କେନ୍ଦ୍ରାପଡ଼ା, ଜାନୁଆରୀ ୩୦ (ଲୋକାଲ ୱାୟାର): ଅଲିଭ ରିଡଲେ କଇଁଚଙ୍କ ସମୂହ ଅଣ୍ଡାଦାନ ପୂର୍ବରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅନ୍ତର୍ଗତ ଅଗରନାସୀ ବେଳାଭୂମି ସଫେଇ ହୋଇଛି ।
ଗହୀରମଥା ସାମୁଦ୍ରିକ କଇଁଚ ଓ ହେନ୍ତାଳ ବଣ ସୁରକ୍ଷା ସମିତି ଓ ବନ ବିଭାଗ ଦ୍ୱାରା ଆୟୋଜିତ ଏହି ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକେ, ପରିବେଶବିତ ଓ ବନ ଅଧିକାରୀମାନେ ଯୋଗ ଦେଇଥିଲେ ।
ଆବର୍ଜନା ସଂଗ୍ରହ ପରେ ସ୍ୱେଚ୍ଛାସେବୀମାନେ ବୋଟ ଯୋଗେ ଏହାକୁ ସ୍ଥାନାନ୍ତରିତ କରିଥିଲେ । ୬ କ୍ୱିଂଟାଲରୁ ଅଧିକ ଆବର୍ଜନ ସଂଗୃହୀତ ହୋଇଥିଲା ।
କଇଁଚଙ୍କ ଆଗମନରେ କୌଣସି ବାଧାବିଘ୍ନ ସୃଷ୍ଟି ନହେବା ତଥା ସେମାନଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ସ୍ୱଚ୍ଛ ବେଳାଭୂମି ଖୁବ ଜରୁରୀ ।
ଆବର୍ଜନା ଯୋଗୁଁ କଇଁଚଙ୍କ ବସା ବାନ୍ଧିବା ଓ ଅଣ୍ଡାଦାନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । କଇଁଚଗୁଡିକ ଦିଗହରା ହୋଇ ଅନ୍ୟ ସ୍ଥାନକୁ ଚାଲି ଯାଆନ୍ତି ।
ସେହିପରି ପ୍ଲାଷ୍ଟିକ ବର୍ଜ୍ୟକୁ କଇଁଚ ଜେଲିଫିସ ଭାବି ଖାଇ ଦେବାରୁ ସେମାନଙ୍କ ମୃତୁ୍ୟ ହୋଇଥାଏ ।
ସମୁଦ୍ରରେ କୌଣସି ପ୍ରକାରର ପ୍ଲାଷ୍ଟିକ ନପକାଇବାକୁ ମତ୍ସ୍ୟଜୀବିମାନଙ୍କୁ ସଚେତନ କରାଯାଉଛି ବୋଲି ପରିବେଶବିତ ଓ ଗହୀରମଥା ସାମୁଦ୍ରିକ କଇଁଚ ଓ ହେନ୍ତାଳ ବଣ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ ରାଉତ କହିଛନ୍ତି ।
କଇଁଚଗୁଡିକ ରାତିରେ ବସା ବାନ୍ଧୁଥିବାରୁ ସ୍ୱଚ୍ଛ ବେଳାଭୂମିର ଆବଶ୍ୟକତା ରହିଛି । ଅନ୍ତର୍ଜାତୀୟ ବ୍ୟବସାୟରେ ବିଲୁପ୍ତପ୍ରାୟ ପ୍ରଜାତିର ସଂରକ୍ଷଣ ଚୁକ୍ତି (ସିଆଇଟିଇଏସ) ଓ ବନ୍ୟପ୍ରାଣୀ ଆଇନ, ୧୯୭୨ ଅନୁଯାୟୀ ସାମୁଦ୍ରିକ କଇଁଚଙ୍କ ସଂରକ୍ଷଣ କରାଯାଉଛି ।
୧୯୯୭ରେ ଗହୀରମଥାକୁ ସରକାର ଅଭୟାରଣ୍ୟ ମାନ୍ୟତା ଦେଇଥିଲେ । ବିଶ୍ୱର ସବୁଠାରୁ ବଡ ଅଣ୍ଡାଦାନ ସ୍ଥଳ ଭାବେ ଗହୀରମଥା ପରିଚିତି ପାଇଛି ।
ସେଥିପାଇଁ ସରକାର ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ସାତ ମାସ ମାଛଧରା ନିଷିଦ୍ଧ ହୋଇଛି ।
ଗତବର୍ଷ ମାର୍ଚ୍ଚ ୧୪-୨୧ ପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ କଇଁଚ ନାସି-୧, ନାସି-୨ ଓ ଅଗରନାସୀ ଦ୍ୱୀପରେ ଅଣ୍ଡା ଦେଇଥିଲେ ବୋଲି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ରେଂଜ ଅଧିକାରୀ ଦେବାଶିଷ ଭୋଇ କହିଛନ୍ତି ।
ଲୋକାଲ ୱାୟାର
Leave a Reply