ଭୁବନେଶ୍ୱର, ଅଗଷ୍ଟ ୧ (ଲୋକାଲ ୱାୟାର): ଲାଇଭ୍ ହେବାର ସାଢ଼େ ତିନି ମାସ ମଧ୍ୟରେ ଓଡ଼ିଶା କୋଭିଡ ଡ୍ୟାସବୋର୍ଡ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ତଥ୍ୟର ଗନ୍ତାଘର ପାଲଟିବା ସହ ସାଧାରଣ ଲୋକଙ୍କୁ ରୋଗ ସମ୍ପର୍କରେ ବିଶ୍ଳେଷଣାତ୍ମକ ତଥ୍ୟ ଦେଇଆସୁଛି ।
କେବଳ ନୀତି ପ୍ରଣାତା ନୁହେଁ ଖବର ଜାଣିବାରେ ଆଗ୍ରହୀ ବିଶ୍ୱର ବିଭିନ୍ନ ଦେଶର ଲୋକେ ନୂତନ ତଥ୍ୟ ପାଇଁ ଡ୍ୟାସବୋର୍ଡ ପରିଦର୍ଶନ କରୁଛନ୍ତି ।
ଉଭୟ ଇଂରାଜୀ ଓ ଓଡ଼ିଆରେ ଉପଲବ୍ଧ ଏହି ଡ୍ୟାସବୋର୍ଡ ସୂଚନା ପ୍ରଯୁକ୍ତି ବିଭାଗ ଅଧୀନ ଓଡ଼ିଶା କମ୍ପୁ୍ୟଟର ଆପ୍ଲିକେସନ ସେଣ୍ଟରର ୧୦ ଜଣିଆ ଟିମ ଦ୍ୱାରା ପରିଚାଳିତ ହୋଇଥାଏ ।
ଏପ୍ରିଲ ୨୨ରେ ଡ୍ୟାସବୋର୍ଡ କାର୍ଯ୍ୟକ୍ଷମ ହେବା ବେଳକୁ ରାଜ୍ୟରେ ପ୍ରାୟ ୯୦ଟି ମାମଲା ଥିଲା ।
ଦେଶର ଏହି ଅନ୍ୟତମ ଶ୍ରେଷ୍ଠ ସରକାରୀ କୋଭିଡ ଡ୍ୟାସବୋର୍ଡକୁ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ନେଦରଲ୍ୟାଣ୍ଡ, ୟୁଏଇ, ଇଂଲଣ୍ଡ ଭଳି ୧୨୩ଟି ଦେଶର ଲୋକେ ପରିଦର୍ଶନ କରିଛନ୍ତି ।
ଦୈନିକ ହାରାହାରି ୪୦ ହଜାର ହିଟ୍ ହେଉଥିବା ଏହି ଡ୍ୟାସବୋର୍ଡ କୋଭିଡ ତଥ୍ୟ ପରିଚାଳନାରେ ଓଡିଶାକୁ ଦେଶର ତୃତୀୟ ସ୍ଥାନରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଛି ବୋଲି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ।
ଓଡ଼ିଶା ସରକାର ଜାରି କରୁଥିବା ସମସ୍ତ କୋଭିଡ ତଥ୍ୟ ଏହି ଡ୍ୟାସବୋର୍ଡରୁ ଜଣାପଡ଼ିବ ।
କୋଭିଡ ତଥ୍ୟ ପ୍ରଦାନରେ ଡ୍ୟାସବୋର୍ଡ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ଷ୍ଟାନଫୋର୍ଡର ଗବେଷଣାମୂଳକ ପ୍ରବନ୍ଧ ‘ଡିସପାରିଟି ଇନ ଦ କ୍ୱାଲିଟି ଅଫ କୋଭିଡ-୧୯ ଡାଟା ରିପୋର୍ଟିଂ ଆକ୍ରସ ଇଣ୍ଡିଆ’ର ଗବେଷକ ବରୁଣ ବାସୁଦେବନ ଓ ଅବେନାୟା ଜ୍ଞାନଶେଖରନ ।
