କେନ୍ଦ୍ରାପଡ଼ା, ଫେବ୍ରୁଆରୀ ୧୯ (ଲୋକାଲ ୱାୟାର): ପରିବେଶ ପରିବର୍ତ୍ତନ ଉପରେ ଆଧାରିତ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ କାଲିର ଅତୀତ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ।
ସମୁଦ୍ରରେ କ୍ଷୟ ହେବାକୁ ଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ଗାଁରେ ଶୁଟିଂ ହୋଇଥିବା ଏହି ଫିଲ୍ମଟି ବେଷ୍ଟ ପିକ୍ଚର, ବେଷ୍ଟ ଆକ୍ଟର ଓ ଅନ୍ୟ କିଛି ବିଭାଗରେ ଓସ୍କାର ପୁରସ୍କାରର ସାଧାରଣ ବର୍ଗରେ ସାମିଲ ହୋଇଛି । ଏକାଡେମି ସ୍କ୍ରିନିଂ ପାଇଁ ଏହା ଉପଲବ୍ଧ ହେବ ।
ଜାତୀୟ ପୁରସ୍କାର ବିଜେତା ନିଦେ୍ର୍ଦଶକ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ କାଲିର ଅତୀତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଭବିଷ୍ୟବାଣୀ ଉପରେ ଆଧାରିତ ।
ସାତଭାୟା ଗାଁର ଜଣେ ବ୍ୟକ୍ତିଙ୍କୁ କେନ୍ଦ୍ର କରି ଫିଲ୍ମର କାହାଣୀ ପ୍ରସ୍ତୁତ ହୋଇଛି । ସାତଭାୟା ଗାଁର ହତାଶ ଯୁବକ ଗୁନୁ ମୃତ୍ୟୁ ଦିଗରେ ଅଗ୍ରସର ହେଉଛି ।
ଗତ ବାତ୍ୟାର ସ୍ମୃତି ତାଙ୍କୁ ଆଉ ଏକ ବାତ୍ୟା ଆସୁଥିବା ସଙ୍କେତ ଦେଉଛି । ହଜିଲା ପରିବାର ସହ ଏକାଠି ହେବାକୁ ବାତ୍ୟାର ପାଞ୍ଚ ଦିନ ପୂର୍ବରୁ ସେ ଗାଁକୁ ଫେରିଛି ।
ହେଲେ ଦେଖିଛି ଗାଁ ଏବେ ବି ପାଣି ତଳେ ରହିଛି । ପ୍ରକୃତିର ତାଣ୍ଡବରୁ ବର୍ତିବା ପାଇଁ ଗୁନୁର ସଂଘର୍ଷ ମାନସିକ ଆଘାତ ଓ ମାନବୀୟ ବିଜୟକୁ ଦର୍ଶାଇଛି ।
ସାତଭାୟା ଗାଁର ବହୁ ମହିଳା ଓ ପିଲା ଏହି ଫିଲ୍ମରେ ଅଭିନୟ କରିଛନ୍ତି ।
କାଲିର ଅତୀତ ମୋର ପ୍ରଥମ ଓଡ଼ିଆ ଫିଲ୍ମ । ଏହା ଓସ୍କାର ଦୌଡରେ ସାମିଲ ହୋଇଥିବାରୁ ବେଶ ଖୁସି ଲାଗୁଛି ।
ଏହା ନିଶ୍ଚିତ ଭାବେ ଏବର୍ଷର ଖୁସି ଖବର ଓ ଭାବୁଛି ବର୍ଷଟି ଅଧିକ ଖୁସି ଆଣିବ ବୋଲି କହିଛନ୍ତି ନୀଳମାଧବ ପଣ୍ଡା ।
ଯଦି ଭବିଷ୍ୟବାଣୀକୁ ବିଶ୍ୱାସ କରାଯାଏ ତେବେ ଗ୍ଲୋବାଲ ୱାର୍ମିଂ ଓ ବଙ୍ଗୋପସାଗରରେ ଜଳ ସ୍ତର ବୃଦ୍ଧି ଯୋଗୁଁ ପୁରୀ ସମୁଦ୍ରରେ ବୁଡ଼ିଯିବ ।
୧୬ଶହ ଶତାଦ୍ଦୀର ଓଡ଼ିଆ ସନ୍ଥ ଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ମାଳିକାରେ ପ୍ରଳୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା, ପରିବେଶ ପରିବର୍ତ୍ତନ ଯୋଗୁଁ କିପରି ଲୋକେ ଜୀବନ ଓ ଜୀବିକା ହରାଉଛନ୍ତି ତାହା ଦେଖାଇବା ଫିଲ୍ମର ମୂଳ ଉଦେ୍ଦଶ୍ୟ ।
ଫିଲ୍ମରେ ପ୍ରଦର୍ଶିତ ହୋଇଥିବା ସାତଭାୟାର ଟୁ୍ୟବୱେଲ ସମୁଦ୍ର ଗାଁ ଆଡ଼କୁ ମାଡ଼ି ଆସିଥିବା ଦର୍ଶାଉଛି ବୋଲି ନିଦେ୍ର୍ଦଶକ ନୀଳମାଧବ ପଣ୍ଡା କହିଛନ୍ତି ।
ଲୋକାଲ ୱାୟାର
Leave a Reply