ଭୁବନେଶ୍ୱର, ଜାନୁଆରୀ ୨୦(ଲୋକାଲ ୱାୟାର): ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା ।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମକ୍ରାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ସୃଷ୍ଟି କରିପାରିଥିଲା ।
ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ୍ ଆନନ୍ଦ ଦେଇପାରିଥିଲା ।
ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଗୁରୁ ସଚ୍ଚିଦାନନ୍ଦ ଦାସ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନ ।
ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ପାରମ୍ପରିକ ବାଦନରେ ବ୍ୟବହୃତ ଖଣ୍ଡି, ଗଡ଼ି, ଅରସା, ମାନ ଭଉଁରୀମାନ, ଚକାମାନ, ଜମାଣ ସହିତ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ଛନ୍ଦ ପ୍ରକରଣ ଓ ବିଭିନ୍ନ ଲୟକାରୀ ଶ୍ରୋତାମାନଙ୍କୁ ଏକ ସୁନ୍ଦର ନିଆରା ଅନୁଭୁତି ଦେଉଥିଲା ଯାହାକୁ ସଙ୍ଗୀତ ପ୍ରେମୀ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ ।
ସେମାନଙ୍କର ପ୍ରସ୍ତୁତିରେ ଥିଲା ଆଦିତାଳ । ଗୁରୁ ସଚ୍ଚିଦାନନ୍ଦ ଦାସଙ୍କର ଚମକ୍ରାର ମର୍ଦ୍ଦଳ ବାଦନ ବିଶେଷ ଆକର୍ଷଣ ଥିଲା ।
ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ଶିଳ୍ପୀ ପଣ୍ଡିତ ଏମ୍ ଭେଙ୍କଟେଶ୍ କୁମାର ।
ତାଙ୍କର ପ୍ରଥମ ପ୍ରସ୍ତୁତିଟି ଥିଲା ରାଗ କଲ୍ୟାଣରେ ବିଲମ୍ବିତ ପରେ ପରେ ରାଗ ଦୁର୍ଗା ମଧ୍ୟଲୟ, ଠୁମରୀ, ବନ୍ଦୀସ ।
ପରେ ସେ ଦର୍ଶକଙ୍କ ଅନୁରୋଧ କ୍ରମେ କେତେେଗୋଟି ଭଜନ ପରିବେଷଣ କରିଥିଲେ ।
ତାଙ୍କୁ ସହଯୋଗ କରିଥିଲେ ତବଲାରେ କେଶବ ଜୋସୀ ଏବଂ ହାରମୋନିୟମରେ ଶତିସ୍ କୋଲୀ ।
ଉଦଯାପନୀ ସନ୍ଧ୍ୟାର ଅତିଥିମାନେ ଥିଲେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଓ ପର୍ଯ୍ୟଟନ ବିଭାଗର ସହକାରୀ ନିଦେ୍ର୍ଦଶକ ଡ଼. ରତିକାନ୍ତ ପଟ୍ଟନାୟକ ।
କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଅନୁଜା ତାରିଣୀ ମିଶ୍ର ।
ଲୋକାଲ ୱାୟାର
Leave a Reply