ଭୁବନେଶ୍ୱର, ଜାନୁଆରୀ ୧୪(ଲୋକାଲ ୱାୟାର): ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଶୁଭ ଉଦଘାଟନ ହୋଇଯାଇଛି ।
ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଛଅ ପଦ ଓ ଛଅ ରାଗରେ ପରିବେଶିତ ଶିବ ସୁରକ୍ଷା ମନ୍ତ୍ରରୁ । ବୃନ୍ଦଗାନରେ ସେମାନେ ପ୍ରସ୍ତୁତ କରିଥିଲେ ଶିବ ବନ୍ଦନା ଓଁ ନମଃ ଶିବାୟ ।
ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମୀରା ଦାସଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଶଣ ।
ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ଶିବସ୍ତୁତି ପୁଷ୍ପାଞ୍ଜଳୀରେ ମଙ୍ଗଳାଚରଣ ପରେ ପରେ ରାଗ ବିହ୍ଲରୀ ଓ ତାଳ ଏକତାଳୀରେ ପଲ୍ଲବୀ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ।
ତାଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ରାମାୟଣରୁ ଉଦ୍ଧୃତ ଅଭିନୟ ଶବରୀ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ମୀରା ଦାସ ।
ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ପ୍ରୀତିସା ମହାପାତ୍ର ଓ ରିବଧିତା ବରୁଆଙ୍କ ଦ୍ୱାରା ପ୍ରଥମେ ଶିବସ୍ତୁତି ଜୟ ମହେଶ ପରେ ପରେ ପଲ୍ଲବୀ ଓ ଶେଷରେ ଅଭିନୟ ଶ୍ରୀରାମସ୍ତୁତି ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ପ୍ରଦୀପ କୁମାର ଦାସ ।
ଶେଷ କାର୍ଯ୍ୟକ୍ରମ ଥିଲା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଶିଲ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ।
ସେମାନନେ ପ୍ରଥମେ ମଙ୍ଗଳାଚରଣରେ ଶ୍ରୀଗଣେଶ ପରେ ପରେ ରାଗ କ୍ଷୀରବାଣୀ ପଲ୍ଲବୀ ଏବଂ ଶେଷରେ ଅଭିନୟ ଶକ୍ତି ପରିବେଶଣ କରିଥିଲେ, ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ ଏବଂ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ଜେନା ଓ ଗୁରୁ ବିଜୟ କୁମାର ବାରିକ ।
ଉଦଘାଟନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଶା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି, ପର୍ଯ୍ୟଟନ ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ ।
ଲୋକାଲ ୱାୟାର
Leave a Reply