କଟକ, ଜାନୁଆରୀ ୧୩(ଲୋକାଲ ୱାୟାର): କଟକର ଖାନନଗରଠାରେ ୬୫ କୋଟି ଟଙ୍କାରୁ ହେବାକୁ ଥିବା ଅତ୍ୟାଧୁନିକ ବସ୍ ଟର୍ମିନଲକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି ।
ଆସନ୍ତା ୨୩ ତାରିଖରେ ନେତାଜୀଙ୍କ ଜୟନ୍ତୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସମଗ୍ର ଦେଶ ନେତାଜୀଙ୍କର ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି ।
ଆମ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସେନାପତି ଓ ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ଓଡ଼ିଆ ବଜାରରେ ଜନ୍ମ ଗ୍ରହଣ କରିଥିଲେ ଏବଂ କଟକରେ ବାଲ୍ୟ ଶିକ୍ଷା ଲାଭ କରିଥିଲେ ।
ବାଦାମବାଡ଼ି ବସଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭବ ହେଉଥିବାରୁ ଅତ୍ୟାଧୁନିକ ବସ୍ ଟର୍ମିନଲ ଖାନନଗରରେ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏହି ବସ୍ ଟର୍ମିନଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏକ ସ୍ୱତନ୍ତ୍ର କିଓସ୍କ କରାଯିବ ।
ଟର୍ମିନଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଆଦର୍ଶ ଓ ଜୀବନୀ ସମ୍ପର୍କରେ ପ୍ରଚାର ଓ ପ୍ରସାର ପାଇଁ ପେଣ୍ଟିଂ ରଖାଯିବ ।
ବସ୍ ଟର୍ମିନଲରେ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ରହିବ । ଏଥିରେ ଏକ ବୃହତ ଟର୍ମିନଲ ବିଲ୍ଡିଂ, ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ, ଚାରିଚକିଆ ଯାନ ଓ ଅଟୋ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ ।
୧ ଲକ୍ଷ ୧୮ ହଜାର ବର୍ଗଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନଲ କୋଠା ନିର୍ମାଣ କରାଯିବ ।
ଏହି କୋଠାରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, କ୍ଲୋକ୍ ରୁମ୍, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷାଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ରହିବ । ଟର୍ମିନଲରେ ଏକକାଳୀନ ୧୮୦ଟି ବସ୍ ରହିପାରିବ ।
ଏଥିପାଇଁ କଟକ ରିଙ୍ଗ ରୋଡକୁ ଆଉ ୨ କିଲୋମିଟର ସମ୍ପ୍ରସାରଣ ସକାଶେ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି ।
ଲୋକାଲ ୱାୟାର
Leave a Reply