ଭୁବନେଶ୍ୱର, ଡିସେମ୍ବର ୨(ଲୋକାଲ ୱାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ଣରେ ଏକାମ୍ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ସହ ଶୀଘ୍ର ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ପୁରୀ ଶ୍ରୀମନ୍ଦିର ଭଳି ସ୍ୱତନ୍ତ୍ର ଆଇନ କରାଯିବ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ ଏକାମ୍ର ବିକାଶ କାମ ଦେଖିବା ସହ ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ୱିଂହଦ୍ୱାରକୁ ଯାଇ ସେଠାରୁ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଥିଲେ ।
ବର୍ତ୍ତମାନର ସରକାରଙ୍କ ସମୟରେ ବିନ୍ଦୁସାଗର ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ ହୋଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ।
ପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରିଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ।
ଏକାମ୍ର କ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ଏବଂ ପ୍ରକଳ୍ପ କାମ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଏହି ଯୋଜନା ସଫଳ ହେବ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ, ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏବଂ ପୂର୍ତ୍ତ ସଚିବ କିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply