ଭୁବନେଶ୍ୱର, ଡିସେମ୍ବର ୧୫(ଲୋକାଲ ୱାୟାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଭୋକାଲ୍ ଫର ଲୋକାଲ୍’କୁ ପ୍ରୋତ୍ସାହିତ କରୁଥିବା ବେଳେ ଏହାର କ୍ରେଜ୍ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି ।
ଉପହାର ଦେବାରେ ଲୋକେ ଏନେଇ ବେଶୀ ଆଗ୍ରହ ଦେଖାଇଛନ୍ତି । ଗ୍ରୀନ୍ ଦୀପାବଳି ଭିତରେ ଲୋକଙ୍କ ସୃଜନଶୀଳତା ଆଉ ସୀମିତ ହୋଇ ରହିନି; ବରଂ ଲୋକେ ଏହାକୁ କିପରି ବ୍ୟାପକ ଭାବେ ଆଦରି ପାରିବେ ସେଥିପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି ।
ନିକଟରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍କୁ ମାନିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିବା ପରେ ଏନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।
ବକୁଲର ଗଛ ଉପହାର:
ନୂଆବର୍ଷ, ବଡଦିନଠାରୁ ଆରମ୍ଭ କରି ଜନ୍ମଦିନ ଯାଏଁ; ସମସ୍ତ ଉତ୍ସବକୁ ଆଖି ଆଗରେ ରାଜଧାନୀ ବକୁଲ୍ ଫାଉଣ୍ଡେସନ୍ ପକ୍ଷରୁ ଭିନ୍ନ ଧରଣର ଉପହାର ପ୍ୟାକେଜିଂ ଆରମ୍ଭ ହୋଇଛି ।
ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।
ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।
ଏନେଇ ବକୁଲ୍ ଫାଉଣ୍ଡେସନ୍ ମୁଖ୍ୟ ସୁଜିତ୍ ମହାପାତ୍ର କହିଛନ୍ତି ଆମେ ପୂର୍ବରୁ ବି ଏହି ଅଭ୍ୟାସ ଜାରି ରଖିଥିଲୁ । ଯାହାକୁ ପୁଣିଥରେ ଆରମ୍ଭ କରିଛୁ ।
ଘର ତିଆରି ଚକୋଲେଟ, ମାଟି ଦୀପ, ସ୍ନାକ୍ସକୁ ନେଇ ଏକ ଉପହାର ପ୍ୟାକେଟ ତିଆରି କରିଛୁ ।
କେବଳ ସେତିକି ନୁହେଁ ଜଣେ ଚାହିଁଲେ ଗଛକୁ ବି ନିଜ ପ୍ରିୟଜନଙ୍କୁ ଉପହାର ଆକାରରେ ଦେଇପାରିବ ।
ଅଦିିଶାର ରୋଗ ପ୍ରତିରୋଧକ ପ୍ୟାକେଜ୍
ଅଦିଶା ପକ୍ଷରୁ ନିଜ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଏକ ରୋଗ ପ୍ରତିରୋଧକ ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି ।
ଯେଉଁଥିରେ କନ୍ଧମାଳ ହଳଦୀ, ଡାଲଚିନି ଗୁଣ୍ଡ, ମହୁ, ମାଣ୍ଡିଆ ଆଦି ସାମଗ୍ରୀକୁ ଏକତ୍ର କରି ଏକ ସୁନ୍ଦର ପ୍ୟାକେଟ ପ୍ରସ୍ତୁତ କରାଯାଇଛି ।
