ଭୁବନେଶ୍ୱର, ଫେବ୍ରୁଆରୀ ୨୩(ଲୋକାଲ ୱାୟାର): କଏର ବୋର୍ଡ ଭୁବନେଶ୍ୱର ଆଞ୍ଚଳିକ ଶାଖା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବୋର୍ଡ ମୁଖ୍ୟାଳୟର ଯୁଗ୍ମ ନିଦେ୍ର୍ଦଶକ ଯୋଜନା ଏମ୍ କ୍ରିଷ୍ଣା ସୂଚନା ଦେଇ କହିଛନ୍ତି, ଖୁବଶୀଘ୍ର କତା ଶିଳ୍ପର ବିକାଶ ପାଇଁ ଆମେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା, ବାଲେଶ୍ୱରର ଭୋଗରାଇ, ପିପିଲି ଡେଲାଙ୍ଗରେ ରଘୁନାଥ କଏର୍ ଇଣ୍ଡଷ୍ଟ୍ରି, ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ରାଧାରାଣୀ କ୍ଲଷ୍ଟର ଓ କାକଟପୁର ସ୍ଥିତ ଗୋପଠାରେ କୋଣାର୍କ କ୍ଲଷ୍ଟର ଖୋଲାଯିବ ।
ଏହାଦ୍ୱାରା ପ୍ରାୟ ୫୦ ହଜାରରୁ ଅଧିକ ମହିଳାଙ୍କୁ କର୍ମନିଯୁକ୍ତି ମିଳିବ । କେନ୍ଦ୍ର ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କତା ବୋର୍ଡ(ଭୁବନେଶ୍ୱର) ଦ୍ୱାରା ଏହା କରାଯିବ ।
ରାଜ୍ୟରେ ପୂର୍ବରୁ ଥିବା ଓ ପରବର୍ତ୍ତୀ ସମୟରେ ନୂଆକରି ହେବାକୁ ଥିବା କତା କ୍ଲଷ୍ଟର ଗୁଡିକରେ କେଉଁ ପ୍ରକାର କାର୍ଯ୍ୟକଳାପ କରାଯିବ ସେଗୁଡିକୁ ତ୍ୱରାନ୍ୱିତ କରିବା ସହ ଏହା ଉପରେ ଅଧିକ ଧ୍ୟାନ ଦିଆଯିବ ।
ଏସବୁ କାମର ତଦାରଖ ପାଇଁ ଦୁଇଟି ବୈଷୟିକ ଟିମକୁ ବଛାଯାଇଛି । ଚେନ୍ନାଇ ସ୍ଥିତ ଇଟକଟ୍ ଓ ହାଇଦ୍ରାବାଦ୍ ସ୍ଥିତ ଆପିଟକୋ ଦ୍ୱାରା ଏହି କାମର ତଦାରଖ କରାଯିବ ।
ସେହିପରି ବାଲେଶ୍ୱରଠାରେ ଖୋଲାଯିବାକୁ ଥିବା ବ୍ୟବସାୟ ଆଉଟଲେଟରେ ବିଭିନ୍ନ ପ୍ରକାର କତା ସାମଗ୍ରୀ ସହ ଅତ୍ୟାଧୁନିକ କତା ଜିନିଷପତ୍ର ସ୍ଥାପନ କରାଯିବ ।
ଡେମୋନଷ୍ଟ୍ରେସନ୍ ଡିସ୍ପ୍ଲେ ପ୍ଲାନିଂ, ଟ୍ରେନିଂ ଓ ମାର୍କେଟିଂ ନାମରେ ଏହା କରାଯିବ । କତା ଶିଳ୍ପ ସହ ଜଡ଼ିତ ଅନ୍ତେବାସୀଙ୍କୁ କିପରି ଅତ୍ୟାଧୁନିକ ତାଲିମ ପ୍ରଦାନ କରାଯାଇ ପାରିବ ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ କିପରି ମାର୍କେଟିଂ ଲିଙ୍କ କରାଯିବ ସେ ଦିଗରେ ଏହି ବ୍ୟବସାୟ ପ୍ରତିଷ୍ଠାନ କାମ କରିବ ।
ଏସବୁକୁ ଛାଡ଼ିଦେଲେ ସେଠାରେ କତା ଦ୍ୱାରା କିପରି ଓ କେଉଁ ପଦ୍ଧତିରେ ସାମଗ୍ରୀ ପ୍ରସ୍ତୁତ କରାଯାଉଛି ସେ ସମ୍ପର୍କିତ ଦସ୍ତାବିଜକୁ ମଧ୍ୟ ପ୍ରଦର୍ଶନ କରାଯିବ ।
ଉଭୟ ଭିଡିଓ କ୍ଲିପିଂ ଓ ଲିଖିତ ତଥ୍ୟ ସମ୍ବଳିତ ଦସ୍ତାବିଜ୍ ମଧ୍ୟ ଗବେଷକମାନଙ୍କ ପାଇଁ ଏଠାରେ ଉପଲବ୍ଧ ହେବ ।
ଲୋକାଲ ୱାୟାର
Leave a Reply