ପାଉଥିବା ତଥ୍ୟ ବୁଝିବା ପାଇଁ ଡ୍ୟାସବୋର୍ଡ ଆରମ୍ଭ କରିଥିଲୁ । ସେତେବେଳେ ତଥ୍ୟ ପାଇବାର ଅନ୍ୟ କୌଣସି ମାଧ୍ୟମ ନଥିବାରୁ ଏହା ଲୋକପ୍ରିୟ ହୋଇପାରିଥିଲା ।
ଲାଇଭ୍ ହେବା ପରଠାରୁ ଡ୍ୟାସବୋର୍ଡରେ ଅଧିକ ତଥ୍ୟ ସାମିଲ ହୋଇଛି ଓ ତଥ୍ୟ ପରିକଳ୍ପନା ଉନ୍ନତ ହୋଇଛି । ସରକାରୀ ସଂସ୍ଥା ବିଶେଷ କରି ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଯୋଗାଇଥାଏ ।
ଡ୍ୟାସବୋର୍ଡରେ ପ୍ରବାସ ଫେରନ୍ତାଙ୍କ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବା ପରେ ପରିବହନ ବିଭାଗ ମଧ୍ୟ ଯୋଡ଼ି ହୋଇଥିଲା । ପ୍ରାଥମିକ ଭାବେ ଏହା ତିନିଦିନରେ ଅପଡେଟ ହେଉଥିଲା ।
ତଥ୍ୟ ଆଗମନ ସୁଗମ ହେବା ପରେ ଏହାକୁ ପ୍ରତି ୨୪ ଘଣ୍ଟାରେ ଅପଡେଟ କରାଯାଉଛି ବୋଲି କହିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ମନୋଜ କୁମାର ମିଶ୍ର ।
ଓଡିଶା କୋଭିଡ ଡ୍ୟାସବୋର୍ଡରେ ଦୈନିକ ସଂକ୍ରମଣ, ସକ୍ରିୟ ମାମଲା, ସୁସ୍ଥଙ୍କ ସଂଖ୍ୟା ଓ ମୃତୁ୍ୟ ସଂଖ୍ୟା ରେକର୍ଡ ହେଉଛି ।
ବ୍ୟବହାରକାରୀଙ୍କ ଫିଡବ୍ୟାକ କ୍ରମେ ଡ୍ୟାସବୋର୍ଡରେ ଦୈନିକ ନୂଆ ଓ ବଢ଼ନ୍ତା ମାମଲାର ଗ୍ରାଫ ସ୍ଥାନ ପାଇଛି ।
ମେ ମାସରେ ଜିଲ୍ଲାଗୁଡ଼ିକର ଦୈନନ୍ଦିନ ବଢୁଥିବା କୋଭିଡ ମାମଲାକୁ ନେଇ ସମୟାନ୍ତର (ଟାଇମ ଲାପ୍ସ) ଗ୍ରାଫ ଯୋଡ଼ା ଯାଇଥିଲା । ବୟସ ଓ ଲିଙ୍ଗ ଅନୁଯାୟୀ ରୋଗୀଙ୍କ ବିବରଣୀ ପରେ ଏହା ସ୍ଥାନିତ ହୋଇଥିଲା ।
ଡ୍ୟାସବୋର୍ଡରେ ପ୍ରଦତ ତଥ୍ୟର ସଠିକତା ପାଇଁ ଆମେ ଖୁବ ଶୀଘ୍ର ବ୍ଲକ ସ୍ତରୀୟ ପରୀକ୍ଷଣ ତଥ୍ୟ ଅନ୍ତର୍ଭୁକ୍ତ କରିବୁ ବୋଲି ଆଇଟି ସଚିବ କହିଛନ୍ତି ।
ପୂର୍ବରୁ କୌଣସି ରୋଗର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ତଥ୍ୟ ଉପରେ ନିର୍ଭରଶୀଳ ଥିବା ବେଳେ ଏହି ମହାମାରୀ ବେଳେ ଲୋକେ ଅଧିକ ତଥ୍ୟ ଜାଣିବାକୁ ଆଗ୍ରହୀ ଅଛନ୍ତି ।
