ଭୁବନେଶ୍ୱର, ଡିସେମ୍ବର ୨୯(ଲୋକାଲ ୱାୟାର): ରାଜ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶୀ ଗବେଷଣା କେନ୍ଦ୍ର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ସୋମବାର ଥିଲା ତୃତୀୟ ସନ୍ଧ୍ୟା ।
ଉକ୍ରଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜିର ସନ୍ଧ୍ୟାରେ ଗୁରୁ ମନୋରଞ୍ଜନ ପ୍ରଧାନଙ୍କ ନୃତ୍ୟ ପରିବେଷଣ ମନୋରମ ଓ ଚିତ୍ତାକର୍ଷକ ଥିଲା ।
ଗୁରୁ ମନୋରଞ୍ଜନ ପ୍ରଧାନ ଜୟଦେବଙ୍କ ଲିଖିତ ଗୀତଗୋବିନ୍ଦ ଅଷ୍ଟପଦିରୁ ଧରସମୀରେ ଯମୁନା ତୀରେ ଅଭିନୟଟି ପରିବେଷଣ କରିଥିଲେ ।
ଏହା ପଦ୍ମଭୂଷଣ ଗୁରୁ କେଳୁରଣ ମହାପାତ୍ରଙ୍କ ନୃତ୍ୟ ସଂଯୋଜିତ ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ସଂଯୋଜନା ଥିଲା ।
ଗୁରୁ ମନୋରଞ୍ଜନ ପ୍ରଧାନଙ୍କ ଉଚ୍ଚକୋଟୀର ନୃତ୍ୟ ପରିବେଷଣରେ ମନ୍ତ୍ରମୁଗ୍ଧ ହୋଇଥିଲେ ଉପସ୍ଥିତ ଓଡ଼ିଶୀ ପ୍ରେମୀ ।
ଗତ ୨୬ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ଦେଶର ବହୁ ପ୍ରତିଭାବାନ ଶିଳ୍ପୀ ଯୋଗ ଦେଇଛନ୍ତି ।
କୋଭିଡ୍ ପାଇଁ ଦର୍ଶକଙ୍କୁ ସିଧାସଳଖ ଉପଭୋଗ କରିବାର ବାରଣ ହେତୁ ଏହି କାର୍ଯ୍ୟକ୍ରମକୁ ଇଣ୍ଟରନେଟ୍ ମାଧ୍ୟମରେ ସିଧାସଳଖ ପ୍ରସାରଣ ବ୍ୟବସ୍ଥା କରାଯାଇଛି ।
କାର୍ଯ୍ୟକ୍ରମ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁଛି । ପ୍ରଥମେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା, ଅପରାହ୍ନ ସାଢ଼େ ୪ଟାରୁ ସନ୍ଧ୍ୟା ୬ଟା, ସନ୍ଧ୍ୟା ସାଢ଼େ ୬ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଏକକ, ଦ୍ୱୈତ ଏବଂ ଦଳଗତ ନୃତ୍ୟ ପରିବେଷଣ ହେଉଛି ।
ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ. ସଙ୍ଗୀତା ଗୋସାଇଁଙ୍କ ସହଯୋଗିତାରେ କାର୍ଯ୍ୟକ୍ରମ ଚାଲିଛି ।
ଲୋକାଲ ୱାୟାର
Leave a Reply