ଭୁବନେଶ୍ୱର, ଅଗଷ୍ଟ ୬(ଲୋକାଲ ୱାୟାର): ଲକଡାଉନରେ ଓଲିଉଡର ଦେବଦାସ ଭାବେ ପରିଚିତ ଅଭିନେତା ଅସିତ୍ ପାତ୍ର ନୂଆ ଏକ୍ସପେରିମେଣ୍ଟ କରିଛନ୍ତି ।
ତାଙ୍କର ଏହି ପରୀକ୍ଷାନିରୀକ୍ଷାମୂଳକ ପ୍ରୋଜେକ୍ଟରେ ସାମିଲ ହୋଇଛନ୍ତି ଓଲିଉଡର ବଛାବଛା, ଜଣାଶୁଣା କଳାକାର ।
ଯାହାଙ୍କୁ ନେଇ ଏହିଭଳି ସିନେ ନାଟକ ପ୍ରସ୍ତୁତ କରୁଛନ୍ତି ଅସିତ୍ । ଯାହା ଓଡ଼ିଆ ନାଟକ ଇତିହାସରେ ପ୍ରଥମ । ସିନେ ଇତିହାସରେ ବି ପ୍ରଥମ ।
ଏହାର ପ୍ରଯୋଜନା, ନିଦେ୍ର୍ଦଶନା ସାଙ୍ଗକୁ ଅଭିନୟରେ ସେ ନିଜେ ରହିଛନ୍ତି । ଭାରତର ପ୍ରସିଦ୍ଧ ନାଟ୍ୟକାର ବିଜୟ ତେନ୍ଦୁଲକରଙ୍କ ରଚିତ ମରାଠି ନାଟକ ‘ସଖାରାମ ବାଇଣ୍ଡର’ର ଏହା ଓଡ଼ିଆ ସିନେ ରୂପାୟନ ।
ଓଡ଼ିଆ ଭାଷାରେ ମଞ୍ଚସ୍ଥ ଏହି ନାଟକର ଇଂରାଜୀ ସବଟାଇଟଲ୍ ରହିଛି । ଏଥିପାଇଁ ସ୍ୱତନ୍ତ୍ର ମଞ୍ଚରେ ସେଟ୍ ଲଗାଯାଇ ନାଟକର ସୁଟିଂ ହୋଇଛି ।
ଏହା ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବ । ଅଞ୍ଜନେୟ ମିଡିଆ ଓ କ୍ୟାମେରା କୁଇନ୍ ପ୍ରଡକ୍ସନ ସହଯୋଗରେ ପ୍ରସ୍ତୁତ ଏହି ସିନେ ନାଟକର ପ୍ରଯୋଜନା କରିଛନ୍ତି ପ୍ରଭାତ ପ୍ରଧାନ ।
ନିର୍ଦେଶନା ଦେଇଛନ୍ତି ଅସିତ୍ ପାତ୍ର ଓ ସୁନୀଲ ପଟ୍ଟନାୟକ । ସଙ୍ଗୀତ ସଂଯୋଜନା କରିଛନ୍ତି ହରପ୍ରୀତ ସିଂହ ।
କ୍ୟାମେରାରେ ବିଶ୍ୱ ଭୂଷଣ ମହାପାତ୍ର, ଡିଓପିରେ ସଞ୍ଜୟ, କଳାରେ ନବଘନ ଦଳେଇ, ପ୍ରଡକ୍ସନ୍ ମ୍ୟାନେଜର ନିରଞ୍ଜନ ଆଚାର୍ଯ୍ୟ, ଡିଜାଇନରେ ବିକାଶ ମହାନ୍ତି, ସମ୍ପାଦନାରେ ଅଶ୍ୱିନୀ ଜେନା, ପୋଷ୍ଟର୍ ଡିଜାଇନରେ ଐଶ୍ୱର୍ଯ୍ୟା ରାଉତ ସହଯୋଗ କରିଛନ୍ତି । ମୁଖ୍ୟ ସଖାରାମ ଚରିତ୍ରରେ ଅସିତ୍ ଅଭିନୟ କରୁଛନ୍ତି ।
ତାଙ୍କ ସହିତ ଅଭିନେତା ପିଣ୍ଟୁ ନନ୍ଦ, ସୁଜିତ ପାଇକରାୟ, ଅଭିନେତ୍ରୀ ଶ୍ୱେତା ଆଚାର୍ଯ୍ୟ ଓ ରେଶ୍ମାଞ୍ଜଳି ସାହୁ ଅଭିନୟ କରୁଛନ୍ତି ।
ଏହାର ପୋଷ୍ଟର୍ ରିଲିଜ୍ ହୋଇସାରିଥିଲାବେଳେ ଅସିତ୍ଙ୍କ ଏହିଭଳି ଉଦ୍ୟମକୁ ନାଟକଠାରୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ ସବୁଠି ପ୍ରଶଂସା କରାଯାଇଛି ।
ସୂଚନାଯୋଗ୍ୟ, ଅସିତ୍ ଜଣେ ବହୁତ ବଡ଼ ପ୍ରତିଭା । ମୁମ୍ବାଇରେ ୧୦ବର୍ଷ ରହିବା ଭିତରେ ଅସିତ୍ ୧ହଜାରରୁ ଉର୍ଦ୍ଧ୍ବ ହିନ୍ଦୁସ୍ଥାନୀ ନାଟକ କରିଛନ୍ତି ।
ଯାହାର ଅନୁଭୂତିକୁ ନେଇ ସେ ଏହି ଓଡ଼ିଆ ସିନେ ନାଟକକୁ ନିର୍ମାଣ କରିଛନ୍ତି । ସେ ଦୀର୍ଘଦିନ ଧରି ମୁମ୍ବାଇରେ କାମ କରିବା ପରେ କିଛି ନୂଆ କରିବାର ଆଶା ନେଇ ଦୀର୍ଘ ୩ ବର୍ଷ ହେଲା ଓଡ଼ିଶା ଫେରିଛନ୍ତି ।
ପ୍ରଥମେ ୨୦୧୭ରେ ସିନେମା ‘ଭୈରବ’ ମାଧ୍ୟମରେ ଓଲିଉଡକୁ ପ୍ରବେଶ କରିଥିଲେ । ମୌଳିକ କାହାଣୀ ସହ ଏକ ଭିନ୍ନ ଚରିତ୍ରରେ ନଜର ଆସିଥିଲେ ।
ପରେ ସେ ଏକ ବଡ଼ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ପ୍ରଥମ ଥର ପାଇଁ ଓଡ଼ିଆରେ ବିଗ୍ ବଜେଟ୍ ଚଳଚ୍ଚିତ୍ର କରିଥିଲେ ।
ବିଭିନ୍ନ ଭାଷାରେ ରିଲିଜ୍ ହୋଇସାରିଥିବା ‘ଦେବଦାସ’କୁ ଓଡ଼ିଆରେ କରିଥିଲେ । ଯାହାର ଶୀର୍ଷକ ରଖିଥିଲେ ‘ନାୟକର ନାଁ ଦେବଦାସ’ ।
ଏଥିରେ ସେ ନିଜେ ଦେବଦାସ ଭୂମିକାରେ ନଜର ଆସିଥିଲେ । ଏବେ ଅସିତ୍ ଫିଲ୍ମ ‘କିଏ ହେବ ମୋ ହିରୋଇନ୍’ର ରିଲିଜ୍ ଅପେକ୍ଷାରେ ରହିଛନ୍ତି ।
ଲୋକାଲ ୱାୟାର
Leave a Reply