ଭୁବନେଶ୍ୱର, ମାର୍ଚ୍ଚ ୧୩(ଲୋକାଲ ୱାୟାର): ଓଡ଼ିଆ ଗଳ୍ପର ନବଜାତକ ‘କଥା’ ପତ୍ରିକାର ‘୩୪ତମ ବର୍ଷିକ ଉତ୍ସବ’ ତଥା ‘ନବପ୍ରତିଭା ପୁରସ୍କାର ସମାରୋହ’ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ‘ଦିଲ୍ଲୀ ପ୍ରେସ୍’ର ପ୍ରକାଶକ ତଥା ସମ୍ପାଦକ ପରେଶ ନାଥ ଯୋଗଦେଇ କହିଲେ, ପୁରସ୍କାର ନୁହେଁ, ପାଠକ ହିଁ ଲେଖକର ସର୍ବଶ୍ରେଷ୍ଠ ସମ୍ପଦ ।
ଲୋକମାନେ ନିଜ ଭିତରେ ପଢିବାର ପ୍ରବୃତ୍ତିକୁ ବଞ୍ଚାଇବା ଆବଶ୍ୟକ ।
କୌଣସି ଡିଜିଟାଲ୍ ମିଡ଼ିଆରେ ନୁହେଁ, ପୁସ୍ତକ ପଢ଼ିବାର ଅଭ୍ୟାସ କରିବା ଦରକାର ।
କାରଣ ଆମେ ଯେବେ କିଛି ମୁଦ୍ରିତ ପୁସ୍ତକକୁ ନେଇ ପଢ଼ିବାକୁ ବସୁ, ତାହା ଆମ ମସ୍ତିଷ୍କରେ ଏକ ଚିତ୍ର ଆଙ୍କେ ।
ଆଉ ସେହି ଚିତ୍ର ସବୁକାଳ ପାଇଁ ଆମ ମନମସ୍ତିଷ୍କରେ କଏଦ ହୋଇଯାଏ ।
ସେହିଭଳି ଭଲ ଲେଖକ ସିଏ ନୁହେଁ; ଯିଏ ନିଜ ଭାବନାକୁ ବ୍ୟକ୍ତ କରିବାକୁ ଲେଖେ ।
ଭଲ ଲେଖକ ସିଏ ଯିଏ, ସମାଜ ପାଇଁ ଲେଖେ ବୋଲି କହିଛନ୍ତି ପ୍ରକାଶକ ଶ୍ରୀ ନାଥ ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ସାମ୍ୱାଦିକ ବଳରାମ ପ୍ରେମନାରାୟଣ କହିଥିଲେ, ଲେଖୁଥିବା ସମସ୍ତ ବ୍ୟକ୍ତି ଲେଖକ ବୋଲାନ୍ତି ।
କିନ୍ତୁ ସେମାନଙ୍କ ସବୁ ରଚନାକୁ ରଚନା କୁହାଯାଏନାହିଁ ।
ଲେଖକର ଲେଖନୀ ନିର୍ଭୀକ ଓ ଦାମ୍ଭିକ ହେବା ଆବଶ୍ୟକ ।
ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ସ୍ଥିତିର ପ୍ରତିଫଳନ ଲେଖକର ଲେଖନୀ କହିବା ଆବଶ୍ୟକ ।
ହୋଇପାରେ ସାମ୍ୱିଧାନିକ ଭାବେ ହିନ୍ଦୀକୁ ରାଜ ଭାଷାର ମର୍ଯ୍ୟାଦା ମିଳିଛି ।
କିନ୍ତୁ ପ୍ରତିଟି ଆଞ୍ଚଳିକ ଭାଷାର ସ୍ୱତନ୍ତ୍ରତା ରହିଛି ।
ସଂସ୍କୃତ, ତାମିଲ, ତେଲୁଗୁ ଓ ଓଡ଼ିଆ ସାହିତ୍ୟ ଭଳି ହିନ୍ଦୀ ସାହିତ୍ୟର ପ୍ରାଚୁର୍ଯ୍ୟତା ନାହିଁ ।
ଆଉ ଯେତେବେଳେ ଲେଖକ, ସମ୍ପାଦକ ହୁଏ ସେତେବେଳେ ପତ୍ରିକାର ପାଠକୀୟତା ବୃଦ୍ଧି ସହ ସେହି ଆଞ୍ଚଳିକ ଭାଷାର ସମୃଦ୍ଧି ବଞ୍ଚିଯାଏ ବୋଲି କହିଛନ୍ତି ଶ୍ରୀ ବଳରାମଜୀ ।
କାର୍ଯ୍ୟକ୍ରମରେ ‘ସମ୍ୱାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରି କହିଲେ, ଗଦ୍ୟ ସାହିତ୍ୟକୁ ଯଦି ଆମେ ସମୃଦ୍ଧ ନ କରିବା, ତେବେ ଆମ ଭାଷା କେବେ ସମୃଦ୍ଧ ହୋଇପାରିବ ନାହିଁ ।
ଭାଷା ମରି ମରି ଯାଉଛି ବୋଲି ସମସ୍ତେ କହୁଛନ୍ତି ।
ଓଡ଼ିଆ କହୁଥିବା ବ୍ୟକ୍ତି ଓଡ଼ିଆ ଭାଷା ମରୁଛି ବୋଲି କହିଲା ବେଳେ ଲାଗେ ସେମାନେ ଯେମିତି ପ୍ରତିଦିନ ଆତହତ୍ୟା କରୁଛନ୍ତି ।
ଏଭଳି ଭାବିବା ଅପେକ୍ଷା ଓଡ଼ିଆ ଭାଷା କିପରି ଭଲ ଭାବେ ବଞ୍ଚିପାରିବ ସେ ସମ୍ପର୍କରେ ବିକଳ୍ପ ଚିନ୍ତାର ଆବଶ୍ୟକତା ରହିଛି ।
କାଗଜ, କାଳି୍ର ମୁଦ୍ରଣ ପୁସ୍ତକ, ପତ୍ରିକା କିମ୍ୱା ଖବରକାଗଜ ଆଦିର ଯୁଗ ଆଜି ସରିଯାଇଛି ।
ଏଣୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଆମେ ଡିଜିଟାଲ୍୍ ମିଡିଆକୁ ବା ବିଜ୍ଞାନ ଓ କାରିଗରୀ କୌଶଳର ଅଦ୍ଭୁତ ସମ୍ଭାବନାକୁ ପାଥେୟ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଏହି ଅବସରରେ ‘କଥା’ର ମାର୍ଚ୍ଚ ସଂଖ୍ୟା ସହ ପୁସ୍ତକ ‘କଥାଟିଏ’ ଉନ୍ମୋଚିତ ହୋଇଥିଲା ।
ଏଥିରେ ‘କଥା’ର ସମ୍ପାଦକ ଗୌରହରି ଦାସ ସ୍ୱାଗତ ଭାଷଣ ଦେଇଥିଲେ ଓ ‘ସମ୍ୱାଦ’ର ସହ-ସମ୍ପାଦକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ୯ଜଣଙ୍କୁ ‘କଥା ନବପ୍ରତିଭା ପୁରସ୍କାର’ରେ ପୁରସ୍କୃତ କରାଯାଇଥିଲା ।
କେଏମବିବି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍୍ ଟେକନୋଲୋଜି ପକ୍ଷରୁ ୪ ଜଣଙ୍କୁ ‘କନକ ମଞ୍ଜରୀ ମେଧାବୃତ୍ତି-୨୦୨୧’ ପ୍ରଦାନ କରାଯାଇଛି ।
ଲୋକାଲ ୱାୟାର
Leave a Reply