ଭୁବନେଶ୍ୱର, ଫେବ୍ରୁଆରୀ ୨୪(ଲୋକାଲ ୱାୟାର): ନବେ ଦଶକରେ ଯେତେବଳେ ଓଡିଆ ଚଳଚ୍ଚିତ୍ର ଜଗତରେ ପୁଣି ଥରେ ନାୟିକା ସଙ୍କଟ ଦେଖାଦେଇଥିଲା ସେତେବେଳେ ଏମିତି ଜଣେ ନାୟିକାଙ୍କର ଆବିର୍ଭାବ ହୋଇଥିଲା ଯିଏ ଦର୍ଶକଙ୍କ ଚାହିଦା ତ ପୂରଣ କରିଥିଲେ ତା’ ସହିତ ନିର୍ମାତା ନିଦେ୍ର୍ଦଶକଙ୍କ ପାଇଁ ପାଲଟି ଯାଇଥିଲେ ନିର୍ଭରଯୋଗ୍ୟ ନାୟିକା ।

ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ’ ଫିଲ୍ମରୁ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ ଯାତ୍ରା ।

ପରେ ପରେ ‘ଏଇ ଆଖି ଆମ ସାକ୍ଷୀ’, ‘ନାଗପଞ୍ଚମୀ’, ‘ଉଦଣ୍ଡୀସୀତା’, ‘ଶ୍ରଦ୍ଧାଞ୍ଜଳି’, ‘ଅକୁହା କଥା’, ‘ପାଚେରି ଉଠିଲା ମଝି ଦୁଆରୁ’, ‘ସୁନାପଞ୍ଜୁରି’ ଆଦି ଗୋଟିଏ ପରେ ଗୋଟିଏ ହିଟ୍ ଦେଇ ସେ ସଫଳତାର ଶିଖର ଛୁଇଁଥିଲେ ।

ହେଲେ ଦର୍ଶକ ଯେତେବେଳେ ତାଙ୍କୁ ଅଧିକରୁ ଅଧିକ ସିନେମାରେ ଦେଖିବାକୁ ଚାହୁଁଥିଲେ ସେ ଅଚାନକ ବିବାହ ବନ୍ଧନରେ ବାନ୍ଧି ହୋଇ ଅଭିନୟଠୁ ଦୂରେଇ ଯାଇଥିଲେ ।

ମଝିରେ ଅବଶ୍ୟ ତାଙ୍କ ଅଭିନୀତ ଦୁଇଟି ଚଳଚ୍ଚିତ୍ର (‘ମୁଁ ତତେ ଲଭ୍ କରୁଛି’ ଓ ‘ତୋ ପାଇଁ ନେବି ମୁଁ ଶହେ ଜନମ’) ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ଆଉ କୌଣସି ଚଳଚ୍ଚିତ୍ରରେ ନଜର ଆସିନଥିଲେ ।

ଢେର୍ ବର୍ଷର ବ୍ୟବଧାନ ପରେ ଓଲିଉଡକୁ କମବ୍ୟାକ୍ କରୁଛନ୍ତି ବିଗତ ଦିନର ଏହି ଚର୍ଚ୍ଚିତ ଓ ପ୍ରତିଭାମୟୀ ଅଭିନେତ୍ରୀ ।

ନିର୍ମାଣାଧୀନ ଚଳଚ୍ଚିତ୍ର ‘ଦିଲ୍ ର ପାସୱାର୍ଡ’ ଜରିଆରେ ତାଙ୍କର କମବ୍ୟାକ୍ ହେଉଛି । ଏଥିସହିତ ସେ ‘ୱୁହାନରୁ ଓଡ଼ିଶା’ରେ ଅଭିନୟ କରୁଛନ୍ତି ।

ନିଜର କମବ୍ୟାକ୍ ସମ୍ପର୍କରେ ସସ୍ମିତା କୁହନ୍ତିି, ପରିବାରର ସହଯୋଗ ଓ ଦର୍ଶକଙ୍କ ଭଲପାଇବା ଯୋଗୁ ଏହା ସମ୍ଭବ ହୋଇପାରିଛି ।

‘ଦିଲ୍ ର ପାସୱାର୍ଡ’ ଚଳଚ୍ଚିତ୍ରରେ ନିଜ ଚରିତ୍ରକୁ ନେଇ ସେ ବେଶ୍ ଉତ୍ସାହିତ ମଧ୍ୟ ଅଛନ୍ତି ।

ଏଥିପାଇଁ କାର୍ଯ୍ୟକାରୀ ପ୍ରଯୋଜକ ରମାଶଙ୍କର ଓ ସଙ୍ଗୀତ ନିଦେ୍ର୍ଦଶକ ପ୍ରେମ୍ ଆନନ୍ଦଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଲୋକାଲ ୱାୟାର