ଯାହାକୁ ଆଦିବାସୀ ରୋଗପ୍ରତିରୋଧକ ମନ୍ତ୍ର ବା ଟ୍ରାଇବାଲ ଉମ୍ୟୁନିଟି ବୁଷ୍ଟର ଭାବେ ବିବେଚନା କରି ଏବାବଦରେ ଲୋକଙ୍କୁ ସଚେତନ କରାଯାଉଛି ।
ଯାହାର ଦାମ୍ ୮୫୦ ଟଙ୍କାରୁ ଆରମ୍ଭ ହୋଇଛି । ଏହାବାଦ୍ ଜଣେ ଚାହିଁଲେ କଷ୍ଟମାଇଜଡ ପ୍ୟାକେଟ ମଧ୍ୟ ପ୍ରସ୍ତୁତ କରିପାରିବା ଭଳି ସୁବିଧା ମଧ୍ୟ କରାଯାଇଛି ।
ଜଣେ ନିଜ ରୁଚି ମୁତାବକ ପ୍ୟାକେଟରେ ଲିମ୍ବ ପତ୍ର ଗୁଣ୍ଡ, ମହୁ, ଅଁଳା ଗୁଣ୍ଡ, ଶିକାକାଇ ଓ ରିଠା ଗୁଣ୍ଡ ସମେତ ବିଭିନ୍ନ ଆଦିବାସୀ ରାସନ ସାମଗ୍ରୀ ଆଦିକୁ ନେଇ ଉପହାର ବାକ୍ସ ପ୍ରସ୍ତୁତ କରିପାରିବ ।
ଓଡ଼ିଶା ହସ୍ତତନ୍ତ ମୋହରେ ସଭିଏଁ
କେନ୍ଦ୍ର ସରକାରଙ୍କ ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆଉ ପାଦେ ଆଗକୁ ନେବା ପାଇଁ ବିଭିନ୍ନ ଫ୍ୟାଶନ୍ ଡିଜାଇନର ବ୍ୟକ୍ତିଗତ ସ୍ତରରେ ପ୍ରୟାସ ଆରମ୍ଭ କରିଛନ୍ତି ।
ପର୍ବପର୍ବାଣୀ ହେଉ ବା ଉପହାର ଦେବାର ଅବସରଟିଏ ସୃଷ୍ଟି ହେଲେ ସେମାନେ ଓଡ଼ିଶା ହସ୍ତତନ୍ତ ସାମଗ୍ରୀଟିଏ ଦେବାକୁ ପ୍ରୋତ୍ସାହିତ କରୁଛନ୍ତି ।
ସେହିପରି ଭାବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ହସ୍ତତନ୍ତ ସାମଗ୍ରୀକୁ ବ୍ୟବହାର କରି ନୂଆ ନୂଆ ଡିଜାଇନର ଶାଢ଼ୀ, ଗାଉନ୍, ୱାନପିସ୍, ୱେଷ୍ଟର୍ଣ୍ଣ ପୋଷାକ ସବୁ ପ୍ରସ୍ତୁତ କରାଯାଇଛି ।
ଏ ବାବଦରେ ଫ୍ୟାଶନ୍ ଡିଜାଇନର ପଙ୍କଜା ସେଠୀ କହନ୍ତି ଓଡ଼ିଶା ହସ୍ତତନ୍ତକୁ ଲୋକାଭିମୁଖୀ କରିବା ପାଇଁ ଆମେ ବିଭିନ୍ନ ସମୟରେ ପ୍ରୟାସ କରୁଛୁ ।
କରୋନା ଭଳି ମହାମାରୀ ସବୁ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ନିମ୍ନ ମଧ୍ୟବିତ୍ତ ପରିବାରର ଲୋକେ ।
ବୁଣାକାର, କାରିଗରମାନେ ଏହି ଶ୍ରେଣୀର ହୋଇଥିବା ବେଳେ ଏମାନଙ୍କୁ ପୁଣିଥରେ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଆମକୁ ଭୋକାଲ୍ ଫର ଲୋକାଲ୍ ମନ୍ତ୍ରକୁ ଆପଣେଇବାକୁ ହେବ ।
ଆଉ ଜଣେ ସଚେତନ ନାଗରିକ ଭାବେ ଯେତେବେଳେ ବି କିଛି କିଣୁଛେ ତାହା ଯେପରିକି ସ୍ଥାନୀୟ ବୁଣାକାର ଓ ସ୍ଥାନୀୟ ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ ହେଉଛି ସେ ଦିଗରେ ଦୃଷ୍ଟି ଦେବାକୁ ହେବ ।
ଲୋକାଲ ୱାୟାର
Leave a Reply