ଢେଙ୍କାନାଳ, ସେପ୍ଟେମ୍ବର ୨୫(ଲୋକାଲ ୱାୟାର): ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଉ କି ଭାରତର ସ୍ୱାଧୀନତା ସଂଗ୍ରାମ କିମ୍ବା ଓଡ଼ିଶାର ବିକାଶ, ସବୁକ୍ଷେତ୍ରରେ ଦୈନିକ ‘ସମାଜ’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିିଥିଲା ବୋଲି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳ ପକ୍ଷରୁ ଦୈନିକ ‘ସମାଜ’ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ‘ଆଧୁନିକ ଓଡ଼ିଶା ଗଠନରେ ‘ସମାଜ’ର ଭୂମିକା’ ଶୀର୍ଷକ ଇ-ଆଲୋଚନାଚକ୍ରରେ ଅତିଥିମାନେ ମତ ଦେଇଛନ୍ତି ।

ଗୁଗୁଲ୍‌ ମିଟ୍‌ ମଞ୍ଚରେ ଅନୁଷ୍ଠିତ ଏହି ଇ-ଆଲୋଚନାଚକ୍ରରେ ବକ୍ତାଭାବେ ଯୋଗଦେଇ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି କହିଛନ୍ତି, ଓଡ଼ିଆ ଜାତିର ଐତିହ୍ୟ, ପରମ୍ପରା, ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ସ୍ୱାଭିମାନର ସୁରକ୍ଷା କରିବା ଦିଗରେ ‘ସମାଜ’ର ମୁଖ୍ୟ ଭୂମିକା ଥିଲା ।

ଅନ୍ୟତମ ବକ୍ତାଭାବେ ଯୋଗଦେଇ ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ଡ. ସତ୍ୟ ରାୟ କହିଛନ୍ତି, ‘ସମାଜ’ ସବୁବେଳେ ମୂଲ୍ୟବୋଧଭିତ୍ତିକ ଖବର ପରିବେଷଣକୁ ଗୁରୁତ୍ୱ ଦେଇଥାଏ ।

ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ଗୋଦାବରୀଶ ମିଶ୍ର, ଲିଙ୍ଗରାଜ ମିଶ୍ର, ଉଦୟନାଥ ଷଡ଼ଙ୍ଗୀ, ରାଧାନାଥ ରଥ ସମସ୍ତେ ନିରପେକ୍ଷ ତଥା ନିର୍ଭିକ ଭାବରେ ସମ୍ବାଦ ପରିବେଷଣକୁ ଗୁରୁତ୍ୱ ଦେଉଥିଲେ ।

ଉତ୍କଳ ଶିକ୍ଷା ସଂସଦର ଉପସଭାପତି ପିତାମ୍ବର ବାରିକ କହିଛନ୍ତି, ଆମେ ‘ସମାଜ’କୁ ଆମର ସମାଜ ବୋଲି ଭାବୁ । ଏହା ସମସ୍ତଙ୍କ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ ।

ସେହିପରି ‘ଦି ଇଣ୍ଟଲେକ୍ଟ’ ଅନୁଷ୍ଠାନର ସଭାପତି ଦେବେନ୍ଦ୍ରନାଥ ରାଉତ କହିଛନ୍ତି, ସମାଜ ସଂସ୍କାରକ ଭୂମିକା ନିର୍ବାହ କରିବାରେ ‘ସମାଜ’ ଗୋଟିଏ ଶ୍ରେଷ୍ଠ ଅନୁଷ୍ଠାନ । ଆଗରୁ ଖବରକାଗଜର ଅର୍ଥ କହିଲେ ‘ସମାଜ’ ବୁଝାଯାଉଥିଲା ।

ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଆରଏନଆଇ ହିସାବ ଅନୁସାରେ ଭାରତରେ ୧୨ ହଜାରରୁ ଅଧିକ ଦୈନିକ ଖବରକାଗଜ ଅଛି ।

ତେବେ ସ୍ୱାଧୀନତା ପୂର୍ବରୁ ବାହାରି ଆଜି ଯାଏ ପ୍ରକାଶନ ଜାରି ରଖିଥିବା ଖବରକାଗଜ ସଂଖ୍ୟା ମାତ୍ର ୫୦ରୁ ୬୦ ।

ସେଥିମଧ୍ୟରୁ ଶହେ ବର୍ଷ ପୂରି ଥିବା ଖବରକାଗଜ ପାଖାପାଖି ୨୦ଟି । ଆମର ସୌଭାଗ୍ୟ ଦୈନିକ ‘ସମାଜ’ ଏଥିମଧ୍ୟରୁ ଅନ୍ୟତମ ।

କାର୍ଯ୍ୟକ୍ରମ ସଞ୍ଚାଳନ କରି ଆଇଆଇଏମସିର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର କହିଛନ୍ତି, ଲୋକଙ୍କ ଆବେଗ ସହ ଜଡ଼ିତ ‘ସମାଜ’ । ସମାଜ ସଂସ୍କାରକର ଭୂମିକା ନିର୍ବାହ କରିବାରେ ଏହି ଖବରକାଗଜର ବେଶ୍‌ ଭୂମିକା ରହିଛି ।

ଏହି ଅବସରରେ ମୃଣାଳଙ୍କ ଶ୍ରାବ୍ୟ ଉପନ୍ୟାସ ‘ଚୋରିଚାରି’ ଉନ୍ମୋଚିତ ହୋଇଛି । ନିଜେ ଔପନାସିକ ମୃଣାଳ ଏଥିରେ କଣ୍ଠଦାନ କରିଛନ୍ତି ।

ବର୍ତ୍ତମାନ ରେଡିଓ ଭୁବନେଶ୍ୱରରେ ଏହାର ପ୍ରସାରଣ ହେଉଛି । ସକାଳ ୮ଟା, ସନ୍ଧ୍ୟା ୭ଟା ଓ ରାତି ୧୨ଟାରେ ଏହାର ପ୍ରସାରଣ ହେଉଛି ।

ଏହି ରମ୍ୟରଚନାଭିତ୍ତିକ ଉପନ୍ୟାସଟି ଶ୍ରୋତାମାନଙ୍କୁ ରେଡିଓ ମଞ୍ଚରେ ବାନ୍ଧି ରଖୁଛି । କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ପ୍ରଫେସର ସମ୍ବିତ ପାଲ ।

ଲୋକାଲ ୱାୟାର