ଭୁବନେଶ୍ୱର, ମାର୍ଚ୍ଚ ୧୧(ଲୋକାଲ ୱାୟାର): ଓଡ଼ିଆ ଭାଷାର ବ୍ୟବହାରକୁ ସୀମିତ କରାଯିବା ଉଚିତ ନୁହେଁ ।
ଏହାକୁ ଅଧିକ ରୁଦ୍ଧିମନ୍ତ କରିବା ସହିତ ସବୁ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର କରାଯିବା ଉପରେ ଉଦ୍ୟମ ଆବଶ୍ୟକ ।
ଓଡ଼ିଆ ଭାଷାକୁ ଜ୍ଞାନଭଣ୍ଡାରର ଭାଷା ଭାବରେ ପ୍ରତିଷ୍ଠିତ କରିବା ଦିଗରେ ବୁଦ୍ଧିଜୀବୀ, ଗବେଷକ ଓ ବିଷେଜ୍ଞମାନେ ଆଗେଇ ଆସନ୍ତୁ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବୁଧବାର ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳନ କରାଯାଇଥିଲା ।
ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବରେ ଜାତୀୟ ସ୍ତରରେ ମାନ୍ୟତା ମିଳିବାର ଆଜି ଥିଲା ଷଷ୍ଠ ବର୍ଷ ପୂର୍ତ୍ତି ।
ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଭାଷା ମଧ୍ୟରେ ରହିଥିବା ସାମ୍ୟ ଓ ସମ୍ପର୍କ ଉପରେ ଆଲୋକପାତ କରିଥିଲେ ।
ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
ପ୍ରସିଦ୍ଧ ଗବେଷକ ଓ ବିଦ୍ୱାନ ଡ. ରଜତ କୁମାର କର ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ଭାଷିକ ବୈଚିତ୍ର୍ୟ ଉପରେ ବକ୍ତବ୍ୟ ରଖିଥିଲେ ।
ବିଶିଷ୍ଟ ସମାଲୋଚକ ପ୍ରଫେସର ଡ. ଯତୀନ୍ଦ୍ର କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାଷାର ସମୃଦ୍ଧି ଦିଗରେ ଦେଖା ଦେଇଥିବା ବିବିଧ ଆହ୍ୱାନଗୁଡ଼ିକ ବାବଦରେ ସୂଚନା ଦେଇଥିଲେ ।
ଓଡ଼ିଆ ଭାଷାର ଅଭିବୃଦ୍ଧି ଏବଂ ପ୍ରସାର ନିମନ୍ତେ ବହୁମୁଖୀ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ପ୍ରାରମ୍ଭିକ ସୂଚନା ଦେଇ ଏପରି ଦିବସ ପାଳନର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ ।
କାର୍ଯ୍ୟକ୍ରମରେ ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଦୁଇଟି ପୁସ୍ତକ ‘ଓଡ଼ିଆ ଭାଷାତତ୍ତ୍ୱ କୋଷ’ ଏବଂ ‘କାର୍ଯ୍ୟାଳୟ ନଥି’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।
ଏହି ଅବସରରେ ଆୟୋଜିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ କାର୍ଯ୍ୟାଳୟ ତତ୍ତ୍ୱାବଧାରକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply