସହ ଏକାମ୍ରକ୍ଷେତ୍ର ବିକାଶ କାମର ତଦାରଖ କରିବାକୁ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ତିଆରି,ଐତିହ୍ୟ ସମ୍ବେଦନଶୀଳ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ବର୍ତ୍ତମାନ ସମୟରେ ଏକାମ୍ରକ୍ଷେତ୍ରରେ ଚାଲିଥିବା ବିକାଶ କାମରେ ଐତିହ୍ୟ ପ୍ରଭାବ ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ ଏହି ପ୍ରସ୍ତାବରେ କୁହାଯାଇଛି ।
ପାପନାଶିନୀ, ଦେବୀପାଦହରା, ଗଙ୍ଗାଯମୁନା ଓ ଗୋଶଗରେଶ୍ୱର ପୋଖରୀର ପୁନରୁଦ୍ଧାର କରିବାକୁ ଇନଟାକ୍ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ଉଳ୍ଲେଖ ରହିଛି ।
ଲୋକାଲ ୱାୟାର
Leave a Reply