ଭୁବନେଶ୍ୱର, ଅଗଷ୍ଟ ୩୦(ଲୋକାଲ ୱାୟାର): କରୋନା ସଂକ୍ରମଣ ହ୍ରାସ ପାଇ ନଥିଲେ ବି କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କଟକଣାକୁ ଅନ୍ ଲକ୍ କରି ଚାଲିଛନ୍ତି ।
ଏଣିକି କୌଣସି ରାଜ୍ୟ ସରକାର ନିଜ ଇଚ୍ଛାରେ କୌଣସିି ସ୍ଥାନରେ ସଟ୍ ଡାଉନ କିମ୍ବା ଲକ୍ ଡାଉନ କରିପାରିବେନି ।
ଏଥିପାଇଁ କେନ୍ଦ୍ରଠାରୁ ଅନୁମତି ଦରକାର ବୋଲି ଶନିବାର କେନ୍ଦ୍ର ସରକାର ଜାରି କରିଥିବା ଅନ୍ ଲକ୍-୪ରେ ଘୋଷଣା କରିଛନ୍ତି ।
କେନ୍ଦ୍ରର ନିଷ୍ପତ୍ତି ଅନୁସାରେ, ସେପ୍ଟେମ୍ବର ୧ ତାରିଖରେ ଦେଶରେ ଅନ୍ ଲକ୍-୪ କାର୍ଯ୍ୟକାରୀ ହେବ ।
ନୂତନ ଗାଇଡଲାଇନ ଅନୁସାରେ କେନ୍ଦ୍ର ସରକାରଙ୍କ ଅଗୋଚରରେ ରାଜ୍ୟ କୌଣସି କଟକଣା ଜାରି କରିପାରିବନି ।
ରାଜ୍ୟ ସରକାର କେବଳ କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ ପାଇଁ ନିଷ୍ପତ୍ତି ନେଇପାରିବେ ।
ଅନ୍ୟଥା ଅନ୍ୟ ଅଞ୍ଚଳ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଲେଖିବାକୁ ପଡ଼ିବ ।
ସେହିପରି ଏଣିକି ରାଜ୍ୟ-ରାଜ୍ୟ ମଧ୍ୟରେ ଯାତାୟାତରେ ଆଉ କୌଣସି କଟକଣା ରହିବ ନାହିଁ ।
ସେପ୍ଟେମ୍ବର ୭ ତାରିଖରୁ ପର୍ଯ୍ୟାୟକ୍ରମେ ଦେଶବ୍ୟାପୀ ମେଟ୍ରୋ ରେଳ ସେବା ମଧ୍ୟ ଆରମ୍ଭ ହୋଇପାରିବ । ଅନ୍ ଲକ୍-୪ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ।
ତେବେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । କିନ୍ତୁ ସେପ୍ଟେମ୍ବର ୨୧ ତାରିଖ ପରଠାରୁ କଣ୍ଟେନମେଣ୍ଟ ଜୋନ୍ ବାହରେ ଶହେ ଲୋକଙ୍କୁ ନେଇ ଧାର୍ମିକ, କ୍ରୀଡ଼ା, ରାଜନୈତିକ ଓ ମନୋରଞ୍ଜନ ସମାବେଶ ସକାଶେ ଅନୁମତି ଦିଆଯାଇଛି ।
ଅନଲାଇନ ପାଠପଢ଼ାକୁ ଅନୁମତି ଥିବା ବେଳେ ୫୦% ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲ ଆସିପାରିବେ ।
ନବମରୁ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀ ଅଭିଭାବକଙ୍କ ଅନୁମତିପତ୍ର ସହ ସ୍କୁଲକୁ ପାଠ ବୁଝିବାକୁ ଯାଇପାରିବେ ।
ତେବେ ଥର୍ମାଲ ସ୍କି୍ରନିଂ, ମାସ୍କ ଓ ସମାଜିକ ଦୂରତ୍ୱ ପ୍ରତ୍ୟେକ କ୍ଷେତ୍ରରେ ବାଧ୍ୟତାମୂଳକ ରହିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।
ଲୋକାଲ ୱାୟାର
Leave a Reply