କେନ୍ଦ୍ରାପଡ଼ା, ଡିସେମ୍ବର ୧୩ (ଲୋକାଲ ୱାୟାର): ବିଲୁପ୍ତପ୍ରାୟ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ଓଡ଼ିଶା ଉପକୂଳରେ ଅପରେସନ ଅଲିଭା ଆରମ୍ଭ ହୋଇଛି ।
ଏଥିପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ, ଋଷିକୂଲ୍ୟା ଓ ଦେବୀ ନଦୀ ମୁହାଣର ସମୂହ ଅଣ୍ଡାଦାନ ସ୍ଥଳରେ ମାଛଧରା ଡଙ୍ଗା ପ୍ରବେଶ ରୋକିବା ପାଇଁ ଜାହାଜ ମୁତୟନ ହୋଇଛି ।
କଇଁଛଙ୍କ ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ହେଲିକପ୍ଟର ମଧ୍ୟ ମୁତୟନ କରାଯାଇଛି ।
ରାଜ୍ୟ ବନ ବିଭାଗ, ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୁଲିସ ସହ ସମନ୍ୱୟ ବଜାୟ ରଖି ଅପରେସନ ଆରମ୍ଭ ହୋଇଛି ବୋଲି ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି ।
ଅଲିଭ ରିଡଲେ କଇଁଛଙ୍କ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ୧୯୯୯ରେ ଅପରେସନ ଅଲିଭା ଆରମ୍ଭ କରିଥିଲେ ।
ତଟରକ୍ଷୀ ବାହିନୀ, ପାରାଦୀପ ପକ୍ଷରୁ ପ୍ରତିବର୍ଷ ଓଡ଼ିଶା ଉପକୂଳରେ ଅପରେସନ ଅଲିଭା ଅଭିଯାନ ହେଉଛି ।
୧୯୯୮ରେ ବହୁ ସଂଖ୍ୟକ କଇଁଛଙ୍କ ମୃତ୍ୟୁ ହେବାରୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ଅପରେସନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।
ଅଲିଭ ରିଡଲେ କଇଁଛଗୁଡ଼ିକ ନଭେମ୍ବରରୁ ମେ ମଧ୍ୟରେ ପ୍ରଜନନ ପାଇଁ ଓଡ଼ିଶା ଉପକୂଳକୁ ଆସିଥାନ୍ତି ବୋଲି ପରିବେଶବିତ ତଥା ଗହୀରମଥା ସାମୁଦ୍ରିକ କଇଁଚ ଓ ହେନ୍ତାଳ ବନ ସୁରକ୍ଷା ସମିତି (ଜିଏମଟିଏମସିଏସ)ର ସମ୍ପାଦକ ହେମନ୍ତ ରାଉତ କହିଛନ୍ତି ।
ବହୁ ସଂଖ୍ୟକ ଅଲିଭ ରିଡଲେ କଇଁଛ ଆସୁଥିବାରୁ ୧୯୯୭ରେ କେନ୍ଦ୍ର ସରକାର ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିଥିଲେ ।
ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ସାତ ମାସ ଅଭୟାରଣ୍ୟ ଅଞ୍ଚଳରେ ସମସ୍ତ ପ୍ରକାର ମାଛଧରା ନିଷିଦ୍ଧ ହୋଇଛି ।
ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ପୁଲିସ ସହାୟତାରେ ନଭେମ୍ବର ୧ରୁ ଏପର୍ଯ୍ୟନ୍ତ ୬୫ ମତ୍ସ୍ୟଜୀବିଙ୍କୁ ଗିରଫ ସହ ୧୨ ମାଛଧରା ଟ୍ରଲର ଜବତ ହୋଇଛି ବୋଲି ଗହୀରମଥା ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇ କହିଛନ୍ତି ।
ଲୋକାଲ ୱାୟାର
Leave a Reply