କଟକ,ଅକ୍ଟୋବର ୧୦(ଲୋକାଲ ୱାୟାର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସପିଟାଲକୁ ବିଶ୍ୱସ୍ତରୀୟ କରିବାକୁ ହୋଇଥିବା ଯୋଜନାର ଅୟମାରମ୍ଭ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ତାଳଦଣ୍ଡା କେନାଲ ବନ୍ଧ ଉନ୍ନତିକରଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ।
ପ୍ରାଥମିକ ପର୍ଯ୍ୟାୟରେ ୭ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲ ବନ୍ଧର ଉଭୟ ପାର୍ଶ୍ୱ ରାସ୍ତାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ ୩ ଲେନ୍ ରାସ୍ତା ନିର୍ମାଣ କରାଯାଇଛି ।
ଯୋବ୍ରାରୁ ହିନ୍ଦ୍ ସିନେମାହଲ ଛକ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲବନ୍ଧ(ଡାହାଣ ପାର୍ଶ୍ୱ) ଓ ଯୋବ୍ରାରୁ କଟକ ସୁଇଟସ୍ ଷ୍ଟଲ(ବାମପାର୍ଶ୍ୱ) ଉଭୟ ପାର୍ଶ୍ୱ ଉନ୍ନତିକରଣ କରାଯାଇଛି ।
ଉଭୟ ପାର୍ଶ୍ୱ ରାସ୍ତାର ଦୈର୍ଘ୍ୟ ୧୫ଶହ ମିଟର ଲେଖାଏଁ ଅଛି । ରାସ୍ତାର ଉଭୟ ପାଶ୍ୱର୍ରେ ଦେଢ଼ ମିଟର ଚଉଡ଼ା ବିଶିଷ୍ଟ ୬ଶହ ମିଟର ପାଦଚଲା ରାସ୍ତା କରାଯାଇଛି ।
କେନାଲବନ୍ଧର ଉଭୟ ପାର୍ଶ୍ୱରେ ପାର୍କିଂ ପାଇଁ ୫ଟି ସ୍ଥାନ ଚିହ୍ନଟ କରାଯାଇଛି । ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଆଲୋକୀକରଣ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ।
ଏସସିବିର ନବୀକରଣ ସହ କଟକ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି ପ୍ରକଳ୍ପକୁ ସହଯୋଗ କରିବାକୁ ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।
ଲୋକାଲ ୱାୟାର
Leave a Reply