ଆମେ ସମସ୍ତେ ଏହି ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛୁ । ତେଣୁ ମହାମାରୀ ସମ୍ପର୍କିତ ତଥ୍ୟ ଜାଣିବାକୁ ଲୋକେ ଆଗ୍ରହୀ ହେବା ସ୍ୱାଭାବିକ ବୋଲି ଷ୍ଟାନଫୋର୍ଡର ଗବେଷକମାନେ କହିଛନ୍ତି ।
କୋଭିଡ ଡ୍ୟାସବୋର୍ଡ ସଫଳତା ଯୋଗୁଁ ଓଡ଼ିଶା ସରକାର ତଥ୍ୟ ମାଧ୍ୟମରେ ନିଷ୍ପତ୍ତି ନେବା ସମ୍ପର୍କରେ ଯୋଜନା କରୁଛନ୍ତି ।
ଆଗାମୀ ଏକ ବର୍ଷ ମଧ୍ୟରେ ପ୍ରମୁଖ ଯୋଜନାଗୁଡ଼ିକ ସମେତ ୩୦ଟି ବିଭାଗର ତଥ୍ୟକୁ ନେଇ ମହାତ୍ୱାକାଂକ୍ଷୀ ଡ୍ୟାସବୋର୍ଡ ପାଇଁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି ।
ଏହାସହିତ ଚାକିରି ଆଶାୟୀଙ୍କୁ ନିଯୁକ୍ତିଦାତାଙ୍କ ସହ ଯୋଡୁଥିବା ଇ-ନିଯୁକ୍ତି କେନ୍ଦ୍ର ପାଇଁ ମଧ୍ୟ ଯୋଜନା ରହିଛି । ଅନ୍ୟ କ୍ଷେତ୍ରରେ ମଧ୍ୟ ଡ୍ୟାସବୋର୍ଡ ବ୍ୟବହାରକୁ ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ଷ୍ଟାନଫୋର୍ଡ ଗବେଷକମାନେ ଆଶାୟୀ ଅଛନ୍ତି ।
୨୦୩୦ ସୁଦ୍ଧା ଟିବି ନିରାକରଣ ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ଧାର୍ଯ୍ୟ କରା ଯାଉଥିବାରୁ ରାଜ୍ୟ ସରକାର ଟିବି ଡ୍ୟାସବୋର୍ଡ ଆରମ୍ଭ କରିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି ।
ଡ୍ୟାସବୋର୍ଡ ଚଳାଇବା ଖର୍ଚ୍ଚ ସମ୍ପର୍କରେ ଆଇଟି ସଚିବ ମିଶ୍ର କହିଛନ୍ତି ୱେବସାଇଟ ଚଳାଇବା ପାଇଁ ହେଉଥିବା ଖର୍ଚ୍ଚରେ ଡ୍ୟାସବୋର୍ଡ କାର୍ଯ୍ୟକ୍ଷମ ହୋଇପାରିବ ।
ତେବେ ସୃଷ୍ଟିକର୍ତ୍ତା ବା ପରିଚାଳନା ମଣ୍ଡଳୀର ବିଷୟ ସମ୍ପର୍କିତ ଜ୍ଞାନ ଏହାକୁ ଆଗକୁ ନେଇଥାଏ । ଗୁଣବତ୍ତା ପାଇଁ ପଇସା ଖର୍ଚ୍ଚ କରିବାକୁ ପଡ଼େନାହିଁ ବୋଲି ମିଶ୍ର କହିଛନ୍ତି ।
ଲୋକାଲ ୱାୟାର
Leave a Reply