ଭୁବନେଶ୍ୱର,ଡିସେମ୍ବର ୨୯(ଲୋକାଲ ୱାୟାର): ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ କ୍ୟାବିନେଟରେ ସଂକଳ୍ପ ପାରିତ କରିଥିବା ବେଳେ ଓବିସି ବର୍ଗ ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ପଦକ୍ଷେପ କାହିଁକି ନେଉନାହାନ୍ତି ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି, ମୋଦି ସରକାର ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ପାଇଁ ଆଇନ କରିଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି ।
ତେବେ ଦେଖିବାକୁ ଗଲେ ଓଡ଼ିଶାର ସମସ୍ତ ସରକାରୀ ସ୍କୁଲରେ ଅଧିକାଂଶ ଓବିସି ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ପରିବାରର ପିଲାମାନେ ମାନେ ହିଁ ପାଠ ପଢୁଛନ୍ତି ।
ଏହି ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୦ ଜାନୁଆରୀ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ ।
ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ବିଶେଷ ଅଧିବେଶନ ଡାକି ବିଲ୍ ପାସ କରି ଉପରୋକ୍ତ ଦୁଇଟି ବର୍ଗରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଡ. ସାମନ୍ତସିଂହାର ଦାବି କରିଛନ୍ତି ।
ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନୁ୍ୟନ ୨୭୍ୟ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ,
ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡ଼ିକରେ ଏହି ଜାତି ଗୁଡ଼ିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି ।
ତାମିଲନାଡୁ ଭଳି ରାଜ୍ୟରେ ୫୯ % ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦% ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।
ମାତ୍ର ଓଡ଼ିଶା ଜନସଂଖ୍ୟାରେ ଓବିସି ଓ ଏସଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ କାହିଁକି ବଂଚିତ ରହିଛନ୍ତି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply